ନୂଆପଡ଼ାରେ ହାଇଭୋଲ୍‌ଟେଜ୍‌ ପ୍ରଚାର: ଆଜି ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, କୋମନାରେ ବିଶାଳ ସଭା କରିବେ ନବୀନ

ନୂଆପଡ଼ା  ଉପନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ସେତେ ଜୋର ଧରୁଛି । ଏଥର ଆଉ କେବଳ ତାରକା ପ୍ରଚାରକରେ କାମ ଚଳିବନି, ମୈଦାନକୁ  ଆସିବେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ପୂର୍ବତନ  ମୁଖ୍ୟମନ୍ତ୍ରୀ ଓ ମାଳମାଳ ମନ୍ତ୍ରୀ । ସେହିପରି  ବହୁ ହେଭିୱେଟ୍‌ ସାଂସଦ, ବିଧାୟକ ଓ  ବିଭିନ୍ନ ଦଳର ମୁଖପାତ୍ର ବି ସାମିଲ ହେବେ ।  ସେମାନଙ୍କ ଦଳ ଶାସନରେ ଥିବା ବେଳେ  କି କି ଭଲ କାମ କରିଛି ତାହା ବଖାଣିବା  ସହ ଅନ୍ୟ ଦଳକୁ ଅଙ୍ଗୁଳି ନିର୍ଦ୍ଦେଶ କରିବେ । 

ସୋମବାର  ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ  ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ  ନୂଆପଡ଼ାରେ ପ୍ରଚାର ଆରମ୍ଭ କରିବେ । କୋମନା ସଭାରେ ବିଜେଡି ଶାସନ ସମୟରେ  ନୂଆପଡ଼ାର ବିକାଶ ପାଇଁ ହୋଇଥିବା ବହୁ  ଲୋକାଭିମୁଖୀ ଯୋଜନା ବିଷୟରେ କହିବେ ।  ନବୀନ ପୁଣି ୭ ତାରିଖରେ ଖରିଆର ରୋଡ୍‌ରେ  ଓ ନୂଆପଡ଼ାରେ ଦୁଇଟି ରୋଡ୍‌ ସୋ କରିବେ ।  ଅପରାହ୍ନରେ ପୁଣି ପଞ୍ଚାୟତର ନେତାମାନଙ୍କୁ  ନେଇ ବୈଠକ କରିବେ ।  ସେଠାରେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର, ପ୍ରତାପ ଜେନା,  ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା,  ଗୌତମବୁଦ୍ଧ ଦାସ, ଚିନ୍ମୟ ସାହୁ, ଇପ୍ସିତା ସାହୁ ପ୍ରମୁଖ ବହୁ  ନେତା ପ୍ରଚାରର ମଙ୍ଗ ଧରିଛନ୍ତି । 

ସେହିପରି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ପ୍ରଚାର  କରିବାକୁ ଆସନ୍ତା ୭ ତାରିଖରେ ନୂଆପଡ଼ା ଗସ୍ତରେ ଆସୁଛନ୍ତି  ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଓ ଉପମୁଖ୍ୟମନ୍ତ୍ରୀ  ମାଲ୍ଲୁଭଟ୍ଟି ବିକ୍ରମାକ । ଉଭୟ ନେତା ନୂଆପଡ଼ାର ସାଲେଭଟାରେ  ଏକ ବିଶାଳ ସମାବେଶରେ ପ୍ରଚାର କରିବେ । ଏହି ଦିନ ରାଜ୍ୟ  କଂଗ୍ରେସର ସମସ୍ତ ବରିଷ୍ଠ ନେତାଙ୍କୁ ଉପସ୍ଥିତ ରହିବାକୁ  କୁହାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏହି  ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରେବନ୍ତଙ୍କ  ଗସ୍ତ ପରେ ନୂଆପଡ଼ା ଆସିବେ କଂଗ୍ରେସର ଯୁବ ସେନ୍ସେସନ୍‌  କହ୍ନେୟା କୁମାର । ପରେ ଅନ୍ୟ ବହୁ ବରିଷ୍ଠ ନେତା ଆସି  ପ୍ରଚାର କରିବେ । ପିସିସି ସଭାପତି ଭକ୍ତଚରଣ ଦାସଙ୍କ  ଏଆଇସିସିରେ ଦବ୍‌ଦବା ଥିବାରୁ, ସେ ଜଣଙ୍କ ପରେ ଜଣେ  ବଡ଼ ନେତାଙ୍କୁ ଓଡ଼ିଶା ଆଣି ପ୍ରଚାର କରାଇବେ ବୋଲି କହିଛନ୍ତି । 

ଅପରପକ୍ଷେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ପର୍ଯ୍ୟାୟ ପ୍ରଚାର  ସାରିଥିବା ବେଳେ ଶୀଘ୍ର ପୁଣି ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାରକୁ  ଓହ୍ଲାଇବେ । ୬ରୁ ୮ ତାରିଖ ମଧ୍ୟରେ ନୂଆପଡ଼ା ଗସ୍ତରେ  ଯିବେ ମୁଖ୍ୟମନ୍ତ୍ରୀ । ସେ ନୂଆପଡ଼ାରେ ଦୁଇ ଦିନ ପ୍ରଚାର  କରିବେ । ଖୁବଶୀଘ୍ର ତାରିଖ ସ୍ପଷ୍ଟ ହେବ ବୋଲି ଆଇନମନ୍ତ୍ରୀ  ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ବିଜେପି ପ୍ରଚାର ବାବଦରେ  ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜେ ଟିକିନିଖି କଥା  ବୁଝୁଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଥମ ପର୍ଯ୍ୟାୟ ପ୍ରଚାର  କରି ଫେରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ୍‌ ମଧ୍ୟ ଜୋରଦାର  ପ୍ରଚାର କରୁଛନ୍ତି । ବାତ୍ୟା ଭୟ ଛାଡ଼ିବା ପରେ ରାଜସ୍ୱ ମନ୍ତ୍ରୀ  ସୁରେଶ ପୂଜାରୀ ଏବେ ନୂଆପଡ଼ାରେ ପହଞ୍ଚିଛନ୍ତି । ଜୋରଦାର  ପ୍ରଚାର କରୁଛନ୍ତି । ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ,  ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ ମନ୍ତ୍ରୀ  ରବିନାରାୟଣ ନାଏକ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଖାଦ୍ୟ  ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ ବହୁ ମନ୍ତ୍ରୀ ଓ ବିଜେପିର  ବହୁ ବିଧାୟକ ଜୋରଦାର ପ୍ରଚାରରେ ମାତିଛନ୍ତି । ଦୁଇ ଦିନ ହେବ  କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ପ୍ରଚାର କରୁଥିବା ବେଳେ  ଆଗକୁ ଅନ୍ୟ ଜାତୀୟସ୍ତରୀୟ ନେତା ପ୍ରଚାରରେ ଆସିବେ ବୋଲି  ଦଳ ପକ୍ଷରୁ ସୂଚନା ଦିଆଯାଇଛି । ବିଜେପି ରାଜ୍ୟ ସଭାପତି  ମନମୋହନ ସାମଲ ନୂଆପଡ଼ା ବିଜେପି ପ୍ରଚାରର ରଣନୀତି  ପ୍ରସ୍ତୁତ କରୁଛନ୍ତି । ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ  ଏହା ପ୍ରଥମ ଉପନିର୍ବାଚନ ହୋଇଥିବାରୁ ଦଳ ତା’ର ସର୍ବଶ୍ରେଷ୍ଠ  ପ୍ରଦର୍ଶନ କରିବାକୁ ଲାଗିପଡ଼ିଛି । ରାଜ୍ୟ ବିଜେପିର ବହୁ ବରିଷ୍ଠ  ପଦାଧିକାରୀ, ନେତା, ଏହା ସହିତ ସଂଘ ପରିବାରର ବହୁ  ସଦସ୍ୟ, ସଦସ୍ୟା ମଧ୍ୟ ପ୍ରଚାର କରୁଛନ୍ତି ।

ଉଲ୍ଲେଖଯୋଗ୍ୟ  ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୧୧ ତାରିଖରେ ମତଦାନ  ଓ ୧୪ ତାରିଖରେ ଭୋଟ ଗଣତି ହେବ ।

Leave a Reply

Your email address will not be published. Required fields are marked *