ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନେକ ଫିଲ୍ମ ଆସିଲାଣି ସିନେମା ଘରକୁ, ଯେଉଁଥିରେ ରହିଛି ବେଶ୍ କେତେ ଜଣ ନାମୀ ତାରକାଙ୍କ ସିନେମା । ଯଦିଓ ଏସବୁ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ମାତ୍ର କେତୋଟି ଦେଶ-ବିଦେଶର ବକ୍ସ ଅଫିସ୍ରେ ବ୍ଳକବଷ୍ଟର୍ ସାବ୍ୟସ୍ତ ହୋଇଛି । ପୁଣି ଆଶ୍ଚର୍ଯ୍ୟର କଥା ଯେ ଏ ବର୍ଷ ଯେଉଁ ଅଭିନେତ୍ରୀଙ୍କ ଅଭିନୀତ ଫିଲ୍ମ ସଫଳ ହୋଇଛି, ସେଗୁଡ଼ିକ ମଧ୍ୟରୁ ଶୀର୍ଷ ୫ଟି ସ୍ଥାନ ତାଲିକାରେ ନାହିଁ ଦୀପିକା ପାଦୁକୋନ କିମ୍ବା ଆଲିଆ ଭଟ୍ଟଙ୍କ ନାଁ । ଯଦି ଏହି ଦି’ ଜଣ ନାମୀ ଅଭିନେତ୍ରୀଙ୍କ ନାଁ ନାହିଁ, ତା’ହେଲେ ଆଉ କେଉଁ ଅଭିନେତ୍ରୀ ଏହି ୫ ଶୀର୍ଷ ସ୍ଥାନ ହାସଲ କରିବାର ଗୌରବ ଲାଭ କରିଛନ୍ତି ଜାଣିବା ଏହି ଆଲେଖ୍ୟରୁ ।
ରଶ୍ମିକା ମନ୍ଦାନା
ପିରିୟଡ ଡ୍ରାମା ଫିଲ୍ମ ‘ଛାୱା’ ଏ ବର୍ଷର ସବୁଠୁ ଅଧିକ ରୋଜଗାର କରିଥିବା ସିନେମା । ବିକ୍କି କୌଶଲ ଏଥିରେ ମୁଖ୍ୟ ନାୟକ ଚରିତ୍ର ନିର୍ବାହ କରିଥିବାବେଳେ ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଛନ୍ତି ରଶ୍ମିକା ମନ୍ଦାନା । ‘ଛାୱା’ ବିଶ୍ୱବ୍ୟାପୀ ରୋଜଗାର କରିଛି ୮୦୦ କୋଟିରୁ ଅଧିକ ଟଙ୍କା । ଏହି କାରଣରୁ ରଶ୍ମିକା ଏ ବର୍ଷର ଶୀର୍ଷ ହିରୋଇନ୍ମାନଙ୍କ ମଧ୍ୟରେ ଅଛନ୍ତି ସବା ଉପର ସ୍ଥାନରେ ।
ଅନୀତ ପଡ୍ଡା
ମ୍ୟୁଜିକାଲ୍ ରୋମାଣ୍ଟିକ୍ କମେଡି ଫିଲ୍ମ ‘ସୈୟାରା’ରେ ଅଭିନୟ କରି ସିନେପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନର ଅଧିକାରିଣୀ ହୋଇଛନ୍ତି ଅନୀତ । ନବାଗତ ଅଭିନେତା ଅହାନ ପାଣ୍ଡେ ଓ ଅନୀତ ଷ୍ଟାରର ‘ସୈୟାରା’ ଦେଶ ବିଦେଶରେ ଖୁବ୍ ଲୋକପ୍ରିୟତା ସାଉଁଟିଛି । ଦର୍ଶକ ବିଶେଷକରି ନୂଆପିଢ଼ିର ସିନେପ୍ରେମୀ ଏ ଫିଲ୍ମଟିକୁ ଭରପୂର ଭଲପାଇବା ଦେଇଛନ୍ତି ଓ ଏହା ବ୍ଲକବଷ୍ଟର୍ ସାବ୍ୟସ୍ତ ହୋଇଛି । ଫିଲ୍ମ ସଫଳତା ଲାଭ କରିବା ସହିତ ଅନୀତଙ୍କ ଅଭିନୟକୁ ସବୁଆଡ଼ୁ ମିଳିଛି ଭୁରି ଭୁରି ପ୍ରଶଂସା । ବଲିଉଡ ହଙ୍ଗାମାର ରିପୋର୍ଟ ଅନୁସାରେ, ‘ସୈୟାରା’ ବିଶ୍ୱବ୍ୟାପୀ କଲେକ୍ସନ କରିଛି ୫୭୯.୨୩ କୋଟି ଟଙ୍କା । ଏ ଦୃଷ୍ଟିରୁ ଅନୀତ ପଡ୍ଡା ୨୦୨୫ରେ ବକ୍ସ ଅଫିସ୍ରେ ନିଜର ଦବଦବା ରଖିଥିବା ଅଭିନେତ୍ରୀଙ୍କ ତାଲିକାରେ ଲାଭ କରିଛନ୍ତି ଦ୍ୱିତୀୟ ସ୍ଥାନ ।
କିଆରା ଆଡଭାନୀ
ଅଭିନେତ୍ରୀ କିଆରା ଆଡଭାନୀ ଏ ତାଲିକାରେ ଅଛନ୍ତି ତୃତୀୟ ସ୍ଥାନରେ । ଅୟନ ମୁଖାର୍ଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ୱାଇଆର୍ଏଫ୍ ସ୍ପାଇ ୟୁନିଭର୍ସ ବ୍ୟାନରର ଫିଲ୍ମ ‘ୱାର ୨’ ଏ ବର୍ଷର ସବୁଠୁ ସଫଳ ଫିଲ୍ମଗୁଡ଼ିକ ମଧ୍ୟରୁ ଅନ୍ୟତମ । ଏ ଫିଲ୍ମରେ ଋତ୍ୱିକ ରୋଶନ, ଜୁନିୟର ଏନ୍ଟିଆର୍ ଓ କିଆରା ଆଡଭାନୀ ନଜର ଆସିଛନ୍ତି । ଆରମ୍ଭରେ ଏ ଫିଲ୍ମ ଖୁବ୍ ବଢ଼ିଆ ରୋଜଗାର କରିଥିଲା କିନ୍ତୁ ପରେ ଏହାର ବ୍ୟବସାୟ କମିବାରେ ଲାଗିଲା ଓ ଆଶାନୁରୂପ କଲେକ୍ସନ କରିବାରେ ବିଫଳ ହେଲା । ବଲିଉଡ ହଙ୍ଗାମା ପକ୍ଷରୁ ପ୍ରଦତ୍ତ ରିପୋର୍ଟ ଅନୁସାରେ, ବିଶ୍ୱବ୍ୟାପୀ ‘ୱାର ୨’ର ବ୍ୟବସାୟ ଥିଲା ୩୦୩.୨୨ କୋଟି ଟଙ୍କା ।
ଜେନେଲିଆ ଡିସୁଜା
ଏ ବର୍ଷ ରିଲିଜ ହୋଇଥିଲା ଆମୀର ଖାନ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସିତାରେ ଜମିନ ପର’ । ଏ ଫିଲ୍ମ ଜରିଆରେ ବଡ଼ ପରଦାକୁ କମ୍ବ୍ୟାକ କରିଥିଲେ ମିଷ୍ଟର ପର୍ଫେକ୍ସନିଷ୍ଟ ଆମୀର । କେବଳ ଆମୀର କାହିଁକି, ଏହି ଫିଲ୍ମ ଜରିଆରେ ଦୀର୍ଘ ଦିନ ପରେ ହିନ୍ଦୀ ଫିଲ୍ମକୁ ଲେଉଟାଣି କରିଥିଲେ ଅଭିନେତ୍ରୀ ଜେନେଲିଆ ଡିସୁଜା । ଏ ଫିଲ୍ମକୁ ଢେର୍ ପସ୍ଦ କରିଥିଲେ ଦର୍ଶକ । ବଲିଉଡ ହଙ୍ଗାମା ପ୍ରଦତ୍ତ ରିପୋର୍ଟ ଅନୁସାରେ ‘ସିତାରେ ଜମିନ ପର’ର ବିଶ୍ୱବ୍ୟାପୀ ବ୍ୟବସାୟ ଥିଲା ୨୬୬.୪୯ କୋଟି ଟଙ୍କା । ବ୍ୟବସାୟ ମାମଲାରେ ଏ ବର୍ଷର ଚତୁର୍ଥ ବଡ଼ ଫିଲ୍ମ ହୋଇଥିବାରୁ ଏହାର ଅଭିନେତ୍ରୀ ଜେନେଲିଆ ଡିସୁଜା ମଧ୍ୟ ଲୋକପ୍ରିୟ ଅଭିନେତ୍ରୀଙ୍କ ତାଲିକାରେ ଚତୁର୍ଥ ସ୍ଥାନ ଲାଭ କରିଛନ୍ତି ।
ବାଣୀ କପୁର
ଅଜୟ ଦେବଗନ ଅଭିନୀତ ‘ରେଡ ୨’ରେ ମୁଖ୍ୟ ନାୟିକା ଚରିତ୍ର ନିର୍ବାହ କରିଥିଲେ ବାଣୀ କପୁର । ଏହି ଫିଲ୍ମକୁ ମଧ୍ୟ ବେଶ୍ ପସନ୍ଦ କରିଥିଲେ ଦର୍ଶକ । ଶୁଭମୁକ୍ତିର ପାଞ୍ଚ ଦିନରେ ହିଁ ‘ରେଡ ୨’ ନିଜର ବଜେଟ ଅସୁଲ କରିନେଇଥିଲା । ଫିଲ୍ମର ବ୍ୟବସାୟ କଥା ଯଦି ଆଲୋଚନା କରାଯାଏ, ତା’ହେଲେ ବଲିଉଡ ହଙ୍ଗାମାର ହିସାବ ମୁତାବକ ‘ରେଡ ୨’ ସମଗ୍ର ବିଶ୍ୱରେ ୨୪୩.୦୬ କୋଟି ଟଙ୍କା ବ୍ୟବସାୟ କରିଥିଲା । ଏହା ସହିତ ବାଣୀ କପୁରଙ୍କୁ ମିଳିଥିଲା ପଞ୍ଚମ ସ୍ଥାନ ।
