ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଉଦ୍‌ଯାପିତ: ମେଲାଣିରେ ହଜାର ହଜାର ଶ୍ରଦ୍ଧାଳୁ

ଗଞ୍ଜାମ ଜିଲାର ବଡ଼ଖେମୁଣ୍ଡି ତଥା ଦିଗପହଣ୍ଡି ସହରରେ ଗତ ୨୯ ତାରିଖ ଆଶ୍ୱିନ ଶୁକ୍ଳ ସପ୍ତମୀ ଓ ଅଷ୍ଟମୀ ତିଥିରୁ ଚାଲିଥିବା ସହରର ଆରାଧ୍ୟା ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ଆଶ୍ୱିନ କୁମାର ପୂର୍ଣ୍ଣମୀ ତିଥି ସୋମବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ବର୍ଷକ ପାଇଁ ବିଦାୟ ନେଇଛନ୍ତି ମା ’ ବୁଢ଼ୀ ଠାକୁରାଣୀ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ମଙ୍ଗଳବାର ଭୋର ପ୍ରାୟ ୩ଟାରେ ବଜାର ସାହି ଗାନ୍ଧୀଛକସ୍ଥିତ ଅସ୍ଥାୟୀ ଯାତ୍ରା ପୀଠରେ ମୁଖ୍ୟ ପୁରୋହିତ ପଣ୍ଡିତ ସନାତନ ରଥ ଶର୍ମା ଷୋଡ଼ଶପଚାରରେ ମା ’ଙ୍କୁ ପୂଜାର୍ଚ୍ଚନା କରିଥିଲେ। ଯାତ୍ରା ପୀଠରେ ହୋମଯଜ୍ଞ କରାଯାଇ ମନ୍ତ୍ର ଦ୍ୱାରା ମା ’ ଙ୍କୁ ବିଧି ମୁତାବକ ମେଲାଣି ଯାତ୍ରା ପାଇଁ ଆବାହନ କରାଯାଇଥିଲା। ଆଜ୍ଞାମାଳ ମସ୍ତକରୁ ଖସିବା ପରେ ପାର୍ଶ୍ୱଘଟଧାରୀ ମହିଳାମାନେ ମା ’ଙ୍କ ଅନୁମତି ନେଇ ମୂଳ ମନ୍ଦିରକୁ ବାହୁଡ଼ିବା ଲାଗି ଘଟ ଉଠାଇଥିଲେ। ମୁଖ୍ୟଘଟକୁ ସମ୍ମୁଖ ଭାଗରେ ରଖାଯିବା ପରେ ମା’ଙ୍କ ବିଦାୟ ଶୋଭାଯାତ୍ରା ଆରମ୍ଭ ହୋଇଥିଲା।

ଯାତ୍ରାର ଉଦ୍‌ଯାପନୀ ଦିବସରେ ସହର ତଥା ଆଖପାଖ ଗ୍ରାମାଞ୍ଚଳର ୧୦ ହଜାର ରୁ ଉଦ୍ଧର୍‌ବ ଲୋକଙ୍କ ସମାଗମ ହୋଇଥିଲା। ବହୁ ସଂଖ୍ୟକ ଶ୍ରଦ୍ଧାଳୁ ମା ’ ଙ୍କ ବାହୁଡ଼ା ଯାତ୍ରାରେ ସାମିଲ ହୋଇଥିଲେ। ନୃତ୍ୟ ଗୀତ,ଆତସବାଜି ରୋଷଣୀ,ଫଗୁ ଖେଳ ଓ ବାଦ୍ୟର ତାଳେ ତାଳେ ମା ’ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀ ଝୁଲି ଝୁଲି ଅସ୍ଥାୟୀ ଯାତ୍ରାପୀଠରୁ ବାହାରି ବଜାର ସାହି ଅତିକ୍ରମ କରି ସାନଦାଣ୍ଡ ସାହି ଶେଷରେ ଥିବା ବୁଢ଼ୀ ଠାକୁରାଣୀ ମନ୍ଦିରରେ ପ୍ରବେଶ କରିଥିଲେ।

ସେଠାରେ ଉପସ୍ଥିତ ସେବାୟତ (ଜାନି) ସମ୍ପ୍ରଦାୟ ପକ୍ଷରୁ ମନ୍ଦିର ପୀଠକୁ ଶୋଧନ କରାଯାଇ ସକାଳ ଧୂପ ଦିଆଯାଇଥିଲା। ସୋମବାର ସନ୍ଧ୍ୟାରୁ ଅସ୍ଥାୟୀ ଯାତ୍ରା ପୀଠରେ ଦିଗପହଣ୍ଡି ବ୍ଲକ ଗୁହାଳପୁର ଏବଂ ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ପୌରାଣିକ ରାମାୟଣ ଥିଏଟର ମଞ୍ଚସ୍ଥ ହୋଇଥିଲା ।

Leave a Reply

Your email address will not be published. Required fields are marked *