ଇଲେକ୍ଟ୍ରିକ୍ ଯାନବାହନ (EVs)କୁ ପ୍ରୋତ୍ସାହିତ କରିବା ପାଇଁ ଭାରତର ସବସିଡି ଉପରେ ଚୀନ୍ ଅସନ୍ତୋଷ ପ୍ରକାଶ କରିଛି। ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଚୀନ୍ ବୁଧବାର ବିଶ୍ୱ ବାଣିଜ୍ୟ ସଂଗଠନ (WTO)ରେ ଭାରତ ବିରୁଦ୍ଧରେ ଏକ ଅଭିଯୋଗ ଦାଖଲ କରିଛି। ଚୀନ୍ ଦାବି କରୁଛି ଯେ, ଭାରତର ଅତ୍ୟଧିକ ସବସିଡି ଏହାର ଘରୋଇ କମ୍ପାନୀଗୁଡ଼ିକୁ ଅନୁଚିତ ଲାଭ ଦେଉଛି । ଯାହା ଭାରତରେ ଚୀନ୍ ବୈଦ୍ୟୁତିକ ଯାନ ଉତ୍ପାଦଗୁଡ଼ିକର ବିକ୍ରୟକୁ ପ୍ରଭାବିତ କରୁଛି। ଏହା ଚୀନର ସ୍ୱାର୍ଥରେ କ୍ଷତି ପହଞ୍ଚାଉଛି ।
ଚୀନର ବାଣିଜ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଦେଶ ନିଜର ଶିଳ୍ପଗୁଡ଼ିକର ଅଧିକାରକୁ ସୁରକ୍ଷା ଦେବା ପାଇଁ ଦୃଢ଼ ପଦକ୍ଷେପ ନେବ। ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରମୁଖ ଦେଶମାନଙ୍କ ମଧ୍ୟରେ ଭାରତ ଇଲେକ୍ଟ୍ରିକ୍ କାର ଉପରେ ସର୍ବାଧିକ ସବସିଡି ପ୍ରଦାନ କରେ। ଉଦାହରଣ ସ୍ୱରୂପ, ଭାରତର ସର୍ବାଧିକ ବିକ୍ରୟ ହେଉଥିବା ଇଲେକ୍ଟ୍ରିକ୍ ଯାନ ଟାଟା ନେକ୍ସନ୍ ଲାଗି ଉଭୟ କ୍ରେତା ଏବଂ ନିର୍ମାତାଙ୍କ ମଧ୍ୟରେ ମିଳିତ ଭାବରେ ୪୬% ସବସିଡି ମିଳୁଛି । ଭାରତରେ ଇଭିକୁ ମିଳୁଥିବା ଲାଭ ମଧ୍ୟରେ କମ୍ ଜିଏସଟି, ପେଟ୍ରୋଲ ଏବଂ ଡିଜେଲ ଯାନ ତୁଳନାରେ କମ୍ ରୋଡ୍ ଟ୍ୟାକ୍ସ ଏବଂ କମ୍ପାନୀଗୁଡ଼ିକ ପାଇଁ PLI (ଉତ୍ପାଦନ-ସଂଯୁକ୍ତ ପ୍ରୋତ୍ସାହନ) ଯୋଜନା ଅନ୍ତର୍ଭୁକ୍ତ।
ଇଭି ଯାନକୁ ପ୍ରୋତ୍ସାହିତ କରିବା ପାଇଁ, ଭାରତ ସରକାର କେବଳ ଯାନବାହନ ଉପରେ ନୁହେଁ ବରଂ ଚାର୍ଜିଂ ଭିତ୍ତିଭୂମି ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଇ-ଡ୍ରାଇଭ୍ ଯୋଜନା ଅଧୀନରେ କେନ୍ଦ୍ର ସରକାର ସାର୍ବଜନୀନ ଫାଷ୍ଟ-ଚାର୍ଜିଂ ଷ୍ଟେସନ ନିର୍ମାଣର ୮୦ ପ୍ରତିଶତ ପର୍ଯ୍ୟନ୍ତ ଖର୍ଚ୍ଚ ବହନ କରୁଛନ୍ତି। କେତେକ କ୍ଷେତ୍ରରେ ଏହି ସବସିଡି ୧୦୦% ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିପାରେ। ଏହି ଯୋଜନା ଅଧୀନରେ ଟଙ୍କା ତିନୋଟି କିସ୍ତିରେ ପ୍ରଦାନ କରାଯାଏ । ଟେଣ୍ଡର ଜିତିବା ପରେ ୩୦%, ଷ୍ଟେସନ ସ୍ଥାପନ କରିବା ପରେ ୪୦% ଏବଂ ବାକି ରାଶି ବାଣିଜ୍ୟିକ କାର୍ଯ୍ୟ ଆରମ୍ଭ ହେବା ପରେ ମିଳେ । ଇ-ଟ୍ରକ୍, ଇ-ଆମ୍ବୁଲାନ୍ସ ଏବଂ ଇ-ବସ୍ ଚାର୍ଜିଂ ଭିତ୍ତିଭୂମି (ଚାର୍ଜିଂ ଷ୍ଟେସନ) ଗୁଡ଼ିକୁ ମାର୍ଚ୍ଚ ୩୧, ୨୦୨୮ ପର୍ଯ୍ୟନ୍ତ ସବସିଡି ମିଳିବ। ଇ-ବାଇକ୍, ଇ-ରିକ୍ସା, ତିନି ଚକିଆ ଯାନ ଏବଂ ଇ-କାର୍ଟ ଉପରେ ସରକାରୀ ସବସିଡି ମାର୍ଚ୍ଚ ୨୦୨୬ ପରେ ବନ୍ଦ ହୋଇଯିବ ।
ଅଧିକ ସବସିଡି ସତ୍ତ୍ୱେ ଭାରତରେ ବୈଦ୍ୟୁତିକ ଯାନ ବ୍ୟବହାର କମ ରହିଛି । ମୋଟ ଯାନବାହନ ବଜାରର କେବଳ ୨% ହେଉଛି ଇଭି । ଅନ୍ୟ ଦେଶ ତୁଳନାରେ ସର୍ବନିମ୍ନ । ଏହାର ଅର୍ଥ ହେଉଛି ଯେ, ସରକାର ପ୍ରଚୁର ନିବେଶ କରୁଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ଇଭି ସମ୍ପୂର୍ଣ୍ଣ ଭାବରେ ଉପଲବ୍ଧ ନାହିଁ।
