ସିନେମା ଜଗତରୁ ଆଉ ଏକ ଦୁଃଖଦ ଖବର ଆସିଛି। ନେଟଫ୍ଲିକ୍ସର ଲୋକପ୍ରିୟ ୱେବ୍ ସିରିଜ୍ ‘ଜମତାରା 2’ରେ ଅଭିନୟ କରିଥିବା ମରାଠୀ ଅଭିନେତା ସଚିନ ଚାନ୍ଦୱାଡେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସଚିନଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟରେ ମରାଠୀ ଏବଂ ହିନ୍ଦୀ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ସହକର୍ମୀ ଏବଂ ପ୍ରଶଂସକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।
ରିପୋର୍ଟ ଅନୁସାରେ, ଅକ୍ଟୋବର ୨୩ ତାରିଖରେ ସଚିନ ଚାନ୍ଦୱାଡେଙ୍କୁ ଜଳଗାଓଁର ପାରୋଲାରେ ତାଙ୍କ ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ପରିବାର ଲୋକେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ଏବଂ ଡାକ୍ତରଖାନାକୁ ନେଇଯାଇଥିଲେ। ପ୍ରଥମେ ତାଙ୍କୁ ଉଡିରଖେଡା ଗାଁର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ଧୂଲେର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରଙ୍କ ଚେଷ୍ଟା ସତ୍ତ୍ୱେ ସେ ବଞ୍ଚିପାରିଲେ ନାହିଁ । ଚିକିତ୍ସାଧୀନ ଅବସ୍ଥାରେ ଅକ୍ଟୋବର ୨୪ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ସଚିନ ଜଳଗାଓଁ ଜିଲ୍ଲାର ଥିଲେ। ସେ ଅଭିନୟ ପ୍ରତି ଆଗ୍ରହୀ ଥିଲେ। କିନ୍ତୁ ଅଭିନୟ କେବଳ ତାଙ୍କର କାମ ନଥିଲା। ସେ ପୁନେର ଏକ କମ୍ପାନୀରେ ସଫ୍ଟୱେର୍ ଇଞ୍ଜିନିୟର ଭାବରେ ମଧ୍ୟ କାମ କରୁଥିଲେ। ମୃତ୍ୟୁର କିଛି ଦିନ ପୂର୍ବରୁ, ସଚିନ ତାଙ୍କ ଆଗାମୀ ମରାଠୀ ଚଳଚ୍ଚିତ୍ର ‘ଅସୁରଭାନ’ ପାଇଁ ଇନଷ୍ଟାଗ୍ରାମରେ ଏକ ମୋସନ୍ ପୋଷ୍ଟର ସେୟାର କରିଥିଲେ। ରାମଚନ୍ଦ୍ର ଆମ୍ବାଟଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ପୂଜା ମୋଇଲି ଏବଂ ଅନୁଜ ଠାକରେ ମଧ୍ୟ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ଶେଷ ଆଡ଼କୁ ମୁକ୍ତିଲାଭ କରିବାର ଯୋଜନା ଥିଲା।
୨୦୨୨ ମସିହାରେ ଯେତେବେଳେ ଜାମତାରାର ଦ୍ୱିତୀୟ ସିଜିନ୍ ପ୍ରିମିୟର ହୋଇଥିଲା, ସଚିନ୍ ସେଟରୁ ଏକ ଫଟୋ ସେୟାର କରିଥିଲେ। ଫଟୋରେ, ସଚିନ୍ ଜାମତାରା କ୍ଲାପବୋର୍ଡ ଧରି ସିରିଜ୍ ରିଲିଜ୍ ଘୋଷଣା କରିଥିଲେ। ସିରିଜରେ ତାଙ୍କର ଭୂମିକା କମ୍ ଥିଲେ ମଧ୍ୟ ବଡ଼ ମଞ୍ଚରେ ତାଙ୍କର ଡେବ୍ୟୁ ଥିଲା। ଇନଷ୍ଟାଗ୍ରାମରେ ସଚିନଙ୍କ ଅନେକ ଫଲୋୟର୍ସ ଅଛନ୍ତି । ଅଭିନେତାଙ୍କ ମୃତ୍ୟୁ ପରେ ପାରୋଲା ପୁଲିସ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସଚିନଙ୍କ ଆତ୍ମହତ୍ୟାର କାରଣ ପୁଲିସର ତଦନ୍ତ ପରେ ହିଁ ଜଣାପଡ଼ିବ ।
