ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । DNA ମ୍ୟାଚ୍ ପରେ ତାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି । ଅନ୍ତିମ ସଂସ୍କାର ପାଇଁ ଚାଟାର୍ଡ ବିମାନ ଯୋଗେ ତାଙ୍କ ମୃତଦେହକୁ ରାଜକୋଟ ପଠାଯିବ । ଆସନ୍ତା କାଲି ରାଜକୋଟରେ ମୃତଦେହ ପହଞ୍ଚିବା ପରେ ଶେଷକୃତ୍ୟ ହେବ ।
ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅନ୍ତିମ ସଂସ୍କାର ପାଇଁ ରାଜକୋଟରେ ପ୍ରସ୍ତୁତି ଆରମ୍ଭ ହୋଇଛି । ତାଙ୍କ ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକ ଶେଷକୃତ୍ୟ ସମୟରେ ଯୋଗଦାନ କରିବେ । ତେଣୁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଅନ୍ତିମ ସଂସ୍କାରରେ ସରକାର ମଧ୍ୟ ସହଯୋଗ କରିବେ ବୋଲି ସୂଚନା ମିଳୁଛି । ଆଜି ବିଜୟ ରୂପାନୀଙ୍କ ଡିଏନଏ ସକାଳ ୧୧:୧୦ ରେ ମେଳ ହୋଇଥିଲା ।
ସୂଚନାଯୋଗ୍ୟ, ଗୁରୁବାର ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତିକ ବିମାନବନ୍ଦରରୁ ଲଣ୍ଡନ ଗାଟଉଇକ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ AI171 ଟେକ୍-ଅଫ୍ କରିବାର କିଛି ମିନିଟ ମଧ୍ୟରେ ମେଘାନୀ ନଗର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ଜନବସତି ଏବଂ ମେଡିକାଲ କଲେଜର ଛାତ ଉପରେ ପଡିଥିଲା । ଦୁର୍ଘଟଣାରେ ୨୬୫ ଜଣଙ୍କର ମୃତ୍ୟୁ ହୋଇଛି । ସେ ଅହମଦାବାଦ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ ହୋଇଛି । ଏହି ଘଟଣାରେ ସମଗ୍ର ଭାରତୀୟ ଦୁଃଖରେ ଭାଙ୍ଗିପଡିଛନ୍ତି । ଅହମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବୋଇଂ 787-8 ଡ୍ରିମଲାଇନର ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପରିବାରକୁ ଟାଟା ଗ୍ରୁପ୍ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି ।