ନୂଆପଡ଼ା ରାଜନୀତିରେ ଜୟ ଟ୍ଵିଷ୍ଟ। ବିଜେଡି ପ୍ରାର୍ଥୀଙ୍କୁ ହାଇଜ୍ୟାକ୍। ପଦ୍ମ ଧରିଲେ ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ନାମାଙ୍କନ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ଜୟ ଢୋଲକିଆ ଶନିବାର ସମର୍ଥକଙ୍କ ସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜୟ ବିଜେପିରେ ମିଶିଛନ୍ତି। ଏହି ମିଶ୍ରଣ ପର୍ବ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ , ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ପ୍ରମୁଖ ଉପସ୍ଥିତ ଥିଲେ।
ଅପର ପକ୍ଷରେ ଜୟ ଢୋଲକିଆଙ୍କ ମିଶ୍ରଣ ପର୍ବ ପୂର୍ବରୁ ରାଜ୍ୟ ଅତିଥି ଭବନରେ ବିଜେପିର ବଡ଼ ବୈଠକ ହୋଇଥିଲା। ୩ ଘଣ୍ଟା ଧରି ବୈଠକ ବସିଥିଲା। ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ମାନସ ମହାନ୍ତି ବସନ୍ତ ପଣ୍ଡାଙ୍କ ମାନଭଞ୍ଜନ କରିବାରେ ସଫଳ ହୋଇଥିଲେ। ପରେ ଜୟ ଢୋଲକିଆଙ୍କ ମିଶ୍ରଣ ପର୍ବରେ ବସନ୍ତ ପଣ୍ଡା ଯୋଗ ଦେଇଥିଲେ ।
ନୂଆପଡ଼ାର ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି । ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଭୋଟ୍ ଗ୍ରହଣ ହେବ । ଘାସିରାମ ମାଝୀଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି । ତେବେ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ଜୟ ହିଁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।
ଗତ ନିର୍ବାଚନରେ ବିଜେଡିରୁ ରାଜେନ୍ଦ୍ର ଢୋଲକିଆ ବିଜୟୀ ହୋଇଥିଲେ । ତାଙ୍କୁ ୬୧ ହଜାର ୮୨୨ ଭୋଟ୍ ମିଳିଥିଲା । ସ୍ବାଧୀନ ଭାବରେ ନିର୍ବାଚନ ଲଢି ଘାସିରାମ ମାଝୀ ଦ୍ବିତୀୟ ସ୍ଥାନରେ ଥିଲେ , ତାଙ୍କୁ ମିଳିଥିଲା ୫୦ ହଜାର ୯୪୧ ଭୋଟ୍ । ତୃତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଥିବାବେଳେ କଂଗ୍ରେସରୁ ଶରତ ପଟ୍ଟନାୟକ ଚତୁର୍ଥ ସ୍ଥାନରେ ଥିଲେ ।
