ବିହାର ବିଧାନସଭା ନିର୍ବାଚନ: ଆଜି ନିର୍ବାଚନୀ ଇସ୍ତାହାର ଜାରି କରିବ ମହାମେଣ୍ଟ,୨୯ରେ ରାହୁଲ-ତେଜସ୍ୱୀଙ୍କ ମିଳିତ ରାଲି

ବିହାର  ବିଧାନସଭା ନିର୍ବାଚନ ଲାଗି ଏନ୍‌ଡିଏ ଏବଂ  ମହାମେଣ୍ଟ ପ୍ରଚାରରେ ଲାଗିଛନ୍ତି । ଛଟ୍‌ ପୂଜା  ଶେଷ ହେବା ପରେ ପ୍ରଚାର  ଆହୁରି ଜୋରଦାର ହେବ । ମଙ୍ଗଳବାର  ପ୍ରିୟଙ୍କା ଗାନ୍ଧୀ ନିଜ ପ୍ରଚାର ଅଭିଯାନ  ଆରମ୍ଭ କରିବେ । ପ୍ରିୟଙ୍କା ବେଗୁସରାୟ  ଆସି ଜିଲ୍ଲାର ବଛୱାଡାରେ ସଭା କରିବାର  କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତା ୨୯  ତାରିଖରେ ମହାମେଣ୍ଟ ତରଫରୁ ରାହୁଲ  ଗାନ୍ଧୀ ଏବଂ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ  ଯାଦବ ମୁଜଫରପୁର ଏବଂ ଦରଭଙ୍ଗାରେ  ମିଳିତ ରାଲି କରିବେ । ବିହାର ନିର୍ବାଚନକୁ  ନେଇ ମହାମେଣ୍ଟ ଏହାର ନିର୍ବାଚନୀ  ଇସ୍ତାହାର ମଧ୍ୟ ପ୍ରସ୍ତୁତ କରିସାରିଛି । ଅପରାହ୍ନରେ ପାଟନାରେ ଇସ୍ତାହାରକୁ ଜାରି କରାଯିବ । 

ସେପଟେ ବିଜେପି ଏବଂ ମହାମେଣ୍ଟର  ନେତାମାନେ ପରସ୍ପରକୁ ଟାର୍ଗେଟ  କରିବାରେ ଲାଗିଛନ୍ତି । ବିଜେପି ସାଂସଦ  ମନୋଜ ତିୱାରୀ କହିଛନ୍ତି, ୨୦୨୫  ବିଧାନସଭା ନିର୍ବାଚନରେ ବି ନୀତୀଶ  କୁମାର ହେଉଛନ୍ତି ମୁଖ୍ୟମନ୍ତ୍ରୀ ଚେହେରା ।  ତେଜସ୍ୱୀ ଲଢ଼େଇ ଝଗଡ଼ା କରି ନିଜ ନାଁକୁ  ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସାମ୍‌ନାକୁ  ଆଣିଛନ୍ତି । କିନ୍ତୁ ଏନ୍‌ଡିଏରେ ବହୁପୂର୍ବରୁ  ମୁଖ୍ୟମନ୍ତ୍ରୀ ଚେହେରା ସ୍ଥିର ହୋଇଛି ।  ତେଜସ୍ୱୀ ମଧ୍ୟ ଏନ୍‌ଡିଏକୁ ଜୋରଦାର  ଟାର୍ଗେଟ କରିଛନ୍ତି । ସେ କହିଛନ୍ତି,  ପରିବର୍ତ୍ତନ ପାଇଁ ବିହାର ଦୀର୍ଘ ଦିନ  ହେଲା ଅପେକ୍ଷା କରିଛି । ଏହି ନିର୍ବାଚନ  ନୂଆ ବିହାର ବନାଇବାର ନିର୍ବାଚନ । ମୋ  ବୟସ କମ୍‌ ହୋଇପାରେ, କିନ୍ତୁ ମୋ କଥା  ପକ୍କା । ଯାହା କହିଛି କରିଛି, ଯାହା କହୁଛି  ତାହା କରିବି । ବିହାର ଜନତା ସ୍ଥିର କରନ୍ତୁ  ପରିବାରକୁ ସରକାରୀ ଚାକିରି ଦରକାର  ନା କେବଳ ୧୦ ହଜାର ଟଙ୍କା । 

କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ କହିଛନ୍ତି,  ବିହାର ଜନତା ୧୫ ବର୍ଷ ଆର୍‌ଜେଡି  ସରକାରକୁ ଦେଖିଛି । ସେମାନେ ବିହାରକୁ  ବରବାଦ କରିବା ଲାଗି କାମ କରିଥିଲେ ।  ବିହାର ଜନତା ଏଥର ସେମାନଙ୍କୁ କେବେ  ବି ସୁଯୋଗ ଦେବେନାହିଁ । ପ୍ରକାଶଥାଉ  କି, ବିହାରରେ ଦୁଇଟି ପର୍ଯ୍ୟାୟରେ  ନଭେମ୍ବର ୬ ଏବଂ ୧୧ ତାରିଖରେ ଭୋଟିଂ  ହେବ । ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାର  ୧୨୧ ସିଟ୍‌ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ  ୨୦ ଜିଲ୍ଲାର ୧୨୨ ଆସନରେ ମତଦାନ  ହେବ । ଏଥର ମୋଟ ୨,୬୧୬ ପ୍ରାର୍ଥୀ  ମଇଦାନରେ ଅଛନ୍ତି।

Leave a Reply

Your email address will not be published. Required fields are marked *