ଗତ ଦଶନ୍ଧି ମଧ୍ୟରେ ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ୍ ଫୋନ୍ ନିର୍ମାଣ କ୍ଷେତ୍ରରେ ଅଭୂତପୂର୍ବ ଅଭିବୃଦ୍ଧି ଘଟିଛି। ୨୦୧୪-୧୫ରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ମାତ୍ର ୧.୯ ଲକ୍ଷ କୋଟି ଟଙ୍କା ଥିବା ବେଳେ ୨୦୨୪-୨୫ରେ ପ୍ରାୟ ଛଅ ଗୁଣ ବୃଦ୍ଧି ପାଇ ୧୧.୩ ଲକ୍ଷ କୋଟଇ ହେବ ବୋଲି ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ, ମୋବାଇଲ୍ ଫୋନ୍ ରପ୍ତାନି ୧୫୦୦ କୋଟିରୁ ବୃଦ୍ଧି ପାଇ ୨ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ଭାରତକୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଫୋନ୍ ନିର୍ମାତା କରିଛି।
ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟିରେ ବୃଦ୍ଧି:
ଗତ ଦଶ ବର୍ଷ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ର ୨୫ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିଛି, ଯାହା ଏହାକୁ କେବଳ ଶିଳ୍ପ ପ୍ରସାରର ପ୍ରତୀକ ନୁହେଁ ବରଂ ନିଯୁକ୍ତି ଏବଂ ଆର୍ଥିକ ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ବାହକ କରିଛି। ଉତ୍ପାଦନ-ସଂଯୁକ୍ତ ପ୍ରୋତ୍ସାହନ (ପିଏଲ୍ଆଇ) ଯୋଜନା ଏବଂ ବ୍ୟବସାୟ କରିବାର ସହଜତା ଭଳି ସରକାରୀ ପଦକ୍ଷେପ ସ୍ଥାନୀୟ ଉତ୍ପାଦନ ଏବଂ ରପ୍ତାନି ଉଭୟକୁ ଉତ୍ସାହିତ କରିଛି।
ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବିଶ୍ୱବ୍ୟାପୀ ନିବେଶ ପାଇଁ ଭାରତ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ପାଲଟିଛି। ୨୦୨୦-୨୧ ପରଠାରୁ ଏହି କ୍ଷେତ୍ରରେ ୪ ବିଲିୟନ ଡଲାରରୁ ଅଧିକ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫ୍ଡିଆଇ) ପ୍ରବାହିତ ହୋଇଛି। ଭାରତରୁ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ପାଇଁ ପ୍ରମୁଖ ରପ୍ତାନି ଗନ୍ତବ୍ୟସ୍ଥଳ ହେଉଛି ଯୁକ୍ତରାଷ୍ଟ୍ର, ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡ, ୟୁକେ ଏବଂ ଇଟାଲୀ।
ମୋବାଇଲ୍ ନିର୍ମାଣ ଏବଂ ରପ୍ତାନିରେ ବିପ୍ଳବ:
ଭାରତର ମୋବାଇଲ୍ ବିପ୍ଳବ, ସମାଜ ଏବଂ ଜୀବିକାକୁ ପରିବର୍ତ୍ତନ କରିଛି। ୮୫ ପ୍ରତିଶତରୁ ଅଧିକ ଭାରତୀୟ ପରିବାର ପାଖରେ ସ୍ମାର୍ଟଫୋନ୍ ଅଛି, ଯାହା ଏହି ଡିଭାଇସକୁ ଶିକ୍ଷା, ବ୍ୟାଙ୍କିଙ୍ଗ୍, ମନୋରଞ୍ଜନ ଏବଂ ସରକାରୀ ସେବା ପାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ କରିଛି। ମୋବାଇଲ୍ ଫୋନ୍ ଉତ୍ପାଦନ ୨୦୧୪-୧୫ ରେ ୧୮,୦୦୦ କୋଟିରୁ ୨୦୨୪-୨୫ ରେ ୫.୪୫ ଲକ୍ଷ କୋଟିକୁ ବୃଦ୍ଧି ପାଇବାର ଆକଳନ କରାଯାଇଛି। ଉତ୍ପାଦନ ୟୁନିଟ୍ ୨ ରୁ ବୃଦ୍ଧିପାଇ ୩୦୦ ରୁ ଅଧିକ ହୋଇଛି, ଯାହା ବାର୍ଷିକ ପ୍ରାୟ ୩୩୦ ମିଲିୟନ ମୋବାଇଲ୍ ଫୋନ୍ ଉତ୍ପାଦନ କରୁଛି। ରପ୍ତାନି ଦୃଷ୍ଟିରୁ, ଭାରତର ମୋବାଇଲ୍ ଫୋନ୍ ରପ୍ତାନି ୨୦୨୪-୨୫ ରେ ୨ ଲକ୍ଷ କୋଟି ଏବଂ ୨୦୨୫-୨୬ ର ପ୍ରଥମ ପାଞ୍ଚ ମାସରେ ୧ ଲକ୍ଷ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।
ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୫:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ୯ମ ଇଣ୍ଡିଆ ମୋବାଇଲ୍ କଂଗ୍ରେସକୁ ଉଦଘାଟନ କରିବେ। ଏଥିରେ ୧୫୦ ଦେଶରୁ ୧.୫ ଲକ୍ଷରୁ ଅଧିକ ପରିଦର୍ଶକ, ୭,୦୦୦ ବିଶ୍ୱ ପ୍ରତିନିଧି ଏବଂ ୧୫୦ଟି ଦେଶର ୪୦୦ କମ୍ପାନୀ ଯୋଗ ଦେଉଛନ୍ତି। ଏହି ସମ୍ମିଳନୀରେ ୫ଜି, ୬ଜି, ଏଆଇ, ସ୍ମାର୍ଟ ମୋବିଲିଟି, ସାଇବର ସୁରକ୍ଷା ଏବଂ ସବୁଜ ପ୍ରଯୁକ୍ତିବିଦ୍ୟା ସମେତ ୧,୬୦୦ ରୁ ଅଧିକ ଉପଯୋଗ ମାମଲା ପ୍ରଦର୍ଶିତ କରାଯିବ।
ସରକାରୀ ପଦକ୍ଷେପ ଏବଂ ଭବିଷ୍ୟତ ଯୋଜନା:
ଉତ୍ପାଦନ-ସଂଯୋଜିତ ପ୍ରୋତ୍ସାହନ (ପିଏଲ୍ଆଇ), ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ ମ୍ୟାନୁଫ୍ୟାକଚରିଂ ସ୍କିମ୍ (ଇସିଏମ୍ଏସ୍) ଏବଂ ଏସ୍ପିଇସିଏସ୍ ଭଳି ଯୋଜନାଗୁଡ଼ିକ ସ୍ଥାନୀୟ ଉତ୍ପାଦନକୁ ବୃଦ୍ଧି କରିଛି ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଭାରତର ଭୂମିକାକୁ ସୁଦୃଢ଼ କରିଛି। ଜାତୀୟ ଇଲେକ୍ଟ୍ରୋନିକ୍ସ ନୀତି (ଏନ୍ପିଇ) ୨୦୧୯ ଭାରତକୁ ଏକ ବିଶ୍ୱ ଇଏସ୍ଡିଏମ୍ (ଇଲେକ୍ଟ୍ରୋନିକ୍ ସିଷ୍ଟମ୍ ଡିଜାଇନ୍ ଏବଂ ମ୍ୟାନୁଫ୍ୟାକଚରିଂ) ହବ୍ ଭାବରେ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି।
