ସେପ୍ଟେମ୍ବରରେ ରାଜସ୍ଥାନ ବିଧାନସଭାରେ ପାରିତ ହୋଇଥିବା ଧର୍ମାନ୍ତରୀକରଣ ବିରୋଧୀ ବିଲ ଆଜିଠାରୁ ଆଇନରେ ପରିଣତ ହୋଇଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ନୂତନ ଧର୍ମାନ୍ତରୀକରଣ ଆଇନ ସମ୍ପର୍କରେ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତି ପରେ, ଧର୍ମାନ୍ତରୀକରଣ ସହିତ ଜଡିତ ମାମଲାଗୁଡ଼ିକ ଏବେ ନୂତନ ଆଇନ ଅନୁଯାୟୀ ରୁଜୁ କରାଯିବ। ଆଜିଠାରୁ କାର୍ଯ୍ୟକାରୀ ହୋଇଥିବା ଏହି ଆଇନ ଅନୁଯାୟୀ, ସ୍ୱେଚ୍ଛାକୃତ ଧର୍ମାନ୍ତରୀକରଣ ପାଇଁ ମଧ୍ୟ ସରକାରଙ୍କ ଅନୁମତି ଆବଶ୍ୟକ । କିନ୍ତୁ ମୂଳ ଧର୍ମ ଅର୍ଥାତ୍ ହିନ୍ଦୁ ଧର୍ମକୁ ଫେରିବାକୁ ହେଲେ ଏହି ଆଇନ ଲାଗୁହେବ ନାହିଁ।
ଚଳିତ ବର୍ଷ ସେପ୍ଟେମ୍ବର ୯ ତାରିଖରେ ରାଜସ୍ଥାନ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଧର୍ମାନ୍ତରୀକରଣ ବିରୋଧୀ ବିଲ୍ (ରାଜସ୍ଥାନ ବେଆଇନ ଧାର୍ମିକ ପରିବର୍ତ୍ତନ ନିଷେଧ ବିଲ୍, ୨୦୨୫) ଧ୍ବନିମତରେ ଗୃହୀତ ହୋଇଥିଲା। ଏଥିରେ ଅନେକ କଠୋର ବ୍ୟବସ୍ଥା ରହିଛି।
-ଯେଉଁ କୋଠାରେ ସାମୂହିକ ଧର୍ମାନ୍ତରୀକରଣ ହେବ, ସେହି କୋଠାକୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇପାରିବ।
– ମୂଳ ଧର୍ମକୁ ଫେରିବା କ୍ଷେତ୍ରରେ ଏହି ଆଇନ ପ୍ରଯୁଜ୍ୟ ହେବ ନାହିଁ।
– ଯଦି କାହାର ପୂର୍ବପୁରୁଷ ସନାତନୀ ଥିଲେ ଏବଂ ସେ ଅନେକ ପିଢ଼ି ଧରି ଅନ୍ୟ ଧର୍ମ ପାଳନ କରୁଥିଲେ, ସେ ପୁଣି ଥରେ ସନାତନ ଧର୍ମ ନେବାକୁ ଚାହୁଁଛନ୍ତି ତେବେ ଏହାକୁ ଘର ବାହୁଡ଼ା ଭାବରେ ବିବେଚନା କରାଯିବ।
କଂଗ୍ରେସ ଆଣିଥିଲା ଅଭିଯୋଗ
ଏହି ଧର୍ମାନ୍ତରୀକରଣ ଆଇନ ‘ଘର ୱାପସି’ (ଘର ବାହୁଡ଼ା) ମାମଲା ପାଇଁ ପ୍ରଯୁଜ୍ୟ ହେବ ନାହିଁ। ନୂତନ ଆଇନରେ ଆଜୀବନ କାରାଦଣ୍ଡ ଏବଂ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା କରାଯାଇଛି। ଦାବି କରାଯାଉଛି ଯେ, ଦେଶର ଯେଉଁ ରାଜ୍ୟଗୁଡ଼ିକରେ ଧର୍ମାନ୍ତରୀକରଣ ଆଇନ କାର୍ଯ୍ୟକାରୀ ହୋଇଛି, ସେଥିମଧ୍ୟରୁ ରାଜସ୍ଥାନରେ ସବୁଠାରୁ କଠୋର ବ୍ୟବସ୍ଥା ହୋଇଛି । ଗୃହରେ ଆଲୋଚନା ସମୟରେ କଂଗ୍ରେସ ଦଳ ଅଭିଯୋଗ କରିଥିଲା ଯେ, ଧର୍ମାନ୍ତରୀକରଣ ବିଲ୍ ସମାଜକୁ ବିଭାଜିତ କରିବ ଏବଂ ଏହା ଅନାବଶ୍ୟକ।
‘ଏହି ବିଲ୍ର କୌଣସି ଆବଶ୍ୟକତା ନଥିଲା’
ବିଧାନସଭାର ବିରୋଧୀ ଦଳ ନେତା ଟିକାରାମ ଜୁଲି କହିଥିଲେ ଯେ, ରାଜ୍ୟରେ ଲଭ୍ ଜିହାଦର ଗୋଟିଏ ବି ମାମଲା ରିପୋର୍ଟ ହୋଇନାହିଁ। ତେଣୁ, ଏହି ବିଲ୍ର କୌଣସି ଆବଶ୍ୟକତା ନଥିଲା। ସେପଟେ ଶାସକ ଦଳର ନେତା ଦାବି କରିଥିଲେ ଯେ, ରାଜ୍ୟରେ ଭୟ, ବଳପ୍ରୟୋଗ ଏବଂ ପ୍ରଲୋଭନ ମାଧ୍ୟମରେ ବ୍ୟାପକ ଧର୍ମ ପରିବର୍ତ୍ତନ କରାଯାଉଛି। ନିର୍ଦ୍ଦୋଷ ଲୋକଙ୍କୁ, ବିଶେଷକରି ଯୁବତୀମାନଙ୍କୁ ଏକ ଷଡ଼ଯନ୍ତ୍ରର ଅଂଶ ଭାବରେ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଛି ଏବଂ ପରେ ହଇରାଣ କରାଯାଉଛି।
ସୂଚନାଯୋଗ୍ୟ, ରାଜ୍ୟରେ ତୃତୀୟ ପ୍ରୟାସରେ ଧର୍ମାନ୍ତରୀକରଣ ଆଇନ ଲାଗୁ ହୋଇଛି। ୨୦୦୫ ଏବଂ ୨୦୦୮ ମସିହାରେ ମଧ୍ୟ ବିଧାନସଭାରେ ଧର୍ମାନ୍ତରୀକରଣ ବିଲ୍ ଗୃହୀତ ହୋଇଥିଲା । କିନ୍ତୁ ଉଭୟ ଥର ଏହାକୁ ରାଜ୍ୟପାଳଙ୍କ ଅନୁମୋଦନ ମିଳିପାରିନଥିଲା। ବିଜେପି ସରକାର ସମୟରେ ଏହି ବିଲ୍ ତିନିଥର ବିଧାନସଭାରେ ମଞ୍ଜୁର ହୋଇଛି। ଅନେକ ସଂଗଠନ ସୁପ୍ରିମକୋର୍ଟରେ ଧର୍ମାନ୍ତରୀକରଣ ଆଇନକୁ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି । ଦେଶରେ ପୂର୍ବରୁ ଯେଉଁ ୧୨ଟି ରାଜ୍ୟରେ ଧର୍ମାନ୍ତରୀକରଣ ବିରୋଧୀ ଆଇନ ଆସିଥିଲା, ସେହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି ।
