ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଉପରେ ଅତିରିକ୍ତ ୧୦୦ ପ୍ରତିଶତ ଟାରିଫ ଲଗାଇବା ପରେ ଆକ୍ସନ ମୁଡ୍ରେ ଡ୍ରାଗନ । ବିରଳ ଖଣିଜ ପଦାର୍ଥ ଏବଂ ଅନ୍ୟ ସାମଗ୍ରୀର ରପ୍ତାନି ଉପରେ କଟକଣା ଲଗାଇଛି ଚୀନ୍ । ଏହାକୁ ବିଶ୍ୱର ସୁରକ୍ଷା ପାଇଁ ଏକ ବୈଧ ପଦକ୍ଷେପ ବୋଲି କହିଛି ଏବଂ ଆମେରିକାକୁ ଚେତାବନୀ ଦେଇଛି ଯେ, ଯଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ରପ୍ତାନି ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବା ନିଷ୍ପତ୍ତିରେ ଅଟଳ ରୁହନ୍ତି ତେବେ ଚୀନ ଆହୁରି କଠୋର ପଦକ୍ଷେପ ଗ୍ରହଣ କରିବ ।ଚୀନ ଗୁରୁବାର୍ ବିରଳ ପୃଥିବୀ ଖଣିଜ ପଦାର୍ଥ, ଲିଥିୟମ ବ୍ୟାଟେରୀ, ପ୍ରକ୍ରିୟାକରଣ ସହିତ ଜଡିତ ପ୍ରଯୁକ୍ତିବିଦ୍ୟା ଏବଂ ଉପକରଣର ରପ୍ତାନି ଉପରେ ନୂତନ କଟକଣା ଘୋଷଣା କରିଛି।
ଏହି ନୂଆ କଟକଣା ତୁରନ୍ତ ଲାଗୁ କରାଯାଇଛି । କିଛି ବିଦେଶୀ କମ୍ପାନୀ ଚୀନ୍ର ବିରଳ ଖଣିଜକୁ ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବେଜିଂ କହିଛି । ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ନଭେମ୍ବର ୧ ତାରିଖରୁ ଚୀନ୍ ସାମଗ୍ରୀ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଇଥିଲେ । ଏହା ପରେ ବିଶ୍ୱର ଦୁଇ ବୃହତ୍ତମ ଅର୍ଥନୀତି ମଧ୍ୟରେ ବାଣିଜ୍ୟ ଯୁଦ୍ଧ ପୁଣି ଆରମ୍ଭ ହୋଇଯାଇଛି ।
ଟ୍ରମ୍ପଙ୍କ ଧମକ ଦେଇ ଦୁଇ ଦେଶ ମଧ୍ୟରେ ସଂପର୍କରେ ଫାଟ ସୃଷ୍ଟି କରୁଛନ୍ତି ବୋଲି କହିଥିଲା ଚୀନ୍ ବାଣିଜ୍ୟ ମନ୍ତ୍ରଣାଳୟ । ଜାଣିଶୁଣି ଅଧିକ ଶୁଳ୍କ ଲାଗୁ କରିବାକୁ ଧମକ ଦେବା ଚୀନ୍ ସହିତ ସମ୍ପର୍କ ସ୍ଥାପନ କରିବାର ସଠିକ୍ ଉପାୟ ନୁହେଁ। ବାଣିଜ୍ୟ ଯୁଦ୍ଧ ଉପରେ ଚୀନ୍ର ସ୍ଥିତି ଅପରିବର୍ତ୍ତିତ ରହିଛି। ଆମେ ବାଣିଜ୍ୟ ଯୁଦ୍ଧ ଚାହୁଁନାହୁଁ, କିନ୍ତୁ ଆମେ ଏହାକୁ ଭୟ ମଧ୍ୟ କରୁନାହୁଁ। ଯଦି ଆମେରିକା ଭୁଲ ପଥ ଅବଲମ୍ବନ କରେ, ତେବେ ଚୀନ୍ ନିଶ୍ଚିତ ଭାବରେ ଏହାର ବୈଧ ଅଧିକାର ଏବଂ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଠୋସ୍ ପଦକ୍ଷେପ ଗ୍ରହଣ କରିବ ବୋଲି ବିବୃତ୍ତି ଜାରି କରି ଓ୍ବାଶିଂଟନକୁ ଚେତାବନୀ ଦେଇଥିଲା ବେଜିଂ ।
