ଆଜି ପବିତ୍ର ରଥଯାତ୍ରା: ଶ୍ରୀଜୀଉଙ୍କ ପାଇଁ ପ୍ରସ୍ତୁତ ୩ ରଥ

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଭକ୍ତ ଓ ଭଗବାନଙ୍କ ମହାମିଳନର ମହାପର୍ବ । ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇବେ ଶ୍ରୀଜୀଉ । ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ କାଳିଆ ସାଆନ୍ତେ । ରଥଯାତ୍ରା ପାଇଁ ସଜେଇ ହୋଇଛି ଶ୍ରୀମନ୍ଦିର ଓ ବଡଦାଣ୍ଡ । ସିଂହଦ୍ବାର ସମ୍ମୁଖରେ ଦାରୁଦିଅଁଙ୍କ ଅପେକ୍ଷାରେ ରହିଛି ୩ ରଥ । ଦୁଲୁକୁଛି ବଡଦାଣ୍ଡ, ଲୋକାରଣ୍ୟ ହେବାରେ ଲାଗିଛି ଶ୍ରୀକ୍ଷେତ୍ର । ଦେଶ ବିଦେଶର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତଙ୍କ ଶ୍ରୀକ୍ଷେତ୍ରରୁ ସୁଅ ଛୁଟୁଛି । ରଥ ଉପରେ ଚକାଆଖିଆକୁ ଆଖି ପୁରାଇ ଦର୍ଶନ କରିବା ପାଇଁ ସମସ୍ତେ ଚାହିଁ ବସିଛନ୍ତି । ମଣିମାଙ୍କୁ ଚର୍ମଚକ୍ଷୁରେ ଦର୍ଶନ କରିବାକୁ ବ୍ୟାକୁଳ ହେଉଛି ଭକ୍ତ ମନ । ଆଜି ସକାଳ ସାଢେ ୯.୩୦ରେ ଠାକୁରମାନଙ୍କ ପହଣ୍ଡି ହେବ । ଅପରାହ୍ନ ୪ଟାର ରଥଟଣା ଆରମ୍ଭ ହେବ ।

ଘୋଷଯାତ୍ରା ନୀତିନିର୍ଘଣ୍ଟ: ରଥଯାତ୍ରା ପାଇଁ ନୀତିନିର୍ଘଣ୍ଟ ଅନୁସାରେ, ଆଜି ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳା ନୀତି ହୋଇଥିବାବେଳେ ୬ ଟା ୧୦ ରେ ମଇଲମ ଲାଗି ସମ୍ପନ୍ନ ହୋଇଛି । ସେହିପରି ୬.୩୦ ରେ ତଡପ ଲାଗି, ରୋଷ ହୋମ, ୬.୩୦ ରେ ଅବକାଶ, ୭.୦୦ ରେ ସୂର୍ଯ୍ୟ ପୂଜା, ୭.୧୦ରେ , ଦ୍ବାରପାଳ ପୂଜା ଓ ବେଶ ଶେଷ ୭. ୩୦ରେ ହେବ । ସେହିପରି ୮ଟା ରୁ ୯ଟା ପର୍ଯ୍ୟନ୍ତ ଗୋପାଳ ବଲ୍ଲଭ ଓ ସକାଳ ଧୂପ(ଖେଚୁଡି ଭୋଗଃ ଏବଂ ରଥ ପ୍ରତିଷ୍ଠା ହେବ । ୯.୧୫ ରେ ମଙ୍ଗଳାର୍ପଣ, ୯.୩୦ ପହଣ୍ଡି ଆରମ୍ଭ, ଦିନ ୧୨.୩୦ ରେ ପହଣ୍ଡି ଶେଷ, ୧୨. ୩୦ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଶ୍ରୀଶ୍ରୀମଦନ ମୋହନ, ଶ୍ରୀଶ୍ରୀରାମ ଓ ଶ୍ରୀଶ୍ରୀକୃଷ୍ମ ବିଜେ ନିତି କରାଯିବ । ସେହିପରି ୧.୩୦ ରୁ ୨.୦୦ ପର୍ଯ୍ୟନ୍ତ ଚିତା ଲାଗି ଓ ବେଶ ଶେଷ । ୨.୩୦ ରୁ ୩. ୩୦ ପର୍ଯ୍ୟନ୍ତ ଛେରାପହଁରା, ଚାରମାଳ ଫିଟା, ଘୋଡା ଓ ସାରଖୀ ଲାଗିବ । ଏହାପରେ ଦିନ ୪ଟାରୁ ରଥଟଣା ଆରମ୍ଭ ହେବ । ରଥଟଣା ସରିବା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହେବ ।

କଡା ସୁରକ୍ଷା ବ୍ୟବସ୍ଥା: ସୁରକ୍ଷା ବ୍ୟବସ୍ଥା ରଥଯାତ୍ରା ପାଇଁ ଆଜି ପୁରୀରରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ । ଟ୍ରାଫିକ ପରିଚାଳନା ବିଶେଷକରି ପାର୍କିଂ ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜଳ, ସ୍ଥଳ ଓ ଆକାଶ, ତିନି ପଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରଥଯାତ୍ରାରେ ମୁତୟନ ହେବେ ୧୦ହଜାରରୁ ଅଧିକ ସୁରକ୍ଷାକର୍ମୀ । ଶ୍ରୀକ୍ଷେତ୍ରକୁ ଜଗିଛି ୨୭୫ଟି AI CAMERA । DRONE ସାହାଯ୍ୟରେ ହେବ ଟ୍ରାଫିକ ଓ ଶୃଙ୍ଖଳା ବ୍ୟବସ୍ଥାର ପରିଚାଳନା । ଆଣ୍ଟି ଡ୍ରୋନ, ଆଣ୍ଟି ସାବୋଟେଜ, ଡଗ ସ୍କ୍ବାଡ ଓ ପ୍ରାୟ ୨୦୦ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ବିଏସଏଫ, ସିଆରପିଏଫ, ଆରଏଫକୁ ମିଶାଇ ୮ କଂପାନୀ ଫୋର୍ସ ନିୟୋଜିତ ରହିବେ । ପ୍ରଥମ ଥର ପାଇଁ ଏନଏସଜି ସ୍ନାଇପର ମୁତୟନ ରହିବେ ।

Leave a Reply

Your email address will not be published. Required fields are marked *