ନ୍ୟୁଜ୍‌ ରିଲ୍‌: ପୁଣି ଏକ ଧମାକା ନେଇ ଆସୁଛନ୍ତି ଶ୍ରଦ୍ଧା

‘ସ୍ତ୍ରୀ-୨’ର ବକ୍ସଅଫିସ୍‌ ସଫଳତା ପରେ ନିଜ ଅଭିନୀତ ‘ସ୍ତ୍ରୀ-୩’ର ଘୋଷଣା କରିଛନ୍ତି ବଲିଉଡ୍‌ ନାୟିକା ଶ୍ରଦ୍ଧା କପୁର୍‌। ତେବେ ଏହା ପୂର୍ବରୁ ସେ ଆନିମେସନ୍‌ ଫିଲ୍ମ ‘ଛୋଟୀ ସ୍ତ୍ରୀ’ର ବି ଘୋଷଣା କରି ଇଣ୍ଡଷ୍ଟ୍ରିରେ ଏକ ନୂଆ ଧାରା ସୃଷ୍ଟି କରିବାକୁ ଯାଉଛନ୍ତି। ‘ସ୍ତ୍ରୀ-୩’ରେ ଶ୍ରଦ୍ଧା ଯେଉଁ ଚରିତ୍ରରେ ଅାସୁଛନ୍ତି ସେ ଚରିତ୍ରର ପ୍ରେକ୍ଷାପଟ୍ଟ ଏହି ଆନିମେସନ୍‌ ଫିଲ୍ମରେ ପ୍ରଦର୍ଶିତ ହେବ। ଏଥିସହ ‘ସ୍ତ୍ରୀ-୩’ର ଶେଷ ଦୃଶ୍ୟ ଏଥିରେ ସଂଯୋଜିତ ହେବ। ‘ଛୋଟୀ ସ୍ତ୍ରୀ’ ଦେଖିବା ପରେ ଦର୍ଶକଙ୍କ ମନରେ କାହାଣୀର ନାୟିକାଙ୍କୁ ନେଇ ଯେଉଁ ସବୁ ପ୍ରଶ୍ନ ଉଠିବ ତାହାର ଉତ୍ତର ସେମାନେ ‘ସ୍ତ୍ରୀ-୩’ରେ ପାଇବେ। ତେଣୁ ‘ଛୋଟୀ ସ୍ତ୍ରୀ’ ରିଲିଜ୍‌ ହେବାର ୬ ମାସ ମଧ୍ୟରେ ‘ସ୍ତ୍ରୀ-୩’କୁ ରିଲିଜ୍‌ କରାଯିବ ବୋଲି ଏହାର ପ୍ରଯୋଜକ ଦିନେଶ ବିଜନ୍‌ ପ୍ରକାଶ କରିଛନ୍ତି।  ‘ସ୍ତ୍ରୀ-୩’ର ପ୍ରଯୋଜନା ସଂସ୍ଥା ଦ ମାଡୋକ୍‌ କମେଡି ହରର୍‌ ୟୁନିଭର୍ସର ନୂଆ ଫିଲ୍ମ ‘ଥମ୍ମା’ର ଟ୍ରେଲର୍‌ ରିଲିଜ୍‌ ଅବସରରେ ଏହି ଘୋଷଣା କରିଛନ୍ତି ଶ୍ରଦ୍ଧା।

ଉଲ୍ଲେଖଯୋଗ୍ୟ, ଶ୍ରଦ୍ଧାଙ୍କ ହରର୍‌ ଅଭିନୀତ ‘ସ୍ତ୍ରୀ’ ଓ ଏହାର ସିକ୍ବେଲ୍‌ ‘ସ୍ତ୍ରୀ-୨’କୁ ଦର୍ଶକ ଖୁବ୍‌ ଭଲପାଇବା ଦେଇଛନ୍ତି। ଫଳରେ ୨୦୨୪ ଅଗଷ୍ଟ ୧୫ରେ ରିଲିଜ୍‌ ହୋଇଥିବା ୧୦୫ କୋଟି  ବଜେଟ୍‌ର କମେଡି ହରର୍‌ ‘ସ୍ତ୍ରୀ-୨’ ବକ୍ସଅଫିସ୍‌ରେ ପାଖାପାଖି ୮୭୫ କୋଟି ବ୍ୟବସାୟ କରିଥିଲା। ଏବେ ‘ସ୍ତ୍ରୀ-୩’ ରିଲିଜ୍‌ର ୬ ମାସ ପୂର୍ବରୁ ଏହାର ପ୍ରିଭିୟୁ ଭଳି ଅ‌ାସୁଥିବା ଆନିମେସନ୍‌ ‘ଛୋଟୀ ସ୍ତ୍ରୀ’ ଏକ ନୂଆ ପରୀକ୍ଷା ହେବ। ଏହା ଦର୍ଶକଙ୍କୁ ‘ସ୍ତ୍ରୀ-୩’ ଆଡ଼କୁ କେତେ ଅଧିକ ଆକୃଷ୍ଟ କରିପାରୁଛି ତାହା ଦେଖିବାର କଥା। ତେଣେ ‘ଛୋଟୀ ସ୍ତ୍ରୀ’ ନିକଟରେ ଚହଳ ପକାଇଥିବା ମାଇଥୋଲୋଜିକାଲ୍‌ ଆନିମେସନ୍‌ ‘ନରସିଂହା’ର ବକ୍ସ ଅଫିସ୍‌ ରେକର୍ଡକୁ ଭ‌ାଙ୍ଗିଦେବ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ଏହା ‘ସ୍ତ୍ରୀ’ ଫ୍ରାନ୍‌ଚାଇଜିରେ ଶ୍ରଦ୍ଧାଙ୍କ ସଫଳତାକୁ ସୂଚାଉଛି।

Leave a Reply

Your email address will not be published. Required fields are marked *