ଆଫଗାନିସ୍ତାନକୁ ଚେତାବନୀ ଦେଲେ ଅସୀମ ମୁନିର; ପ୍ରତିଆକ୍ରମଣର ଜବାବ ଫେରାଇଲା ତାଲିବାନ

ଦୁଇ ପଡୋଶି ଦେଶ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ଏହି ପରିପ୍ରେକ୍ଷିରେ ପାକିସ୍ତାନର ସେନା ମୁଖ୍ୟ ତଥା ଫିଲ୍ଡ ମାର୍ଶାଲ ଅସୀମ ମୁନିର, ଆଫଗାନିସ୍ତାନକୁ ଶାନ୍ତି ଏବଂ ଅଶାନ୍ତି ମଧ୍ୟରୁ ଗୋଟିଏ ରାସ୍ତା ବାଛିବାକୁ ଚେତାବନୀ ଦେଇଛନ୍ତି। ସେ ତାଲିବାନକୁ ପାକିସ୍ତାନ ଭିତରେ ଆକ୍ରମଣ କରିବା ପାଇଁ ଆଫଗାନିସ୍ତାନ ମାଟି ବ୍ୟବହାର କରୁଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ ଦୃଢ଼ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ସମ୍ପ୍ରତି ଉଭୟ ଦେଶ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଏବଂ ବିମାନ ଆକ୍ରମଣ ପରେ, ଦୁଇ ଦେଶର ପ୍ରତିନିଧିମାନେ ଆଜି ଦୋହାରେ ଶାନ୍ତି ଆଲୋଚନା ପାଇଁ ପରସ୍ପରକୁ ସାକ୍ଷାତ କରିବାକୁ ଯାଉଛନ୍ତି।

ଏହାରି ମଧ୍ୟରେ, ତାଲିବାନ ସରକାର ସ୍ପଷ୍ଟ ଭାବରେ କହିଛି ଯେ ଆଫଗାନିସ୍ତାନକୁ ପାକିସ୍ତାନର ବିମାନ ଆକ୍ରମଣର ଜବାବ ଦେବାପାଇଁ ସମ୍ପୂର୍ଣ୍ଣ ଅଧିକାର ରହିଛି। ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି ଯେ ଆଫଗାନିସ୍ତାନ ଶାନ୍ତି ଏବଂ ଆଲୋଚନା ପାଇଁ ପ୍ରତିବଦ୍ଧ, କିନ୍ତୁ ସାମ୍ପ୍ରତିକ ଘଟଣାଗୁଡ଼ିକ ପାକିସ୍ତାନର ଆକ୍ରମଣ ଯୋଗୁଁ ହୋଇଛି।

ଏନେଇ ମୁଜାହିଦ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ ଜାରି କରି କହିଛନ୍ତି ଯେ, ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି ଦୋହାରେ ପାକିସ୍ତାନ ସହିତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ମୌଲବୀ ମହମ୍ମଦ ୟାକୁବ ମୁଜାହିଦଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଦୋହା ଅଭିମୁଖେ ଯାତ୍ରା କରିସାରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଆଲୋଚନା ପୂର୍ବରୁ, ଗତକାଲି ରାତିରେ ପାକିସ୍ତାନୀ ସେନା ପକ୍ତିକା ପ୍ରଦେଶର ସାଧାରଣ ନାଗରିକ ରହୁଥିବା ଅଞ୍ଚଳ ଉପରେ ଆଉ ଏକ ବିମାନ ଆକ୍ରମଣ କରିଥିଲା। ଯାହା ଫଳରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ଏକାଧିକ ଲୋକ ଆହତ ହୋଇଥିଲେ। ତାଲିବାନ ଏହି ଆକ୍ରମଣଗୁଡ଼ିକୁ ଆଫଗାନିସ୍ତାନର ସାର୍ବଭୌମତ୍ୱର ଉଲ୍ଲଙ୍ଘନ ବୋଲି କହି ଏହାର କଡା ନିନ୍ଦା କରିଛି।

ଆଫଗାନିସ୍ତାନର ସ୍ଥାନୀୟ ଗଣମାଧ୍ୟମ ଟୋଲୋ ନ୍ୟୁଜ୍ ଅନୁଯାୟୀ, ଏହି ସମୟରେ ଏକ ପାକିସ୍ତାନୀ ପ୍ରତିନିଧି ଦଳ ମଧ୍ୟ ଦୋହାରେ ପହଞ୍ଚିଛନ୍ତି। ଯେଉଁଥିରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଏବଂ ଗୁପ୍ତଚର ମୁଖ୍ୟ ଅସୀମ ମଲ୍ଲିକ ମଧ୍ୟ ସାମିଲ ରହିଛନ୍ତି। ରିପୋର୍ଟ ଅନୁଯାୟୀ, କାନ୍ଦାହାରର ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ ଆଫଗାନ ସୀମାନ୍ତ ବାହିନୀ ଏବଂ ପାକିସ୍ତାନୀ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ସ୍ପିନ୍ ବୋଲଡାକ୍ ଅଞ୍ଚଳର ପ୍ରାୟ ୨୦ ହଜାରରୁ ଉର୍ଦ୍ଧ ପରିବାରକୁ ସେମାନଙ୍କ ଘର ଛାଡିବାକୁ ବାଧ୍ୟ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ପାକିସ୍ତାନ ଦ୍ୱାରା ନିରନ୍ତର ଭାବେ କରାଯାଉଥିବା ବୋମାମାଡ଼ ଯୋଗୁଁ, ସ୍ଥାନୀୟ ଲୋକମାନେ ମରୁଭୂମି ଅଞ୍ଚଳ ଏବଂ ଅନ୍ୟାନ୍ୟ ଅସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଉଛନ୍ତି। ଯେଉଁଠାରେ ମୌଳିକ ସୁବିଧାର ମଧ୍ୟ ଅଭାବ ରହିଛି। ଏହି ବିସ୍ଥାପିତ ପରିବାରଗୁଡ଼ିକୁ ସାହାଯ୍ୟ କରିବା ପାଇଁ ତାଲିବାନ ସରକାର ପକ୍ଷରୁ ପ୍ରୟାସ ଜାରି ରହିଛି।

Leave a Reply

Your email address will not be published. Required fields are marked *