FIR: ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନାଁରେ ପାଲଟା ଏତଲା ଦେଲେ ଯୁବ ବିଜେଡି ନେତା

ଗତ ୨୮ତାରିଖ ଦିନ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଜିଲ୍ଲାପାଳ ଓ ଅନ୍ୟମାନଙ୍କ ସମ୍ମୁଖରେ ଡିଡବ୍ଲୁଓଙ୍କୁ ଗୁଳି କରିଦେବି ବୋଲି କହିବା ସହ ତାଙ୍କ ଅସମ୍ମାନ କରିବା ଅଭିଯୋଗ କରି ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ ଡିଡବ୍ଲୁଓ। ଆଜି ଯୁବ ବିଜେଡି ଦଳର ନେତା ନେତ୍ରନନ୍ଦ କଲାର ପାଲଟା ଏତଲା ଦେଇଛନ୍ତି। ଶ୍ରୀ କଲାରଙ୍କୁ ଆରଟିଆଇ ମାଗିଥିବାରୁ ଡିଡବ୍ଲୁଓ ପାଲକା ରବୀନ୍ଦ୍ର ଜୀବନରେ ମାରିବାକୁ ଧମକ ଦେଇଥିବା ଅଭିଯୋଗ କରି ଏହି ଏତଲା ଦେଇଛନ୍ତି। ‌ଶ୍ରୀ କଲାର ଏତଲା ଦେବା ବେଳେ ନବରଙ୍ଗପୁର ସହରର ବିଜୁ ଜନତା ଦଳର ସମର୍ଥକ ଓ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଶ୍ରୀ କଲାର ଅଭିଯୋଗ ଆଣିଛନ୍ତି ଯେ, ମିଥ୍ୟା ବିଲ୍ ଦାଖଲ କରି ସରକାରୀ ଅର୍ଥ ଆତ୍ମସାତ୍ଓ ଆଦିବାସୀଙ୍କ ବିକାଶ ପାଇଁ ଆସିଥିବା ଅର୍ଥକୁ ବାଟମରଣା କରି ଲୁଟ୍ କରୁଥିବା ତଥ୍ୟ ମାଗିବା ଯୋଗୁଁ ମୋତେ ଜୀବନରେ ମାରିଦେବା ଧମକ ଦେଇଥିଲେ। ଗତ ଜୁନ ୨୪ ତାରିଖରେ ମୋ ଦ୍ବାରା ମଗାଯାଇଥିବା ସୂଚନା ଅଧିକାର ଆଇନ ବଳରେ ତଥ୍ୟ ସବୁ ହସ୍ତଗତ ହୋଇଛି। ବିନା ଟେଣ୍ଡର ପ୍ରକ୍ରିୟାରେ ଏକ ସଂସ୍ଥା ଦ୍ବାରା ଦୁଇଗୁଣ ମୂଲ୍ୟରେ କିଣି କୋଟି କୋଟି ଟଙ୍କା ଆତ୍ମସାତ୍ କରାଯାଇଛି। ଆଦିବାସୀ ପିଲାଙ୍କ ପାଇଁ ଖାଇବାକୁ ଦେବା ଷ୍ଟିଲ୍‌ ଥାଳି ଯାହାକି ବଜାରରେ ୧୫୦ ଟଙ୍କାରେ ଉପଲବ୍ଧ ତାକୁ ୪୧୦ ଟଙ୍କା ଦର୍ଶାଯାଇଛି। ସେହିପରି ପିଲାମାନଙ୍କ ଶୋଇବା ପାଇଁ ଉଦ୍ଦିଷ୍ଟ ଗଦି ବଜାରରେ ୨୪୯୦ ଟଙ୍କାରେ ମିଳୁଥିଲେ ମଧ୍ୟ ତାକୁ ୨୯୯୦ ଟଙ୍କାରେ କିଣାଯାଇଛି ବୋଲି କୁହାଯାଇଛି। ବାଇମେଟ୍ରିକର ବଜାର ମୂଲ୍ୟ ୮୩୦୦ ଟଙ୍କା ଥିଲା ବେଳେ ଏହାକୁ ୧୫,୮୦୦ ଟଙ୍କାରେ କିଣାଯାଇଛି।

‘ମୋ ଜୀବନ ପ୍ରତି ବିପଦ ଅଛି’

ଶ୍ରୀ କଲାର ସୂଚନା ଅଧିକାର ଆଇନ ବଳରେ ଉପରୋକ୍ତ ସୂଚନା ମାଗିବା ଯୋଗୁଁ ତାଙ୍କ ଉପରେ ରାଗ ଓ ଆକ୍ରୋଶ ରଖି ଗତକାଲି ନବରଙ୍ଗପୁର ଦୈନିକ ବଜାର ସାମନା ରାସ୍ତାରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପାଲକା ଶ୍ରୀକଲାରଙ୍କୁ ଦେଖି ପଚାରିଥିଲେ, ତୁ ନେତ୍ରା କଲାର କି? ମୋତେ ବଦନାମ କରିବା ପାଇଁ ଆର.ଟି.ଆଇ ତଥ୍ୟ ମାଗୁଛୁ, ମୋର ଯେତିକି ଲୋକ ଅଛନ୍ତି ଗୋଟେ ଚୁଟକିରେ ତୋତେ ଶେଷ କରି ଦେବି। ମୋତେ ଭଲକି ଚିହ୍ନି ଥା। ତୋର ଆର.ଟି.ଆଇ ମାଗିବା ମଜା ଛଡ଼ାଇ ଦେବି ବୋଲି ଧମକ ଦେଲେ। ମୁଁ ନିଜକୁ ଅସୁରକ୍ଷିତ ମନେ କରି ସେଠାରୁ ଚାଲି ଆସିଥିଲି। ମୋର ମାନସିକ ସ୍ଥିତି ଅନ୍ତତ୍ୟ ଦୁର୍ବଳ ହୋଇଯାଇ ଭୟଭୀତ ହୋଇଯାଇଛି। ଜୀବନ ପ୍ରତି ବିପଦ ଥିବା ହେତୁ ମୁଁ ସେ ପୁଲିସର ଦ୍ବାରସ୍ଥ ହୋଇଥିବା ଏତଲା‌ରେ ଲେଖିଛନ୍ତି। ପୁଲିସ ତଦନ୍ତ କରି ଏହାର ସତ୍ୟାସତ୍ୟ ବାହାର କରନ୍ତୁ। ଡିଡବ୍ଲୁଓ ପାଲକାଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *