ଫେରିଲା ନିପା ଭାଇରସ ଭୟ, 2 ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି

କୋଲକାତା: ପୁଣି ଫେରିଲା ନିପା ଭାଇରସ ଭୟ । ପଶ୍ଚିମବଙ୍ଗରେ 2 ଜଣ ନିପା ଭାଇରସରେ ଆକ୍ରାନ୍ତ ହେବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଭୟ ନର୍ସ ହୋଇଥିବା ବେଳେ ଏକ ଘରୋଇ ହସ୍ପିଟାଲରେ ଆଇସୋଲେସନରେ ଅଛନ୍ତି । ଦୁଇ ଆକ୍ରାନ୍ତଙ୍କ ବୟସ 22ରୁ 25 ବର୍ଷ ହେବ । ସ୍ବାସ୍ଥ୍ୟ ବିଭାଗ ସେମାନଙ୍କ ପରିଚୟ ଗୋପନ ରଖିଛି ।

ରାଜ୍ୟରେ ନିପା ଭାଇରସ ଚିହ୍ନଟ ପରେ ଆଲର୍ଟରେ ସ୍ବାସ୍ଥ୍ୟ ବିଭାଗ । ନୋଡାଲ ହସ୍ପିଟାଲରେ ନିପା ଭାଇରସ ପରୀକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆକ୍ରାନ୍ତ ନର୍ସଙ୍କ ପରିବାର ଲୋକଙ୍କୁ ମଧ୍ୟ ମେଡିକାଲ ସର୍ଭିଲାନ୍ସରେ ରଖାଯାଇଛି । ସ୍ଥିତି ଯାଞ୍ଚ କରିବାକୁ ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ସୋମବାର ସକାଳ ସମୟରେ ହସ୍ପିଟାଲରେ ପହଞ୍ଚିଥିଲେ । ସ୍ବାସ୍ଥ୍ୟ ବିଭାଗ ପରିସ୍ଥିତି ଉପରେ କଡା ନଜର ରଖିଛି । ନିପା ଭାଇରସ ଚିହ୍ନଟ ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଏଥି ପାଇଁ 2ଟି ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି ।

ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ସଂକ୍ରମଣକୁ ରୋକିବା ପାଇଁ ଏସଓପି ଜାରି କରାଯାଇଛି । ରାଜ୍ୟ ସ୍ବାସ୍ଥ୍ୟ ସଚିବ ନାରାୟଣ ସ୍ବରୂପ କହିଛନ୍ତି, ” ଭୟ କରିବାର କୌଣସି ଆବଶ୍ୟକ ନାହିଁ । ଆମେ ସ୍ଥିତି ଉପରେ କଡା ନଜର ରଖିଛୁ । ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ସଂକ୍ରମଣ ଯେମିତି ନବ୍ୟାପେ ସେଥି ପାଇଁ ଟ୍ରେସିଂ କରାଯାଉଛି । “

ଭାଇରସର ଉତ୍ସ ଓ ବ୍ୟାପିକା ସମ୍ପର୍କରେ ରାଜ୍ୟ ମୁଖ୍ୟ ସଚିବ ନନ୍ଦୀନ ଚକ୍ରବର୍ତ୍ତୀ କହିଛନ୍ତି, ” ନିପା ଭାଇରସ ବାଦୁଡି ଠାରୁ ବ୍ୟାପିଥାଏ । ବାଦୁଡି ଯେଉଁ ଜିନିଷ ଖାଇଥାଏ ତାହା ଖାଇବା ଠାରୁ ଦୂରେଇ ରୁହନ୍ତୁ । ନିପା ସହ ମୁକାବିଲା ପାଇଁ ଏସଓପି ଜାରି କରାଯାଇଛି । ମୁଁ ଜନସାଧାରଣଙ୍କୁ ଅନୁରୋଧ କରୁଛି ଯେ ବାଦୁଡି ଖାଉଥିବା ଫଳ ଖାଆନ୍ତୁ ନାହିଁ । “

ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ଦୁଇ ଆକ୍ରାନ୍ତ ପୂର୍ବ ବର୍ଦ୍ଧମାନ ଯାତ୍ରା କରିଥିଲେ । ସେମାନେ ରାଜ୍ୟ ବାହାରକୁ ଯିବାର କୌଣସି ସୂଚନା ନାହିଁ । ସେମାନେ ଏବେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ଉଭୟଙ୍କ ରକ୍ତ ନମୁନା ଏମ୍ସ କଲ୍ୟାଣୀକୁ ପଠାଯାଇଛି ।

Leave a Reply

Your email address will not be published. Required fields are marked *