ସବୁ ପ୍ରତିଶ୍ରୁତି ପୂରଣ କରିବୁ । ଦୁଃଖସୁଖ ବୁଝିବୁ । ଅଭାବ ଅସୁବିଧା ଦୂର କରିବୁ । ଖାଲି ଆମକୁ ସମର୍ଥନ କର । ଭୋଟ ଦେଇ ଜିତାଅ । ନୂଆପଡ଼ା ଉପ ନିର୍ବାଚନରେ ଏଭଳି ପ୍ରତିଶ୍ରୁତି ଦେଇ ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରୁଛନ୍ତି ପ୍ରମୁଖ ଦଳ । ନିର୍ବାଚନ ବୈତରଣୀ ପାର୍ ହେବାରେ ଜାତି ସମାଜର ଭୋଟ ନିର୍ଣ୍ଣାୟକ ହେବ । ଏହି ଭୋଟ୍ ହାତେଇବାକୁ କସରତ ଚଳାଇଛନ୍ତି ସବୁ ଦଳର ନେତା । ଏଥିପାଇଁ ଗାଁ ଗାଁରେ ବଡ଼ ବଡ଼ ବୈଠକର ଆୟୋଜନ କରାଯାଉଛି । ଭୋଜିଭାତ କରି ଜାତିସମାଜର ନେତୃବୃନ୍ଦଙ୍କ ନିକଟତର ହେବାକୁ ଦିନରାତି ଏକ କରିଦେଇଛନ୍ତି ନେତୃବୃନ୍ଦ ।
ନୂଆପଡ଼ା ଜିଲ୍ଲାରେ ସବୁ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି । ଅନୁସୂଚିତ ଜନଜାତି (ଏସ୍ଟି) ବର୍ଗର ଗୋଣ୍ଡ, ଶବର, ବଞ୍ଜାରା, ଚକୋଟିଆ ଭୁଞ୍ଜିଆ, ଚିନ୍ଦା ଭୁଞ୍ଜିଆ, ବରିହା, ମିର୍ଦ୍ଧା, ଖାଡ଼ିଆ ଲୋକ ରହୁଛନ୍ତି । ପଛୁଆ ବର୍ଗ (ଓବିସି)ରେ ଯାଦବ, କୁଲତା, ତେଲି, ଭୁଲିଆ, କଲାର, ପାଇକ, କୁମ୍ଭକାର, ଅହୀର, ବୈରାଗୀ, ଶୁଣ୍ଢି, ମାଲି, ସୁନାରୀ, ଭଣ୍ଡାରୀ, ପହରିଆ ସମ୍ପ୍ରଦାୟର ଲୋକେ ଅଛନ୍ତି । ସାଧାରଣ ବର୍ଗରେ ହଜାର ହଜାର ବ୍ରାହ୍ମଣ, କରଣ ପରିବାର ରହୁଛନ୍ତି । ଅନୁସୂଚିତ ଜାତି (ଏସ୍ସି) ବର୍ଗରେ ଡମ୍ବ, କେଉଟ, ଧୋବା, ମେହନ୍ତର, ପନିକା, ସତନାମୀ ସମ୍ପ୍ରଦାୟର ଭୋଟର ଅଛନ୍ତି । ସଂଖ୍ୟା କମ୍ ହେଲେ ବି ମୁସଲିମ, ଖ୍ରୀଷ୍ଟିଆନ, ଶିଖ ସମ୍ପ୍ରଦାୟର ଭୋଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ।
ନୂଆପଡ଼ାରେ ଯେବେ ଯେବେ ଭୋଟ୍ ହୋଇଛି³ ସବୁ ଥର ଗୋଣ୍ଡ, ଯାଦବ, ଶବର, ଡମ୍ବ, ତେଲି ସମ୍ପ୍ରଦାୟ ଲୋକେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି । ଆସନ୍ତା ନଭେମ୍ବର ୧୧ରେ ମତଦାନ ଥିବାରୁ ନିର୍ବାଚନ ଜିତିବା ପାଇଁ ଜାତି ଭୋଟ୍ ହାତେଇବାକୁ ବିଜେପି, ବିଜେଡି ଓ କଂଗ୍ରେସ ଜୋର୍ଦାର ଉଦ୍ୟମ ଚଳାଇଛନ୍ତି । ସବୁଜାତିର ନେତାମାନେ ବିଭିନ୍ନ ଦଳରେ ସାମିଲ ହୋଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ପ୍ରାର୍ଥୀ ଏବଂ ଦଳୀୟ ନେତୃବୃନ୍ଦ ସାମାଜିକ ସମର୍ଥନ ଯୋଗାଡ଼ରେ ଲାଗିପଡ଼ିଛନ୍ତି । ଜାତି ଭୋଟକୁ ନିଜ ସପକ୍ଷରେ ନେବା ପାଇଁ ଲୋଭନୀୟ ପ୍ରତିଶ୍ରୁତି ଦେଉଛନ୍ତି ।
ଗତ ଅକ୍ଟୋବର ୨୭ରେ ନୂଆପଡ଼ାରେ ଆୟୋଜିତ ଛଟ୍ପୂଜାରେ ବିଜେପିର ମନ୍ତ୍ରୀ ଓ ସାଂସଦ ସାମିଲ ହୋଇ ସମର୍ଥନ ମାଗିଥିଲେ । ସେହିପରି ୨୮ ତାରିଖରେ ଭଇଁଷମୁଣ୍ଡିରେ ଆଦିବାସୀ ଓ ନୂଆପଡ଼ାରେ ବୁଦ୍ଧିଜୀବୀ ସମାବେଶ, ୨୯ ତାରିଖରେ ରେଙ୍ଗରେ କୁମ୍ଭକାର ସମାଜ ସମ୍ମିଳନୀ କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ସମର୍ଥନ ମାଗିଛନ୍ତି । ଖରିଆର ରୋଡ୍ ସହରରେ ଜୈନ ଓ ଶିଖ ସମାଜ ସମ୍ମିଳନୀ କରି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଜିତାଇବାକୁ ନିବେଦନ କରି ସାରିଛନ୍ତି । ରବିବାର ତରବୋଡ଼ରେ ଅହୀର ସମାଜ ସମ୍ମିଳନୀ ଆୟୋଜନ କରି ଅନୁରୂପ ସମର୍ଥନ ଲୋଡ଼ିଛି ଦଳ ।
କଂଗ୍ରେସ ମଧ୍ୟ ଜାତିଭୋଟ ହାତେଇବାକୁ ଆଗକୁ ଆସିଛି । ଅକ୍ଟୋବର ୧୦ରେ ଘାଟିପଡ଼ାରେ ଜିଲ୍ଲାସ୍ତରୀୟ ଗୋଣ୍ଡ ସମାଜ ବୈଠକରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝିଙ୍କୁ ସମର୍ଥନ କରିଥିଲେ । ୨୬ରେ ସ୍ଥାନୀୟ ଦେବାଙ୍ଗନ ସମାଜ ଭବନରେ ସତନାମୀ ସମାଜର ଲୋକେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିଲେ । ୩୧ରେ ସ୍ଥାନୀୟ ଖୁଣ୍ଟିଆ ଭବନରେ କଂଗ୍ରେସ ଓବିସି ବର୍ଗଙ୍କ ସମର୍ଥନ ମାଗିଥିଲେ । ଗତ ଶନିବାର ଝିଲମିଲାରେ ଶବର ସମାଜ ଓ ଦର୍ଲିନୂଆପଡ଼ାରେ ଡମ୍ବ ସମାଜ ସମ୍ମିଳନୀ କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ସମର୍ଥନ ଲୋଡ଼ିଛନ୍ତି ।
ବିଜେଡି ମଧ୍ୟ ନିଜ ତରିକାରେ ଜାତିଭୋଟ ସମର୍ଥନ ପାଇଁ ଜୋରଦାର ଉଦ୍ୟମ କରୁଛି । ଗତ ଶନିବାର କୋମନା ବ୍ଲକ ବହଳମୁଣ୍ଡାରେ ଯାଦବ ସମାଜ ସମ୍ମିଳନୀ କରି ଦଳୀୟ ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଜିତାଇବାକୁ ଦଳୀୟ ନେତୃବୃନ୍ଦ ନିବେଦନ କରିଥିଲେ । ୨୯ରେ ନିଜେ ସ୍ନେହାଙ୍ଗିନୀ ସୁନାବେଡ଼ାରେ ସମାବେଶ କରି ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆଙ୍କ ଭୋଟଭିକ୍ଷା କରିଛନ୍ତି ।
ବୈଠକ ଏବଂ ସମାବେଶରେ ଖଚାଖଚ୍ ଭିଡ଼ ହେଉଛି । ପ୍ରାର୍ଥୀଙ୍କୁ ଜିତାଇବାକୁ ପ୍ରତିଶ୍ରୁତି ମଧ୍ୟ ମିଳୁଛି । ହେଲେ କେଉଁ ଦଳ ଜାତିସମାଜ ଭୋଟ୍ ହାତେଇବ ତାହା ଗଣତିରୁ ସ୍ପଷ୍ଟ ହେବ ବୋଲି ରାଜନୀତି ସମୀକ୍ଷକମାନେ କହିଛନ୍ତି ।
