ଭାରତ ଗସ୍ତରେ କାନା଼ଡା ବୈଦେଶିକ ମନ୍ତ୍ରୀ; ପିଏମ ମୋଦିଙ୍କ ସହ କଲେ ସାକ୍ଷାତ

କାନାଡାର ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ସେ ଆଜି (ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଏହି ଗସ୍ତ ଦ୍ୱିପାକ୍ଷିକ ସହଭାଗୀତାକୁ ନୂତନ ଗତି ଦେବ। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ କାନାଡା ବୈଦେଶିକ ମନ୍ତ୍ରୀଙ୍କ ସହ ତାଙ୍କ ସାକ୍ଷାତର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, “କାନାଡା ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦଙ୍କୁ ସ୍ୱାଗତ। ପାରସ୍ପରିକ ବିକାଶ ଏବଂ ସମୃଦ୍ଧି ପାଇଁ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଶକ୍ତି, କୃଷି ଆଦାନ ପ୍ରଦାନରେ ସହଯୋଗକୁ ସୁଦୃଢ଼ ​​କରିବା ପାଇଁ ପଦକ୍ଷେପ ଉପରେ ଆଲୋଚନା ହୋଇଛି।”

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, “ପ୍ରଧାନମନ୍ତ୍ରୀ କାନାଡା ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦଙ୍କୁ ସ୍ୱାଗତ କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ଗସ୍ତ ଭାରତ-କାନାଡା ଦ୍ୱିପାକ୍ଷିକ ସହଭାଗୀତାକୁ ନୂତନ ଗତି ଦେବା ପାଇଁ ଚାଲିଥିବା ପ୍ରୟାସରେ ଯୋଗଦାନ ଦେବ।” ଚଳିତ ବର୍ଷ ମେ ମାସରେ କାନାଡାର ବୈଦେଶିକ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆନନ୍ଦଙ୍କ ଏହା ପ୍ରଥମ ଭାରତ ଗସ୍ତ । ବିବୃତ୍ତିରେ କୁହାଯାଇଛି ଯେ, ବୈଠକ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଚଳିତ ବର୍ଷ ଜୁନରେ G-7 ଶିଖର ସମ୍ମିଳନୀ ପାଇଁ ତାଙ୍କ କାନାଡା ଗସ୍ତକୁ ମନେ ପକାଇଥିଲେ ଏବଂ କହିଥିଲେ ଯେ ସେହି ସମୟରେ ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହିତ ତାଙ୍କର “ଅତ୍ୟନ୍ତ ଫଳପ୍ରଦ” ସାକ୍ଷାତ ହୋଇଥିଲା।

ତେବେ କାନାଡାର ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦଙ୍କ ଗସ୍ତକୁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ପୁନଃସ୍ଥାପନ କରିବା ଦିଗରେ ଏକ ପଦକ୍ଷେପ ଭାବରେ ଦେଖାଯାଉଛି, ଯାହା ୨୦୨୩ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଅଭିଯୋଗ ପରେ ବହୁତ ଖରାପ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *