ଆଇସିୟୁରେ ପୁଣି ଭର୍ତ୍ତି ହେଲେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାର

ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିଛି । ସେ କୋମାରେ ଥିବା ବେଳେ ଗତ ୨୪ ଘଣ୍ଟା ହେବ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଆସୁନି ବରଂ ଆହୁରି ସଙ୍କଟାପନ୍ନ ହେବାରେ ଲାଗିଛି । ଶନିବାର ସକାଳେ ତାଙ୍କୁ ପୁଣିଥରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇ ଭେଣ୍ଟିଲେସନ ସପୋର୍ଟରେ ରଖାଯାଇଛି ବୋଲି ଏମ୍‌ସ ପକ୍ଷରୁ ଜାରି ମେଡିକାଲ ବୁଲେଟିନ୍‌ରେ ସୂଚନା ଦିଆଯାଇଛି ।

ଗତ ମାସ ୨୫ ତାରିଖରେ ଅଭିଜିତଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଆସିଥିବା କୁହାଯାଇଥିଲା । ସେଥିପାଇଁ ତାଙ୍କୁ ଆଇସିୟୁରୁ ବାହାର କରାଯାଇ ସାଧାରଣ ୱାର୍ଡକୁ ଅଣାଯାଇଥିଲା । ହେଲେ ଆଜି ପୁଣି ସେ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କ ନ୍ୟୁରୋଲୋଜିକାଲ ସ୍ଥିତି ମଧ୍ୟ ଠିକ୍‌ ନାହିଁ । ସେଥିରେ କୌଣସି ସୁଧାର ଆସୁନି । ଏବେ ଶରୀରରେ ରକ୍ତ ସଂଚାଳନ ସ୍ୱାଭାବିକ କରିବାକୁ ଡାକ୍ତର ଲାଗିପଡ଼ିଛନ୍ତି । ଡାକ୍ତରଙ୍କ କହିବା କଥା, ଚିକିତ୍ସା ଜାରି ରହିଛି ।

ଏଭଳି ସ୍ଥିତିରେ କିଛି କହିହେବନି । ଅଭିଜିତ୍‌ଙ୍କ ସ୍ୱାସ୍ଥ୍ୟ ବିଗିଡିଯାଇଥିବା ଖବର ପାଇ ତାଙ୍କର ପ୍ରଶଂସକ ଓ ଅନ୍ୟ କଳାକାରମାନେ ଚିନ୍ତା ପ୍ରକଟ କରିବା ସହ ସୋସିଆଲ ମିଡିଆରେ ଆଶୁଆରୋଗ୍ୟ କାମନା କରିଛନ୍ତି । ପ୍ରକାଶ ଥାଉକି, ଅଭିଜିତ୍‌ଙ୍କୁ ଗୁରୁତର ଅବସ୍ଥାରେ ଗତ ସେପ୍ଟେମ୍ବର ୪ ତାରିଖରେ ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ଆସିବା ଦିନଠୁ ସେ କୋମାରେ ଅଛନ୍ତି । ବିଭିନ୍ନ ସମୟରେ ତାଙ୍କର ଏମଆର୍‌ଆଇ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କରାଯାଉଛି । ଯଦିଓ ଚିକିତ୍ସା ପରେ ତାଙ୍କର କିଡ୍‌ନୀ ଓ ଲିଭର୍‌ରେ ସୁଧାର ଆସିଥିଲା ହେଲେ କୋମାରୁ ଫେରିନାହାନ୍ତି ।

Leave a Reply

Your email address will not be published. Required fields are marked *