ପାକିସ୍ତାନ ସେନା ଶିବିର ଉପରେ ଆତ୍ମଘାତୀ ଆକ୍ରମଣ; ୭ ସୈନିକଙ୍କ ମୃତ୍ୟୁ, ୧୩ ଆହତ

ପାକିସ୍ତାନର ଓ ଆଫଗାନିସ୍ତାନ ସୀମା ନିକଟରେ ଥିବା ଉତ୍ତର ୱାଜିରିସ୍ତାନର ଏକ ସେନା ଶିବିର ଉପରେ ଏକ ଆତ୍ମଘାତୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ସାତ ଜଣ ସୈନିକଙ୍କ ମୃତ୍ୟୁ ଘଟିବା ସହ ୧୩ ଜଣ ସେନା କର୍ମଚାରୀ ଆହତ ହୋଇଛନ୍ତି। ତେବେ ପାକିସ୍ତାନର ଅଧିକାରୀମାନେ ଏହି ଆକ୍ରମଣରେ ସେମାନଙ୍କର କୌଣସି ସୈନିକଙ୍କ ମୃତ୍ୟୁ ହୋଇନାହିଁ ବୋଲି ଦାବି କରିଛନ୍ତି।

ଆନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସ ଅନୁଯାୟୀ, ଆକ୍ରମଣକାରୀମାନେ ମୀର ଅଲି ଅଞ୍ଚଳରେ ଥିବା ଏକ ସେନା ଶିବିରର କାନ୍ଥରେ ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ିକୁ ଧକ୍କା କରିଥିଲେ। ଗାଡ଼ି ଚଲାଉଥିବା ଆକ୍ରମଣକାରୀ ମଧ୍ୟ ବିସ୍ଫୋରଣରେ ପ୍ରାଣ ହରାଇଥିଲେ। ସେତେବେଳେ ତିନି ଜଣ ଆତଙ୍କବାଦୀ ଶିବିର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ତେବେ ସେନାର ପାଲଟା କାର୍ଯ୍ୟାନୁଷ୍ଠାନରେ ସେମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ମୀର ଅଲିରେ ସୁରକ୍ଷା ବାହିନୀ ଉପରେ ହୋଇଥିବା ଏହି ଆତ୍ମଘାତୀ ଆକ୍ରମଣ ପାଇଁ ତେହରିକ-ଏ-ତାଲିବାନ ପାକିସ୍ତାନ (TTP) ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିଛି। ଏନେଇ ଟିଟିପି କହିଛି ଯେ ଏହାର ଖାଲିଦ ବିନ୍ ୱାଲିଦ ଆତ୍ମଘାତୀ ଦଳ ଏବଂ ତେହରିକ ତାଲିବାନ ଗୁଲବାହାର ଏହି ଆକ୍ରମଣ କରିଛନ୍ତି।

ସ୍ଥାନୀୟ ଗଣମାଧ୍ୟମ ଜାରି କରିଥିବା ସୂଚନା ଅନୁସାରେ, ଅତିରିକ୍ତ ସୁରକ୍ଷା ପାଇଁ ପାକିସ୍ତାନୀ ସେନା ଉକ୍ତ ଅଞ୍ଚଳରେ ଆଟାକ୍ ହେଲିକପ୍ଟର ମୁତୟନ କରିଛି। ଏହା ଗତ କିଛି ମାସ ମଧ୍ୟରେ ଉତ୍ତର ୱାଜିରିସ୍ତାନରେ ହୋଇଥିବା ସବୁଠାରୁ ବଡ଼ ଆକ୍ରମଣ ମଧ୍ୟରୁ ଗୋଟିଏ ବୋଲି ଅନୁମାନ କରାଯାଉଛି।

ଗତ କିଛି ସପ୍ତାହ ମଧ୍ୟରେ ଉତ୍ତର ୱାଜିରିସ୍ତାନ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବିଦ୍ରୋହୀଙ୍କ ଆକ୍ରମଣ ବୃଦ୍ଧି ପାଇଛି। ଯାହା ଦ୍ୱାରା ସୁରକ୍ଷା ବାହିନୀ ରହୁଥିବା ଅଞ୍ଚଳମାନଙ୍କରେ ସତର୍କତା ବଢାଇ ଦିଆଯାଇଛି। ଲଗାତାର ହୋଇ ଆସୁଥିବା ଏହି ଆକ୍ରମଣରେ ଆଫଗାନିସ୍ତାନରେ ଥିବା ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ସାମିଲ ରହିଥିବା ନେଇ ପାକିସ୍ତାନ ଦାବି କରିଆସୁଛି। ତେବେ ପାକ୍ ର ଏହି ଅଭିଯୋଗକୁ ଆଫଗାନ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି।

୨୦୨୧ ମସିହାରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରଠାରୁ, TTP ପାକିସ୍ତାନୀ ସୁରକ୍ଷା ବାହିନୀ ବିରୁଦ୍ଧରେ ଗରିଲା ଯୁଦ୍ଧ ଚଳାଇ ରଖିଛି। ଗତ ବାର ବର୍ଷ ମଧ୍ୟରେ TTPକୁ ପାକିସ୍ତାନ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦୀ ବିପଦ ବୋଲି ବିବେଚନା କରାଯାଉଛି। ଏନେଇ ପାକିସ୍ତାନ ଅଭିଯୋଗ କରିଛି ଯେ TTP ଲଢ଼ୁଆମାନେ ଆଫଗାନିସ୍ତାନରେ ସୀମା ପାର କରି ତାଲିମ ଗ୍ରହଣ କରିଥାନ୍ତି। ତାଲିମ ସଂପୂର୍ଣ୍ଣ ହେବା ପରେ ସେମାନେ ପୁଣି ପାକିସ୍ତାନକୁ ଫେରିଆସିବା ସହ ଏହି ପ୍ରକାରର ଆକ୍ରମଣକୁ ରୁପରେଖ ଦେଇଥାନ୍ତି।

ତେବେ, ଆତଙ୍କୀ TTP ଦଳକୁ ତାଲିବାନ ସମର୍ଥନ କରେ ନାହିଁ ବୋଲି ଦିର୍ଘ ଦିନ ହେବ ଦାବି କରି ଆସୁଛି। ପାକିସ୍ତାନ ଇନିଷ୍ଟିଟ୍ୟୁଟ ଫର୍ ପିସ୍ ଷ୍ଟଡିଜ୍ ଅନୁଯାୟୀ, ୨୦୧୫ ପରଠାରୁ ଦେଶରେ ଆତଙ୍କବାଦୀ ଆକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଜାରି ରହିଥିବା ଏହି ଆକ୍ରମଣ ମଧ୍ୟରୁ TTP ସିଂହଭାଗ ଆକ୍ରମଣ କରିଛି ବୋଲି ଜଣାପଡିଛି। ଗ୍ଲୋବାଲ୍ ଟେରୋରିଜ୍ ଇଣ୍ଡେକ୍ସ ଅନୁଯାୟୀ, ଏହି ଆକ୍ରମଣ ପାକିସ୍ତାନକୁ ଆତଙ୍କବାଦ ଦ୍ୱାରା ପ୍ରଭାବିତ ଦେଶ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଠେଲି ଦେଇଛି।

Leave a Reply

Your email address will not be published. Required fields are marked *