୫ ମିନିଟ ପାଇଁ ଘଣ୍ଟି ବଜାଇଲେ ସଚିନ

ଭାରତ-ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟ ମ୍ୟାଚ୍ ଲର୍ଡସ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି । ଏହି ମ୍ୟାଚ୍ ଆରମ୍ଭ ପୂର୍ବରୁ କ୍ରିକେଟ ପ୍ରେମୀଙ୍କ ପାଇଁ ଖାସ୍ ମୁହୂର୍ତ୍ତ ଆସିଥିଲା । କିଂବଦନ୍ତି ଭାରତୀୟ କ୍ରିକେଟର୍ ସଚିନ ତେନ୍ଦୁଲକର ପ୍ରଥମ ଥର ଲାଗି ଐତିହାସିକ ଲର୍ଡସ କ୍ରିକେଟ୍ ପଡ଼ିଆରେ ଘଣ୍ଟି ବଜାଇଥିଲେ । ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫିର ଗୁରୁବାର ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ୍ ମ୍ୟାଚ୍ ପୂର୍ବରୁ ଏହି ଉତ୍ସବ ପାଳନ ହୋଇଥିଲା । କ୍ରିକେଟର ଘର ଭାବେ ପରିଚିତ ଏହି ପଡ଼ିଆର ସ୍ବତନ୍ତ୍ର ପରମ୍ପରାରେ ସଚିନ ୫ ମିନିଟ୍ ଧରି ଘଣ୍ଟି ବଜାଇ ନୂଆ ଇତିହାସ ରଚିଥିଲେ ।

ଏହି ଅବସରରେ ସଚିନ ତେନ୍ଦୁଲକରଙ୍କ ସହିତ ପତ୍ନୀ ଅଞ୍ଜଳି ତେନ୍ଦୁଲକର ମଧ୍ୟ ଲର୍ଡସ ଯାଇଥିଲେ । ସଚିନ ଷ୍ଟାଡିୟମରେ ପ୍ରବେଶ କରିବା ପରେ ଦର୍ଶକ ତାଳିମାରି ସଚିନ ନାରା ଦେଇ ସ୍ବାଗତ କରିଥିଲେ । ସଚିନ ସମସ୍ତଙ୍କୁ ନମସ୍କାର କରି ଅଭିନନ୍ଦନକୁ ସ୍ବୀକାର କରିଥିଲେ । ଏହାପରେ ସଚିତ ଲଗାତାର ୫ ମିନିଟ ଯାଏଁ ଘଣ୍ଟି ବଜାଇଥିଲେ ।

ଲର୍ଡସ ପାଭିଲିୟନର ବୋଲର୍ ବାର୍ସ ବାହାରେ ରହିଥିବା ଏହି ଘଣ୍ଟିକୁ ୨୦୦୭ରୁ କ୍ରିକେଟର ମହାନ ଖେଳାଳି, ଅଧିକାରୀ ଓ କ୍ରୀଡ଼ା କିଂବଦନ୍ତି ବଜାଇବାର ପରମ୍ପରା ରହିଛି । ହେଲେ ସଚିନ କେବେ ବି ଏହି ଉତ୍ସବରେ ଯୋଗଦେବାର ସୁଯୋଗ ପାଇ ନଥିଲେ । ଏବେ ଲର୍ଡସରେ ସଚିନ ଘଣ୍ଟି ବଜାଇବାରେ ସାର୍ ଭିଭିଆନ୍ ରିଚାର୍ଡ୍ସ, ସାର୍ ଇଆନ୍ ବୋଥାମ, ସେନ୍ ୱର୍ଣ୍ଣ, ସୁନିଲ ଗାଭାସ୍କର, ରାହୁଲ ଦ୍ରାବିଡ଼ ଓ କପିଳ ଦେବଙ୍କ କ୍ଲବରେ ସାମିଲ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *