ଆମେରିକା ମଧ୍ୟସ୍ଥତାରେ ଇସ୍ରାଏଲ ଓ ହମାସ ଭିତରେ ହୋଇଥିବା ଯୁଦ୍ଧବିରତି ଉପରେ କଳା ବାଦଲ ଘନେଇଛି । ଉଭୟେ ପରସ୍ପର ଅସ୍ତ୍ରବିତରି ଉଲ୍ଲଂଘନ ଅଭିଯୋଗ ଆଣି ଆକ୍ରମଣ କରିଛନ୍ତି । ହମାସ୍ ରାଫାରେ ଇସ୍ରାଏଲ ସୈନ୍ୟଙ୍କ ଉପରେ ଆକ୍ରମଣ କରିଥିଲା ବେଳେ ଇସ୍ରାଏଲ ସେନା ଏହାର ପ୍ରତି ଜବାବରେ ଗାଜାର ୨୦ଟି ସ୍ଥାନରେ ଏୟାର ଷ୍ଟ୍ରାଇକ୍ କରିଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୯୭ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି । ସେହିପରି ୨୩୦ ଅଧିକ ଲୋକ ଆହତ ହୋଇଛନ୍ତି ।
ଇସ୍ରାଏଲ ଅଭିଯୋଗ କରିଛି କି ହମାସ ଆତଙ୍କୀମାନେ ପ୍ରଥମେ ଯୁଦ୍ଧବିରତି ଉଲ୍ଲଂଘନ କରିଥିଲେ । ସେମାନେ ରାଫାରେ ଡେରା ପକାଇଥିବା ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ କରିଛନ୍ତି । ଯୁଦ୍ଧବିରତି ସର୍ତ୍ତ ଅନୁସାରେ ଇସ୍ରାଏଲ ସେନା ଯେଉଁ ସ୍ଥାନରୁ ପଛକୁ ହଟିଥିଲେ ସେହି ଅଞ୍ଚଳରେ ହମାସ ରବିବାର ପ୍ରବଳ ଗୁଳିଗୋଳା ମାଡ଼ କରିଛି । ଏଥିରେ ୨ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତ ସୈନିକ ଦ୍ୱୟ ହେଲେ ମେଜର ୟାନିଭ କୁଲା (୨୬) ଓ ସର୍ଜେଣ୍ଟ ଇଟେ ଆଭେଜ (୨୧) । ଏହାର ଜବାବରେ ରାଫା ସମେତ ଗାଜାର ୨୦ଟି ସ୍ଥାନରେ ଏୟାରଷ୍ଟ୍ରାଇକ୍ କରାଯାଇଥିବା ଇସ୍ରାଏଲ କହିଛି । ଏହି ପରେ ନରସଂହାର କରିଥିଲା ଇସ୍ରାଏଲ ସେନା । ଏୟାର ଷ୍ଟ୍ରାଇକରେ ବର୍ତ୍ତମାନ ସୁଦ୍ଧା ୯୭ ଜଣଙ୍କ ମୃତ୍ୟୁ ଘଟିଛି । ଆହୁରି ୨୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଇତିମଧ୍ୟରେ ଇସ୍ରାଏଲ ସେନା ରାଫା ସୀମାକୁ ବନ୍ଦ କରିଦେଇଛି । ହମାସ୍ ସବୁ ଇସ୍ରାଏଲ ପଣବନ୍ଦୀଙ୍କ ମୃତଦେହ ହସ୍ତାନ୍ତର ନ କରିବା ପର୍ଯ୍ୟନ୍ତ ଏହା ବନ୍ଦ ରହିବ । ଫଳରେ ରାଫା ଦେଇ ରିଲିଫ ଓ ଅନ୍ୟାନ୍ୟ ସହାୟତା ଧରି ଆସୁଥିବା ଯାନବାହନ ଅଟକି ରହିଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ସୀମା ବନ୍ଦ ରହିବ ବୋଲି ଇସ୍ରାଏଲ କହିଛି । ଏହା ପୁଣିଥରେ ଗାଜାରେ ମାନବୀୟ ସଙ୍କଟ ସୃଷ୍ଟି କରିବାର ସମ୍ଭବନା ରହିଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇଜ୍ରାଇଲ କାଜ୍ ହମାସକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯୁଦ୍ଧବିରତି ଉଲ୍ଲଂଘନ କରିଥିବା ହମାସକୁ ବହୁମୂଲ୍ୟ ଦେବାକୁ ପଡିବ । ଯଦି ହମାସ୍ ନିଜକୁ ନ ସୁଧାରିବ ତେବେ ଆଗକୁ ପରିଣତି ଭୟାବହ ହେବ ।
ଅନ୍ୟପକ୍ଷରେ ଇସ୍ରାଏଲ କରିଥିବା ଯୁଦ୍ଧବିରତି ଉଲ୍ଲଂଘନ ଓ ଆକ୍ରମଣ ଅଭିଯୋଗକୁ ହମାସ ଖଣ୍ଡନ କରିଛି । ହମାସର ସଶସ୍ତ୍ର ଶାଖା ଅଲ୍-କସାମ ବ୍ରିଗେଡ କହିଛି କି ସେମାନେ ଯୁଦ୍ଧବିରତିକୁ ସମ୍ମାନ ଦେଉଛନ୍ତି । ଏହାର ଉଲ୍ଲଂଘନ କରିନାହାନ୍ତି । ରାଫାରେ ଇସ୍ରାଏଲ ସେନା ଉପରେ ଆକ୍ରମଣ ସମ୍ପର୍କରେ ସେମାନେ ଜାଣିନାହାନ୍ତି । ଇସ୍ରାଏଲ ସେନା ଯୁଦ୍ଧବିରତି ପରେ ଘରକୁ ଫେରୁଥିବା ପାଲେଷ୍ଟିନୀୟଙ୍କୁ ଭୟଭୀତ କରାଉଛନ୍ତି । ଅଲ୍-କସାମ ବ୍ରିଗେଡ କହିଛି କି ଗତ ୧୦ ତାରିଖରୁ ଯୁଦ୍ଧବିରତି ଲାଗୁ ହେବା ପରଠାରୁ ଇସ୍ରାଏଲ ସେନା ୪୭ଥର ଉଲ୍ଲଂଘନ କରିସାରିଲାଣି । ଇସ୍ରାଏଲର ଆକ୍ରମଣରେ ଗତ ୧୦ ଦିନରେ ୫୧ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ହମାସ ଓ ଇସ୍ରାଲ ମଧ୍ୟରେ ୨୦ ସୂତ୍ରୀ ଯୁଦ୍ଧବିରତି ବୁଝାମଣା ହୋଇଥିଲା । ବୁଝାମଣା ଅନୁସାରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ୭୨ ଘଣ୍ଟା ଭିତରେ ହମାସ ସମସ୍ତ ଜୀବିତ ଓ ମୃତ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରିବ । ହମାସ୍ ପ୍ରଥମ ଦଫାରେ ଗତ ସୋମବାର ସମସ୍ତ ୨୦ ଜୀବିତ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରିଥିଲା । ପ୍ରତିବଦଳରେ ଇସ୍ରାଏଲ ବିଭିନ୍ନ ଜେଲ୍ରେ ଥିବା ୨ ହଜାରରୁ ଅଧିକ ପାଲେଷ୍ଟିନୀୟ କଏଦୀଙ୍କୁ ଛାଡିଥିଲା । ସେହିଭଳି ଗତ ବୁଧବାର ହମାସ ୪ଜଣ ପଣବନ୍ଦୀଙ୍କ ମୃତଦେହ ହସ୍ତାନ୍ତର କରିଥିଲା । ସେଥିରୁ ୩ ଜଣଙ୍କ ପରିଚୟ ଜଣାପଡିଥିଲା ଏବଂ ଅନ୍ୟ ଜଣେ ଇସ୍ରାଏଲ ପଣବନ୍ଦୀ ନଥିବା ସ୍ପଷ୍ଟ ହୋଇଥିଲା । ହମାସ ସମସ୍ତ ୨୮ଜଣ ମୃତ ପଣବନ୍ଦୀଙ୍କ ଶବ ହସ୍ତାନ୍ତର କରିବାକୁ କଥା ଦେଇଥିଲା । ହେଲେ ଏପର୍ଯ୍ୟନ୍ତ ୧୨ ଜଣଙ୍କର ମୃତଦେହ ହସ୍ତାନ୍ତର କରିଛି । ହମାସ କହିଛି କି ଅବଶିଷ୍ଟ ମୃତଦେହ ଇସ୍ରାଏଲ ଆକ୍ରମଣରେ ଧ୍ୱଂସ ପାଇଯାଇଥିବା କୋଠା ତଳେ ଦବି ରହିଛି । ସେହି ଭଗ୍ନାବଶେଷକୁ ଖୋଳି ତା ଭିତରୁ ମୃତଦେହ ବାହାର କରିବା ଲାଗି ଭାରୀ ମେସିନ ଓ ସମୟ ଦରକାର । ୭୨ ଘଣ୍ଟାରେ ଫେରାଇବା ଆଦୌ ସମ୍ଭବ ନୁହେଁ । ସେହିଭଳି ହମାସ୍ କହିଛି କି ଇସ୍ରାଏଲ ଫେରାଇଥିବା ୧୫୦ ପାଲେଷ୍ଟାଇନ ବନ୍ଦୀଙ୍କ ମୃତଦେହ ପରୀକ୍ଷା କରିବା ଲାଗି ଡିଏନ୍ଏ କିଟ୍ ଆବଶ୍ୟକ । ଜେଲ୍ରେ କଏଦୀଙ୍କୁ ଅକଥନୀୟ ନିର୍ଯାତନା ଦିଆଯିବା ସହ ମାଡ଼ ମରାଯାଇଛି । ସେମାନଙ୍କ ଶରୀର ସାରା କ୍ଷତଚିହ୍ନ ଅଛି । ଏହା ମାନବତା ବିରୋଧରେ ଯୁଦ୍ଧ ଅପରାଧ । ଇତିମଧ୍ୟରେ ଆମେରିକାର ଅଭିଯୋଗକୁ ହମାସ୍ ଖଣ୍ଡନ କରିଛି । ଆମେରିକା ପରରାଷ୍ଟ୍ର ବିଭାଗ ପକ୍ଷରୁ କୁହାଯାଇଥିଲା କି ହମାସ ଗାଜାରେ ସାଧାରଣ ଜନତାଙ୍କ ଉପରେ ଆକ୍ରମଣ ଲାଗି ଯୋଜନା କରୁଛି । ହମାସର ଏଭଳି ଯୋଜନାକୁ ସଫଳ ହେବାକୁ ଦିଆଯିବ ନାହିଁ । ଗାଜା ଲୋକଙ୍କୁ ସୁରକ୍ଷା ଦିଆଯିବ । ହମାସ୍ ପ୍ରଥମେ ଯୁଦ୍ଧବିରତିର ଉଲ୍ଲଂଘନ କରି ଇସ୍ରାଏଲ ସେନା ଉପରେ ଆକ୍ରମଣ କରିଛି । ଆମେରିକାର ଏହି ଅଭିଯୋଗକୁ ଖଣ୍ଡନ କରି ହମାସ୍ କହିଛି କି ଆମେରିକାର ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ବିଭ୍ରାନ୍ତିକର । ଇସ୍ରାଏଲର ଅପପ୍ରଚାରକୁ ଏହା ସମର୍ଥନ କରୁଛି । ଗାଜାରେ ପାଲେଷ୍ଟିନୀୟଙ୍କ ଉପରେ ସଙ୍ଗଠିତ ଅପରାଧ ଲାଗି ଇସ୍ରାଏଲ ଯେଉଁ ଯୋଜନା ପ୍ରସ୍ତୁତ କରୁଛି ଆମେରିକା ତାକୁ ସମର୍ଥନ କରୁଛି । ଗତ ୨୦୨୩ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଗାଜା ଯୁଦ୍ଧରେ ଏପର୍ଯ୍ୟନ୍ତ ୬୮ ହଜାରରୁ ଅଧିକ ଲୋକ ମୃତ୍ୟୁ ଘଟିଥିଲା ବେଳେ ୧ ଲକ୍ଷ ୭୦ ହଜାରରୁ ଅଧିକ ଆହତ ହୋଇଛନ୍ତି । ସେପଟେ ହମାସ୍ ଆକ୍ରମଣରେ ଇସ୍ରାଏଲର ୧,୧୯୫ ଜଣଙ୍କ ମୃତ୍ୟୁ ଘଟିଛି । ୨୦୨୩ ଅକ୍ଟୋବର ୭ ତାରିଖରେ ହମାସ୍ ଓ ଅନ୍ୟ ପାଲେଷ୍ଟିନୀୟ ଆତଙ୍କୀ ସଙ୍ଗଠନ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ସେମାନେ ୧,୧୯୫ ଜଣ ଇସ୍ରାଏଲୀ ଓ ବିଦେଶୀ ନାଗରିକଙ୍କୁ ହତ୍ୟା କରିବା ସହ ୨୫୧ ଜଣଙ୍କୁ ପଣବନ୍ଦୀ କରିନେଇଯାଇଥିଲେ । ପଣବନ୍ଦୀଙ୍କୁ ମୁକ୍ତ କରିବା ଓ ହମାସକୁ ସମ୍ପୂର୍ଣ୍ଣ ନିପାତ କରିବା ଲାଗି ଇସ୍ରାଏଲ ଗାଜା ଉପରେ ଆକ୍ରମଣ ଆରମ୍ଭ କରିଥିଲା । ଗତ ୨ ବର୍ଷ ଧରି ଏହି ଯୁଦ୍ଧ ଚାଲିବା ପରେ ଶେଷରେ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଗାଜା ଶାନ୍ତି ରାଜିନାମା ହୋଇଥିଲା । ଏହାକୁ ଉଭୟ ହମାସ ଓ ଇସ୍ରାଏଲ ଗ୍ରହଣ କରିବା ପରେ ଗତ ଅକ୍ଟୋବର ୯ରେ ସ୍ୱାକ୍ଷର ହୋଇଥିଲା ଏବଂ ଅକ୍ଟୋବର୧୦ ତାରିଖରୁ ତାହା ଲାଗୁ ହୋଇଛି ।
