ବଦଳି ଯିବ ବ୍ୟାଙ୍କ ଆକାଉଣ୍ଟର ପୁରା ସିଷ୍ଟମ, ଏକାଠି ୪ ନୋମିନି ରଖିବାର ରହିବ ବିକଳ୍ପ

 ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ଏବେ ଖାତାଧାରକ ନିଜର ବ୍ୟାଙ୍କ ଆକାଉଣ୍ଟରେ ଗୋଟିଏ ନୁହେଁ, ବଂର ୪ ଜଣ ନୋମିନି ରଖିପାରିବେ। ଅର୍ଥ ମନ୍ତ୍ରଣାଳୟ  ଗୁରୁବାର ଏହି ନୂଆ ବ୍ୟବସ୍ଥାର ଘୋଷଣା କରିଛି। ଏହାର ଉଦେଶ୍ୟ ହେଉଛି ବ୍ୟାଙ୍କିଙ୍ଗ ପ୍ରଣାଳୀରେ ସମାନତା ଏବଂ ଦକ୍ଷତା ସୁନିଶ୍ଚିତ କରିବା। ୧ ନଭେମ୍ବର ୨୦୨୫ ରୁ ଏହା ଲାଗୁ ହେବ।  

ମନ୍ତ୍ରଣାଳୟର କହିବା ଅନୁସାରେ, ବ୍ୟାଙ୍କିଙ୍ଗ ଆଇନ(ସଂଶୋଧନ) ଅଧିନିୟମ,୨୦୨୫ ଅନୁସାରେ ଖାତାରେ ବ୍ୟକ୍ତିଙ୍କ ନାମାଙ୍କନ ସମ୍ପର୍କିତ ପ୍ରମୁଖ ନିୟମ ଆସନ୍ତା ମାସରୁ ଲାଗୁ କରାଯିବ। ଏହି ଅଧିନିୟମ ୧୫ ଏପ୍ରିଲ ୨୦୨୫ରୁ ସୂଚିତ କରାଯାଇଥିଲା। ଏହା ଅନୁସାରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନିୟମ ୧୯୩୪, ବ୍ୟାଙ୍କିଙ୍ଗ ନିୟନ୍ତ୍ରଣ ଆଇନ ୧୯୪୯, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଧିନିୟମ ୧୯୫୫ ଓ ବ୍ୟାଙ୍କିଙ୍ଗ କମ୍ପାନୀ (ଉପକ୍ରମର ଅଧିଗ୍ରହଣ ଏବଂ ହସ୍ତାନ୍ତରଣ) ଅଧିନିୟମ, ୧୯୭୦ ଓ ୧୯୮୦ ସହିତ ୫ଟି ଆଇନରେ ମୋଟ ୧୯ଟି ସଂଶୋଧନ କରାଯାଇଛି।

ଅର୍ଥମନ୍ତ୍ରଣାଳୟର ସୂଚନା ଅନୁସାରେ, ଏହି ସଂଶୋଧନ ଅନୁରୂପ ବ୍ୟାଙ୍କ ଗ୍ରାହକ ନିଜର ଖାତା ଏକାଠି କିମ୍ବା କ୍ରମାଗତ ଭାବରେ ୪ ଜଣ ବ୍ୟକ୍ତିଙ୍କୁ ନୋମିନି ରଖିପାରିବେ। ଏହି ଖାତାଧାରକ କିମ୍ବା ତାଙ୍କର ବୈଧ ଉତ୍ତରାଧିକାରୀଙ୍କ ଦାବିର ସମାଧାନରେ ସୁବିଧା ହେବ। ମନ୍ତ୍ରଣାଳୟ କହିଛି ଖାତା ନାମାଙ୍କନ ପକ୍ରିୟାରେ ପାରଦର୍ଶିତା ଆଣିବା ପାଇଁ ଗ୍ରାହକ ପ୍ରତ୍ୟେକ ନୋମିନିଙ୍କ ଅଂଶ କିମ୍ବା ପ୍ରତିଶତ ନିର୍ଦ୍ଧାରିତ କରିପାରିବେ। ଯାହାଫଳରେ ମୋଟ ଅଂଶୀଦାରୀ ୧୦୦ ପ୍ରତିଶତ ହେବ ଓ କୌଣସି ପ୍ରକାର ବିବାଦ ରହିବନି।

ବ୍ୟାଙ୍କରେ ସୁରକ୍ଷିତ ରଖିଥିବା ବସ୍ତୁ ଓ ଲକର ପାଇଁ କେବଳ କ୍ରମାଗତ ନାମାଙ୍କନ ହିଁ ମଞ୍ଜୁରୀ ଦିଆଯାଇଛି। ଏହାର ଅର୍ଥ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପରେ ଆଉ ଜଣେ ବ୍ୟକ୍ତି ଅଧିକାର ପାଇପାରିବେ। ମନ୍ତ୍ରଣାଳୟ କହିଛି, ଏଭଳି ନିୟମ ଦ୍ବାରା ବ୍ୟାଙ୍କ ଜମାକାରୀଙ୍କୁ ନିଜର ପସନ୍ଦ ହିସାବରେ ନୋମିନି ତିଆରି କରିବାରେ ସୁବିଧା ମିଳିବ। ଏହା ସହିତ ବ୍ୟାଙ୍କିଙ୍ଗ ପ୍ରଣାଳୀର ଦାବିର ସମାଧାନ, ସମାନତା, ପାରଦର୍ଶିତା ଓ ଦକ୍ଷତା ମଧ୍ୟ ସୁନିଶ୍ଚିତ ହେବ। ବ୍ୟାଙ୍କିଙ୍ଗ କମ୍ପାନୀ (ନାମାଙ୍କନ) ନିୟମ ୨୦୨୫  ମଧ୍ୟ ଆଗାମୀ ସମୟରେ ନୋଟିଫିକେସନ୍ ଜାରି କରିବ। ଏଥିରେ ନାମାଙ୍କନ, ବାତିଲ କିମ୍ବା ବହୁବିଧ ନାମାଙ୍କନ ପକ୍ରିୟା ଓ ଏଥିପାଇଁ ଜରୁରୀ କାଗଜପତ୍ରର ବିବରଣୀ ହେବ। ସରକାର ଏହା ପୂର୍ବରୁ ୨୯ ଜୁଲାଇ, ୨୦୨୫ ରେ ଜାରି ନୋଟିଫିକେସନ୍‌ରେ କହିଥିଲେ ଅଧିନିୟମର କିଛି ଧାରା (ଧାରା ୩,୪,୫,୧୫,୧୬,୧୭,୧୮,୧୯ ଓ ୨୦) ୧ ଅଗଷ୍ଟରୁ ପ୍ରଭାବୀ ଭାବରେ ଲାଗୁ ହୋଇସାରିଛି। ଏହି ଅଧିନିୟମରେ ସହକାରୀ ବ୍ୟାଙ୍କର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳଙ୍କୁ ମଧ୍ୟ ଯୁକ୍ତିଯୁକ୍ତ କରାଯାଇଛି। ଏହା ଅନୁସାରେ, ଚେୟାରମ୍ୟାନ୍‌ ଏବଂ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକଙ୍କୁ ଛାଡି ଅନ୍ୟ ନିର୍ଦ୍ଦେଶକଙ୍କ ପାଇଁ ସର୍ବାଧିକ କାର୍ଯ୍ୟକାଳ ଏବେ ୧୦ ବର୍ଷ କରି ଦିଆଯାଇଛି, ଯାହାକି ପୂର୍ବରୁ ୮ ବର୍ଷ ଥିଲା।

Leave a Reply

Your email address will not be published. Required fields are marked *