silver girl rinky: ପିତାଙ୍କ ଦେହାନ୍ତ, ମା’ଙ୍କ ବିରୋଧ ସତ୍ତ୍ବେ ‘ରୂପା ଝିଅ’ ରିଙ୍କି

ପଦକ ବିଜୟିନୀ ରିଙ୍କି ନାୟକଙ୍କ ସଂଘର୍ଷର କାହାଣୀ

ବ୍ରହ୍ମପୁର/ଭୁବନେଶ୍ବର: ନିଜ ଓଜନଠାରୁ ବି ଅଧିକ କିଲୋଗ୍ରାମ ଉତ୍ତୋଳନ କରିବାକୁ ପଡ଼ିଥାଏ ଭାରୋତ୍ତୋଳନରେ। ଦୁଃଖ, ଦୁର୍ଦଶା, ଦୁଶ୍ଚିନ୍ତା ଓ ବିଷାଦ ଭିତରେ ଥିଲେ ଏହା ଅଧିକ ଭାରାକ୍ରାନ୍ତ କରିଥାଏ। କିନ୍ତୁ ସଙ୍କଳ୍ପ, ପ୍ରତିଜ୍ଞା, ପରିଶ୍ରମ ଓ ନିଷ୍ଠା ସହିତ ଝୁଙ୍କ ଥିଲେ ଏ ସବୁ ନକାରାତ୍ମକ ଦିଗ ଫୁତ୍‌କାରରେ ଉଡ଼ିଯାଇପାରୋ। ଏମିତି ପରିସ୍ଥତିକୁ ସାମ୍ନା କରି ସଫଳତାର ସିଡ଼ି ଚଢ଼ିଛନ୍ତି ୨୩ ବର୍ଷୀୟା ବ୍ରହ୍ମପୁର ଝିଅ ରିଙ୍କି ନାୟକ। ନିକଟରେ ରାଜସ୍ଥାନର ବିକାନିର ସ୍ଥିତ ମହାରାଜା ଗଙ୍ଗା ସିଂ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ଭାରୋତ୍ତୋଳନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ପ୍ରତିନିଧିତ୍ବ କରି ରୌପ୍ୟ ପଦକ ହାସଲ କରି କେବଳ ରାଜ୍ୟ ନୁହେଁ ଗଞ୍ଜାମଜିଲ୍ଲା ପାଇଁ ରିଙ୍କି ଆଣିଛନ୍ତି ଗର୍ବ ଓ ଗୌରବ।

ତାଲିମରୁ ଦିନେ ଘରକୁ ଫେରିବା ପରେ ରିଙ୍କିଙ୍କ ଜୀବନରେ ବଡ଼ ପରିବର୍ତନ ହୋଇଯାଇଥିଲା। ୨୦୨୦ରେ ପିତାଙ୍କ ଦେହାନ୍ତ ତାଙ୍କ ମୁଣ୍ଡ ଉପରେ ଅତିରିକ୍ତ ବୋଝ ଭଳି ଲଦି ହୋଇଯାଇଥିଲା। ଦିନରାତି ଦେଖୁଥିବା ସ୍ବପ୍ନ ସବୁ ଅମା ଅନ୍ଧକାର ଭିତରେ ହଜିଯିବାକୁ ବସିଥିଲା। କିନ୍ତୁ ସ୍କୁଲ୍‌ ଜୀବନରୁ ଖେଳାଳି ହେବାର ନିଶା ରିଙ୍କିଙ୍କୁ ଛାଡ଼ିନଥିଲା। ଲକ୍ଷ୍ୟ ହାସଲ ପାଇଁ ପ୍ରତିଶ୍ରୁତିବଦ୍ଧ ହେଲେ କୌଣସି ପରିସ୍ଥିତି ପ୍ରତିବନ୍ଧକ ସାଜି ନଥାଏ। ସ୍ବପ୍ନକୁ ସତ କରି ଦେଖାଇଛନ୍ତି ରିଙ୍କି ନାୟକ। ଭିନ୍ନ କିଛି କରି ଦେଖାଇବାର ସ୍ବପ୍ନ ନେଇ ପିଲାଟି ଦିନରୁ ଭାରୋତ୍ତୋଳନ ଆଖଡ଼ାରେ ପାଦ ଥାପିଥିଲେ ରିଙ୍କି। ବ୍ରହ୍ମପୁର-୨ ବାଳିକା ଉଚ୍ଚବିଦ୍ୟାଳୟ‌ରେ ପଢ଼ୁଥିବାବେଳେ ଅଭିଜ୍ଞ ପ୍ରଶିକ୍ଷକ ଯଜ୍ଞନାରାୟଣ ନନ୍ଦଙ୍କ ତତ୍ତ୍ବାବଧାନରେ ୨୦୧୮ରୁ ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ଝିଅ ପିଲା କହି ମାଆ ପ୍ରଥମରୁ ବିରୋଧ କରୁଥିଲେ। ହେଲେ, ବାପା ସ୍ବର୍ଗତ ନୀଳାଦ୍ରି ନାୟକଙ୍କ ସମର୍ଥନରେ ସେ ଆଗେଇ ଚାଲିଥିଲେ। ଘରେ ବଡ଼ ଝିଅ ହୋଇଥିବାରୁ ବିଭିନ୍ନ ଦାୟିତ୍ବ ନିର୍ବାହ ସହ ପ୍ରଶିକ୍ଷଣରେ ଅନେକ ସମୟରେ ସମସ୍ୟା ଆସୁଥିଲା। ଏଥିପାଇଁ ୨୦୧୯ରୁ ରିଙ୍କିଙ୍କୁ ଦେଢ଼ବର୍ଷ ଧରି ଖେଳଠାରୁ ଦୂରେଇ ରହିବାକୁ ପଡ଼ିଥିଲା। ପରେ ୨୦୨୦ ଅଗଷ୍ଟରୁ ସେ ପୁଣିଥରେ ଅଭ୍ୟାସ ଆରମ୍ଭ କରିଥିଲେ।

ହଠାତ୍ ୨୦୨୦ରେ ବାପାଙ୍କ ପରଲୋକ ପରେ ଭାଙ୍ଗି ପଡ଼ିବା ସହ ମା’ଙ୍କୁ ମନାଇ ପୁଣି ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ୨୦୨୧ କିଟ୍‌ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ଓପନ୍‌ ଜାତୀୟ ପ୍ରତି‌ଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରଶିକ୍ଷଣ ସମୟରେ ଆଘାତ ପାଇଁ କାନ୍ଧରେ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ପୁଣି ବର୍ଷେ ବିଶ୍ରାମ ନେବାକୁ ପଡ଼ିଥିଲା। ୨୦୨୪ରେ ଅସ୍ମିତା ‌ଖେଲୋ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ଜିତିବା ସହ ଉତ୍ତରାଞ୍ଚଳ ପ୍ରତିଯୋଗିତାରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ପରିବାରର ପ୍ରତିବନ୍ଧକ ଓ ଆଘାତ ସମସ୍ୟା ରିଙ୍କିଙ୍କ ପାଇଁ କେବେ ମଧ୍ୟ ପ୍ରତିବନ୍ଧକ ସାଜିପାରିନାହିଁ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ପଢ଼ୁଥିବା ରିଙ୍କି ନାୟକ ୪୮ କେଜି ବର୍ଗରେ ଭାଗ ନେଇ ସ୍ନାଚ୍‌ ୬୩ ଓ ଜର୍କ ୮୬ ସହ ମୋଟ ୧୪୯ କେଜି ଭାରୋତ୍ତୋଳନରେ ପଦକ ହାସଲ କରିଛନ୍ତି।

କୋଚ୍ ଶ୍ରୀନନ୍ଦଙ୍କ କହିବା ଅନୁସାରେ, ସେ ଜଣେ ପରିଶ୍ରମୀ ଓ ଦୃଢ଼ମନା କ୍ରୀଡ଼ାବିତ୍‌। ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ବଳରେ ଆଗାମୀ ଦିନରେ ଦେଶ ପାଇଁ ପଦକ ଆଣିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଅଲିମ୍ପିଆନ୍‌ କେ ରବି କୁମାର ମଧ୍ୟ ରିଙ୍କିଙ୍କ ସଂର୍ଘଷର ଯାତ୍ରା ଅନ୍ୟ କ୍ରୀଡ଼ାବିତଙ୍କ ପାଇଁ ପ୍ରେରଣା ପାଲଟିଛି ବୋଲି କହିଛନ୍ତି। ଶୃଙ୍ଖଳିତ ଓ ଉଚ୍ଚକୋଟୀର କ୍ରୀଡ଼ାବିତ୍‌ଙ୍କ ଭବି‌ଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *