ପ୍ରଥମ ମିସ୍‌ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ପରଲୋକ

ମୁମ୍ୱାଇ,୧୮ା୧୨:ପ୍ରଥମ ମିସ୍‌ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ହେଉଥିଲା। ୧୯୬୪ରେ ଭାରତର ପ୍ରଥମ ଫେମିନା ମିସ୍‌ ଇଣ୍ଡିଆ ମୁକୁଟ ହାସଲ କରିଥିବା ମେହେର ଏକାଧାରରେ ଜଣେ ସୁପରମଡେଲ, ସାମ୍ୱାଦିକା, ଲେଖିକା ଓ ମେଣ୍ଟର ଥିଲେ। ଭାରତୀୟ ଫ୍ୟାଶନ ଜଗତକୁ ନୂଆ ଦିଗ୍‌ଦର୍ଶନ

ପ୍ରଥମ ମିସ୍‌ ଇଣ୍ଡିଆ …
ଦେଇଥିବା ମେହେରଙ୍କ ଜନ୍ମ ମୁମ୍ୱାଇରେ ହୋଇଥିଲା। ପ୍ରଥମ ଫେମିନା ମିସ୍‌ ଇଣ୍ଡିଆରେ ବିଜୟୀ ହେବା ପରେ ସେ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରି କି ସେ ବିଦେଶରେ ମଧ୍ୟ ମିସ୍‌ ୟୁନିଭର୍ସ ଓ ମିସ୍‌ ୟୁନାଇଟେଡ୍‌ ନେଶନ୍ସ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ। ଏହା ପରେ ସେ ଫ୍ୟାଶନ ଜର୍ନାଲିଜମ୍‌ରେ ଏକ ଅସାଧାରଣ ଲିଗାସି ପ୍ରତିଷ୍ଠା କରିଥିଲେ, ଯାହାକି ତାଙ୍କୁ ଭିନ୍ନ ପରିଚୟର ଅଧିକାରିଣୀ କରିଥିଲା। ୧୯୭୩ ମସିହାରେ ସାମ୍ୱାଦିକତା କ୍ଷେତ୍ରରେ ମେହେର ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଇଭ୍ସ ଓ୍ୱିକ୍‌ଲିରେ ତାଙ୍କ ପ୍ରଥମ ନିବନ୍ଧ ପ୍ରକାଶିତ ହୋଇଥିଲା। ସମୟକ୍ରମେ ସେ ପୂର୍ଣ୍ଣକାଳୀନ ଫ୍ୟାଶନ ଜର୍ନାଲିଷ୍ଟ ଓ ସ୍ତମ୍ଭକାର ରୂପେ ଖ୍ୟାତି ଅର୍ଜନ କରିଥିଲେ।

ତାଙ୍କ ଆଲେଖ୍ୟ ପ୍ରାୟ ୧୩୦ଟି ଜାତୀୟ ଓ ଅନ୍ତର୍ଜାତୀୟ ଖବରକାଗଜ ତଥା ପତ୍ରିକାରେ ପ୍ରକାଶିତ ହୋଇଥିଲା। ଏଇଠୁ ସେ ଫ୍ୟାଶନ କମେଣ୍ଟ୍ରି ଏବଂ ଲାଇଫ୍‌ଷ୍ଟାଇଲ୍‌ ରିପୋର୍ଟିଂ କ୍ଷେତ୍ରରେ ଏକ ପ୍ରମୁଖ ସ୍ୱର ପାଲଟିଯାଇଥିଲେ। ଏତିକି ନୁହେଁ, ମେହେର ‘ମ୍ୟାନ୍‌ଷ୍ଟାଇଲ’, ‘ଫ୍ୟାଶନ୍‌ କାଲେଇଡୋସ୍କୋପ୍‌’ ଏବଂ ‘ଫ୍ୟାଶନ ମ୍ୟୁଜିଙ୍ଗ୍ସ’ ଭଳି ଅନେକ ଫ୍ୟାଶନ ପୁସ୍ତକର ରଚୟିତା ମଧ୍ୟ ଥିଲେ। ଏହି ଅଧ୍ୟବସାୟ ଓ ଲେଖିନୀ ଶୈଳୀରେ ମେହେରଙ୍କ ଧାରା ଅନ୍ୱେଷଣ, ଶିଳ୍ପର ବିବର୍ତ୍ତନ ତଥା ଅନ୍ତର୍ଦୃଷ୍ଟି ବାରିହୋଇ ପଡ଼ୁଥିଲା। ଲାକ୍‌ମେ ଫ୍ୟାଶନ୍‌ ଓ୍ୱିକ୍‌ ଭଳି ଅନେକ ବୃହତ୍‌ ଭାରତୀୟ ଫ୍ୟାଶନ ଇଭେଣ୍ଟରେ ଫ୍ୟାଶନ୍‌ ରାଇଟର ଭାବେ ସେ କାର୍ଯ୍ୟ କରିଥିଲେ। ଏହି ଅଭିଜ୍ଞତା ତାଙ୍କୁ ପରବର୍ତ୍ତୀ ସମୟରେ ଫ୍ୟାଶନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଇଣ୍ଡଷ୍ଟ୍ରିରେ ଜଜ୍‌ ଭୂମିକା ତୁଲାଇବାରେ ସହାୟକ ହେବା ସହ ବହୁ ପୁରସ୍କାର ଓ ସମ୍ମାନ ପ୍ରଦାନ କରିଥିଲା। ରୂଢ଼ିବାଦୀ ଓ ରକ୍ଷଣଶୀଳ ଭାରତୀୟ ସମାଜରେ ମେହେର ମହିଳାଙ୍କ ପାଇଁ ଫ୍ୟାଶନ ତଥା ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ କ୍ୟାରିୟର ଗଢ଼ିବାରେ ନୂଆ ମାର୍ଗ ଦେଖାଇଥିଲେ। ମେହେର ଯୁବ ଡିଜାଇନର ଓ ଲେଖକମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *