ବଦଳିବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଫିସ୍ ଠିକଣା । ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଜଣେ ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ଠିକଣା ବଦଳିବାକୁ ଯାଉଛି । ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ନୂଆ କାର୍ଯ୍ୟାଳୟର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇସାରିଛି । ଆଉ ମକର ସଂକ୍ରାନ୍ତି ଅବସରରରେ ପ୍ରଧାନମନ୍ତ୍ରୀ ନୂଆ କାର୍ଯ୍ୟାଳୟରୁ କାମ ଆରମ୍ଭ କରିପାରନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ କାର୍ଯ୍ୟାଳୟ ସେବା ତୀର୍ଥ ଭାବେ ପରିଚିତ ହେବ । ଯାହାକି ରାଷ୍ଟ୍ରପତି ଭବନ ନିକଟରେ ନିର୍ମାଣ କରାଯାଇଛି । ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ କାର୍ଯ୍ୟାଳୟ କାମ ଶେଷ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ କାର୍ଯ୍ୟାଳୟରେ କ୍ୟାବିନେଟ୍ ସଚିବାଳୟ ସହିତ ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍ ସେକ୍ରେଟେରିଏଟ୍ ମଧ୍ୟ ରହିବ । ଏହାସହ ଏଥିରେ ଅନ୍ୟ କିଛି ମନ୍ତ୍ରାଳୟ ମଧ୍ୟ କାମ କରିବ ବୋଲି ଜଣାପଡ଼ିଛି ।
୧୧୮୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ସେବା ତୀର୍ଥ’
୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପରଠାରୁ ଭାରତର କ୍ଷମତାର କେନ୍ଦ୍ର ଭାବେ ପରିଚିତ ସାଉଥ୍ ବ୍ଲକ୍ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିଆସିଥିଲା । ହେଲେ ବର୍ତ୍ତମାନ ଏହା ସେବା ତୀର୍ଥକୁ ଟ୍ରାନ୍ସଫର ହେବାକୁ ଯାଉଛି । ଲାର୍ସନ୍ ଆଣ୍ଡ୍ ଟୁବ୍ରୋ ଦ୍ୱାରା ନିର୍ମିତ ସମ୍ପୂର୍ଣ୍ଣ “ସେବା ତୀର୍ଥ” କମ୍ପ୍ଲେକ୍ସ ପାଇଁ ପ୍ରାୟ ୧,୧୮୯ କୋଟି ଖର୍ଚ୍ଚ ହୋଇଛି । ଏହାସହ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏକଜିକ୍ୟୁଟିଭ୍ ଏନକ୍ଲେଭ୍ ୧ ପାଖରେ ଏକଜିକ୍ୟୁଟିଭ୍ ଏନକ୍ଲେଭ୍ ୨ର ମଧ୍ୟ ନିର୍ମାଣ କରାଯାଉଛି । ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ନୂଆ ସରକାରୀ ବାସଭବନ ରହିବ । ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ସାତ ଲୋକ କଲ୍ୟାଣ ମାର୍ଗରେ ରହିଛି । ହେଲେ କିଛି ଦିନ ମଧ୍ୟରେ ଏହାର ଠିକଣା ମଧ୍ୟ ବଦଳିବାକୁ ଯାଉଛି ।
