ବିଜୟର ଅତି ନିକଟତର ହୋଇଥିଲା ଭାରତ, ମାତ୍ର ଅନ୍ତିମ ଭାଗରେ ବ୍ୟାଟରମାନେ ଧୈର୍ଯ୍ୟହରା ହେବାରୁ ଜିତିବା ମ୍ୟାଚ୍ ହାତରୁ ଖସିଗଲା । ଇଂଲଣ୍ଡ ମାତ୍ର ୪ ରନ୍ରେ ବିଜୟୀ ହୋଇ ଚଳିତ ମହିଳା ଦିନିକିଆ ବିଶ୍ୱକପ୍ରେ ତୃତୀୟ ଦଳ ଭାବେ ସେମି ଫାଇନାଲ୍ରେ ପ୍ରବେଶ କରିଥିଲା । ଭାରତ କ୍ରମାନ୍ୱୟରେ ତୃତୀୟ ମ୍ୟାଚ୍ରେ ପରାଜିତ ହୋଇଛି ।
ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ହିଥର ନାଇଟ୍ଙ୍କ ଶତକ ବଳରେ ୮/୨୮୮ରନ୍ କରିଥିଲା । ଜବାବରେ ଭାରତ ୬ ୱିକେଟ୍ ବିନିମୟରେ ୨୮୪ ରନ୍ରେ ସୀମିତ ରହିଥିଲା । କ୍ୟାରିୟରରେ ଦ୍ୱିତୀୟ ଦିନିକିଆ ଶତକ ଅର୍ଜନ କରିଥିବା ନାଇଟ୍ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ଓପନିଂ ଯୋଡ଼ି ଟାମି ବ୍ୟୁମୋଣ୍ଟ ଓ ଆମି ଜୋନ୍ସ ୭୩ରନ୍ର ଭାଗିଦାରୀ ଗଠନ କରି ଦଳର ମୂଳଦୁଆ ଗଢ଼ିଥିଲେ । ୧୬ତମ ଓଭରରେ ଯୋଡ଼ି ଭାଙ୍ଗିଥିଲେ ଦୀପ୍ତି ଶର୍ମା । ବ୍ୟୁମୋଣ୍ଟ ୨୨ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ହିଥର ନାଇଟ୍ କ୍ରିଜରେ ଯୋଗଦେଇ ଦର୍ଶନୀୟ ସଟ୍ମାନ ଖେଳିଥିଲେ । ଅନ୍ୟ ପଟରେ ଜୋନ୍ସ ଅର୍ଦ୍ଧଶତକ ପୂରଣ କରିବା ପରେ ଦୀପ୍ତିଙ୍କ ଦ୍ୱିତୀୟ ଶିକାର ସାଜିଥିଲେ । ସେ ୮ଚୌକା ବଳରେ ୫୬ରନ୍ କରିଥିଲେ । ପରବର୍ତ୍ତୀ ବ୍ୟାଟର ଅଧିନାୟିକା ନାତାଲି ସ୍କିଭର-ବ୍ରଣ୍ଟ୍ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଥିଲେ । ମାତ୍ର ନାଇଟ୍ ଭାରତୀୟ ବୋଲରଙ୍କୁ ନିର୍ମମ ପ୍ରହାର କରି ଲୟ ବିଗାଡ଼ି ଦେଇଥିଲେ । ତୃତୀୟ ୱିକେଟରେ ସଂଗୃହୀତ ହୋଇଥିଲା ୧୧୩ ରନ୍ । ଦଳୀୟ ସ୍କୋର ୨୧୧ରେ ସ୍କିଭର-ବ୍ରଣ୍ଟ୍ଙ୍କ (୩୮) ୱିକେଟର ପତନ ଘଟିଥିଲା । ଏହାପରେ ଭାରତୀୟ ବୋଲର ମାପଚୁପ ବୋଲିଂ କରି ରନ୍ ଗତିରେ ଅଙ୍କୁଶ ଲଗାଇଥିଲେ । ଇଂଲଣ୍ଡ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲେ ହେଁ ନାଇଟ୍ ୮୬ବଲ୍ରେ ଶତକ ପୂରଣ କରିଥିଲେ । ସେ ୧୫ଚୌକା ଓ ୧ଛକା ବଳରେ ୧୦୯ରନ୍ କରିବା ଫଳରେ ଦଳୀୟ ସ୍କୋର ୮/୨୮୮ରେ ପହଞ୍ଚି ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୋଫିଆ ଡଙ୍କ୍ଲୀ ୧୫, ଏମ୍ମା ଲାମ୍ବ ୧୧, ଚାର୍ଲି ଡିନ୍ ଅପରାଜିତ ୧୯ରନ୍ କରିଥିଲେ । ଭାରତ ପକ୍ଷରୁ ଦୀପ୍ତି ୪ଟି ଓ ଶ୍ରୀଚରଣୀ ୨ଟି ୱିକେଟ୍ ଅକ୍ତିଆର କରିଥିଲେ ।
୨୮୯ରନ୍ ବିଜୟ ଲକ୍ଷ୍ୟର ପିଛା କରି ଭାରତ ୧୩ରନ୍ ମଧ୍ୟରେ ଓପନର ପ୍ରତୀକା ରାୱଲଙ୍କ (୫) ୱିକେଟ୍ ହରାଇଥିଲା । ହର୍ଲିନ ଦେଉଲ ଅନ୍ୟ ଓପନର ସ୍ମୃତି ମନ୍ଧନାଙ୍କ ସହ ମିଶି ସ୍କୋରକୁ ୪୨ରେ ପହଞ୍ଚାଇଥିଲେ । ଦଶମ ଓଭରରେ ହର୍ଲିନ ବ୍ୟକ୍ତିଗତ ୨୪ରନ୍ରେ ପାଭିଲିୟନ ଫେରିଥିଲେ । ଅଧିନାୟିକା ହର୍ମନପ୍ରୀତ କୌର କ୍ରିଜରେ ଯୋଗ ଦେବା ପରେ ସ୍କୋର ଦ୍ରୁତ ବେଗରେ ଆଗେଇ ଥିଲା । ସେ ମନ୍ଧନାଙ୍କ ସହ ମିଶି ଶତକୀୟ ଭାଗିଦାରୀ ଗଠନ କରିଥିଲେ । ଉଭୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଦଳୀୟ ସ୍କୋର ୧୬୭ରେ ହର୍ମନପ୍ରୀତଙ୍କ ୱିକେଟର ପତନ ଘଟିଥିଲା । ସେ ୧୦ଚୌକା ବଳରେ ୭୦ରନ୍ କରି ପାଭିଲିୟନ ଲେଉଟିଥିଲେ । ଅଲରାଉଣ୍ଡର ଦୀପ୍ତି ଶର୍ମା ମଧ୍ୟ ସାହସିକ ବ୍ୟାଟିଂ କରିଥିଲେ । ଚତୁର୍ଥ ୱିକେଟରେ ୬୭ରନ୍ ସଂଗୃହୀତ ହୋଇଥିଲା । ଶେଷରେ ଧୈର୍ଯ୍ୟ ହରାଇଥିଲେ ମନ୍ଧନା । ସେ ୮୮ (୮ଚୌକା) ରନ୍ କରି ଫେରିଥିଲେ ।
୪୬ବଲ୍ରେ ଭାରତକୁ ବିଜୟ ପାଇଁ ଆଉ ୫୪ରନ୍ ଆବଶ୍ୟକ ହେଉଥିଲା । ୱିକେଟକିପର ବ୍ୟାଟର ରିଚା ଘୋଷଙ୍କ ଉପରେ ସମସ୍ତେ ଭରସା ରଖିଥିଲେ । ମାତ୍ର ସେ ୮ରନ୍ କରି ଆଉଟ୍ ହେବା ସହ ଭାରତ ୨୫୬ରନ୍ରେ ପଞ୍ଚମ ୱିକେଟ୍ ହରାଇଥିଲା । ପରେ ପରେ ଦୀପ୍ତି (୫୦) ଅର୍ଦ୍ଧଶତକ ପୂରଣ କରିବା ପରେ ବେପୟବାୟ ସଟ୍ ଖେଳି ଆଉଟ୍ ହୋଇଥିଲେ । ଦୁଇ ଅଲରାଉଣ୍ଡର ଅମନଜୋତ କୌର ଓ ସ୍ନେହ ରାଣା ଦଳକୁ ବିଜୟ ନିକଟତର କରାଇଥିଲେ । ଅନ୍ତିମ ଓଭରରେ ବିଜୟ ପାଇଁ ଆଉ ୧୪ରନ୍ ଆବଶ୍ୟକ ହେଉଥିବାବେଳେ ଉଭୟ ୯ରନ୍ ସଂଗ୍ରହ କରିଥିଲେ ଏବଂ ଭାରତ ୪ରନ୍ରେ ପରାଜିତ ହୋଇଥିଲା । ଅମନଜୋତ ୧୮ ଓ ସ୍ନେହ ୧୦ରନ୍ କରି ଅପରାଜିତ ଥିଲେ ।
