ସଙ୍ଗୀତ ନିର୍ଦ୍ଦେଶକ ହେଲେ ହ୍ୟୁମାନ୍‌ ସାଗର

କଣ୍ଠଶିଳ୍ପୀରୁ ସଙ୍ଗୀତ ନିର୍ଦ୍ଦେଶକ ହେବାର ପରମ୍ପରା ଓଲିଉଡ୍‌ରେ ବେଶ୍ ପୁରୁଣା। ଅତୀତରେ ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ସୁଭାଷ ଦାଶ, ଶ୍ରୀକାନ୍ତ ଦାସ, ଟି ସୌରୀ ଓ ବିଷ୍ଣୁମୋହନ କବି ପ୍ରମୁଖଙ୍କ ନାମ ଏ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ। ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର। ସେ ଏବେ ନୂଆ ଓଡ଼ିଆ ସିନେମା ‘ଛକି ଶୂନ’ର ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି। ଏହା ଚଳଚ୍ଚିତ୍ରରେ ତାଙ୍କର ପ୍ରଥମ ସଙ୍ଗୀତ ନିର୍ଦ୍ଦେଶନା ହେବ। ଅନୁଭବଙ୍କ ଅଭିନୀତ ‘ଗପ ହେଲେ ବି ସତ’ ସିନେମାରେ କଣ୍ଠଦାନ କରି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ହ୍ୟୁମାନ୍। ଗତ ବର୍ଷ ଦଶହରାରେ ମୁକ୍ତିଲାଭ କରିଥିବା ଅନୁଭବଙ୍କ ଅଭିନୀତ ‘କର୍ମ’ରେ ‘ଚିରିଂ ଚିରିଂ..’ ଏବଂ ଚଳିତ ବର୍ଷ ଦଶହରାରେ ‘ଚାରିଧାମ’ରେ ‘ଚାଲ୍ ରାତିରେ ଆମେ ମାଲ୍ ପିଇ କେରକେରା ହେବା…’ ଗୀତ ହ୍ୟୁମାନଙ୍କୁ ନୂଆ ସୋପାନରେ ପହଞ୍ଚାଇଛି। ଶହେରୁ ଅଧିକ ଓଡ଼ିଆ ସିନେମା ଗୀତ ଗାଇଥିବା ହ୍ୟୁମାନ କହିଛନ୍ତି, ‘‘ପ୍ରଯୋଜନା ସଂସ୍ଥା, ନିର୍ଦ୍ଦେଶକ ମାନସ ପଢ଼ିଆରୀ ଏବଂ ବିଶେଷ କରି ଅନୁଭବ ସାର୍‌ଙ୍କ ଆଗ୍ରହକ୍ରମେ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇଛି। ଆଶା ରଖିଛି, ଭଲ ସ୍ବର କରି ଓଡ଼ିଶାବାସୀଙ୍କ ହୃଦୟ ଜିତିବି।’’

‘ଛକି ଶୂନ’ର ସୁଟିଂ ଆରମ୍ଭ

ଅନୁସନ୍ଧାନମୂଳକ ଥ୍ରିଲର ‘ଛକି ଶୂନ’ ଫ୍ଲୋରକୁ ଯାଇଛି। ଭୁବନେଶ୍ୱରରେ ଏହାର ସୁଟିଂ ଆରମ୍ଭ ହୋଇଛି। ମହୁରତ୍ ଅବସରରେ ସୁଟିଂର ପ୍ରଥମ କ୍ଲାପ୍ ଦେଇଥିଲେ ଜାଗୃତି ଏ. ମହାନ୍ତି। ଆମର ମ୍ୟୁଜିକ୍ ଓ ଟୁ ନାଇନ୍ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହେଉଥିବା ‘ଛକି ଶୂନ’ର ମହୁରତରେ ସୁପରଷ୍ଟାର୍ ଅନୁଭବ ମହାନ୍ତି, ସମ୍ଭାବନା ମହାନ୍ତି, ଅଭିଷେକ ପଣ୍ଡା, ଦିବ୍ୟା, ଉଦିତ ଗୁରୁ, ଜିତୁ ମଙ୍ଗରାଜ ପ୍ରମୁଖ କଳାକାର ଉପସ୍ଥିତ ଥିଲେ। ଏହା ବ୍ୟତୀତ ସହପ୍ରଯୋଜନାରେ ଥିବା ଶୁଭମ ମହାନ୍ତି, ଦେବାଶିଷ ପଣ୍ଡା, ଲେଖକ-ନିର୍ଦ୍ଦେଶକ ମାନସ ପଢ଼ିଆରୀ, ସିନେମାଟୋଗ୍ରାଫର୍ ଦୀପକ କୁମାର, ସହନିର୍ଦ୍ଦେଶକ ସ୍ମୃତି ଆର୍ ଓ ବିଶ୍ୱଜିତ, କଳା ନିର୍ଦ୍ଦେଶକ ସୁଧାଂଶୁ ମହାନ୍ତି, ସଂଗୀତ ନିର୍ଦ୍ଦେଶକ ହ୍ୟୁମାନ ସାଗର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *