ଗାଜା ଯୁଦ୍ଧରେ ବିରାମ ଲାଗିବା ପରେ ବିଶ୍ବରେ ଶାନ୍ତି ଫେରଆସିବ ବୋଲି ଆଶା କରାଯାଉଛି । କିନ୍ତୁ ଏହାରି ମଧ୍ୟରେ ଏକ ଭୟଙ୍କର ଯୁଦ୍ଧର ସୂତ୍ରପାତ ହେବାର ଆଶଙ୍କା ବୃଦ୍ଧି ପାଇଛି । ପାକିସ୍ତାନ ଏବଂ ତାଲିବାନ ମଧ୍ୟରେ ଏକ ଭୟଙ୍କର ଲଢ଼େଇ ହୋଇପାରେ । ଏଭଳି ଚର୍ଚ୍ଚା ମଧ୍ୟରେ ଇସଲାମାବାଦର ଯୁଦ୍ଧବିରାମ ପ୍ରସ୍ତବାକୁ ପ୍ରତ୍ୟାଖ୍ୟାନ କରିଛି କାବୁଲ । ଏପରିକି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ, ଆଇଏସଆଇ ମୁଖ୍ୟ ଅସୀମ ମଲିକ ଏବଂ ଅନ୍ୟ ଦୁଇ ପାକ୍ ଅଧିକାରୀଙ୍କ ଭିସା ରଦ୍ଦ କରି ଦେଇଛି ଆଫଗାନିସ୍ତାନ । ଗତ ୩ ଦିନ ମଧ୍ୟରେ ୩ଥର ସେମାନଙ୍କର ଭିସା ଆବେଦନ ଖାରଜ କରିସାରିଛି କାବୁଲ । ପାକିସ୍ତାନ ବିରୋଧରେ ଆଫଗାନିସ୍ତାନର ଏଭଳି କଡ଼ା ଆଭିମୁଖ୍ୟ ଦୁଇ ଦେଶ ମଧ୍ୟରେ ବିବାଦକୁ ଆହୁରି ବୃଦ୍ଧି କରିବ ବୋଲି କୁହାଯାଉଛି ।
ସେପଟେ ଗାଜା ଯୁଦ୍ଧ ବନ୍ଦ କରିବାରେ ପ୍ରମୁଖ ଭୂମିକା ନେଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ-ଆଫଗାନିସ୍ତାନ ବିବାଦ ସମାଧାନ କରିବେ ବୋଲି ମଧ୍ୟ କହିଛନ୍ତି । ବିଶ୍ବରେ ନିଜକୁ ଜଣେ ଶାନ୍ତିର ଦୂତ ବୋଲି ପ୍ରଚାର କରୁଥିବା ଟ୍ରମ୍ପ ଏବେ ଯୁଦ୍ଧ ବନ୍ଦ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଏଥର ନୋବେଲ ପୁରସ୍କାର ପାଇନଥିଲେ ମଧ୍ୟ ଆଶା ଛାଡ଼ିନାହାନ୍ତି ଟ୍ରମ୍ପ । ସେପଟେ ଗାଜା ଯୁଦ୍ଧ ବନ୍ଦ କରାଇବା ପରେ ଆଜି ଇସ୍ରାଏଲରେ ପହଞ୍ଚିଥିଲେ ଟ୍ରମ୍ପ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଇସ୍ରାଏଲ ସର୍ବୋଚ୍ଚ ପୁରସ୍କାର ଗ୍ରହଣ କରିଥିଲେ ଟ୍ରମ୍ପ । ଇସ୍ରାଏଲ ଗସ୍ତ ସମୟରେ ସେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବେ ବୋଲି କହିଛନ୍ତି ।
ସେ କହିଛନ୍ତି, ମୁଁ ଶୁଣିଲି ଯେ ଏବେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ଚାଲିଛି । ତେଣୁ ମୁଁ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ମୁଁ ବିବାଦ ସମାଧାନ ଏବଂ ଶାନ୍ତି ପ୍ରତିଷ୍ଠା କରିବାରେ ଦକ୍ଷ, ଏବଂ ଏହା କରିବା ମୋ ପାଇଁ ଏକ ସମ୍ମାନ। ମୁଁ ଯୁଦ୍ଧ ସମାଧାନ କରିବାରେ ଏବଂ ଶାନ୍ତି ପ୍ରତିଷ୍ଠାରେ ବିଶେଷଜ୍ଞ। ଏହା କରିବା ସମ୍ମାନର ବିଷୟ ।’ଅନ୍ୟପକ୍ଷରେ, ଚୀନ୍ ଉଭୟ ଦେଶକୁ ଚୀନ୍ କର୍ମଚାରୀ, ପ୍ରକଳ୍ପ ଏବଂ ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷା ସୁରକ୍ଷା ସୁନିଶ୍ଚିତ କରିବାକୁ ଅପିଲ୍ କରିଛି । ଚୀନ୍ ଉଭୟ ପକ୍ଷଙ୍କୁ ସଂଯମତା ରକ୍ଷା କରିବାକୁ କହିଛି । ଉଭୟ ରାଷ୍ଟ୍ର ଚୀନର ବନ୍ଧୁ ଏବଂ ପରଷ୍ପରର ପଡ଼ୋଶୀ ବୋଲି କହିଛି ବେଜିଂ ।
ସୂଚନାଯୋଗ୍ୟ, ପାକିସ୍ତାନ ସେନା ରବିବାର କହିଛି ଯେ, ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ସହିତ ଏହାର ଅତି କମରେ ୨୩ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ ରୁ ଅଧିକ ତାଲିବାନୀ ନିହତ ହୋଇଛନ୍ତି । ଅନ୍ୟପକ୍ଷରେ ତାଲିବାନ ସରକାରଙ୍କ ମୁଖ୍ୟ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ ଦାବି କରିଛନ୍ତି ଯେ, ଆକ୍ରମଣରେ ୫୮ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି ଏବଂ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି। ସେପଟେ ଦୁଇ ଦେଶର ବିବାଦକୁ ନେଇ ଏବେ ଚୀନ ଚିନ୍ତାରେ । ଚୀନ୍ ଏକ ତ୍ରିପାକ୍ଷିକ ତନ୍ତ୍ର ମାଧ୍ୟମରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ସହିତ ଘନିଷ୍ଠ ସମ୍ପର୍କ ବଜାୟ ରଖିଛି । ପାକିସ୍ତାନର ଆତଙ୍କବାଦୀ ଗୋଷ୍ଠୀ, ତେହେରିକ-ଏ-ତାଲିବାନ୍ ପାକିସ୍ତାନ (TTP) ଏବଂ ବାଲୁଚ୍ ଲିବରେସନ୍ ଆର୍ମି (BLA)କୁ କାବୁଲ ଆଶ୍ରୟ ଦେଉଥିବା ନେଇ ଇସଲାମାବାଦ ବାରମ୍ବାର ଅଭିଯୋଗ କରିଆସିଛି । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଥିବା ମତଭେଦ ଦୂର କରିବା ପାଇଁ ସମୟ ସମୟରେ ବୈଠକ ଆୟୋଜନ କରୁଛି ଚୀନ।
