ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ଲାଗି ନାମାଙ୍କନ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ଲାଗି ପ୍ରାର୍ଥୀପତ୍ର ଯାଞ୍ଚ ସରିଛି । ସବୁଠାରୁ ବଡ଼ କଥା ହେଉଛି, ମେଣ୍ଟରେ ଥିବା ଦଳଗୁଡ଼ିକ ପ୍ରାର୍ଥୀ ଦେବାରେ ବିଳମ୍ବ କରିଥିଲେ । ଏଥିପାଇଁ ଉଭୟ ଇଣ୍ଡି ଏବଂ ଏନଡିଏକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ଏନଡିଏ ସହଯୋଗୀ ଏଲଜେପି ନିର୍ବାଚନ ଲଢ଼ିବା ପୂର୍ବରୁ ଗୋଟିଏ ସିଟ୍ ହରାଇଛି । ଆଉ ଏବେ ବିରୋଧୀ ମେଣ୍ଟର ଜଣେ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ବ ରଦ୍ଦ ହୋଇଛି । ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ପ୍ରାର୍ଥୀ ସୀମା ସିଂହ ମାଧୌରାରୁ ନାମାଙ୍କନ ଭରିଥିଲେ । କିନ୍ତୁ ପ୍ରାର୍ଥିପତ୍ର ଯାଞ୍ଚ ପରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି ।
ସୁଗୌଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ରାଷ୍ଟ୍ରୀୟ ଜନତା ଦଳର ବର୍ତ୍ତମାନର ବିଧାୟକ ଏବଂ ବିକାଶଶୀଳ ଇନସାନ ପାର୍ଟିର ପ୍ରାର୍ଥୀ ଶଶି ଭୂଷଣ ସିଂହ ସମାନ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ଏହି ଦଳ ନିର୍ବାଚନ କମିଶନଙ୍କ ପାଖରେ ଏକ ଆଞ୍ଚଳିକ ଦଳ ଭାବରେ ପଞ୍ଜିକୃତ । ନାମାଙ୍କନ ସମୟରେ ଏପରି ଦଳର ପ୍ରାର୍ଥୀଙ୍କ ସହିତ ୧୦ ଜଣ ପ୍ରସ୍ତାବକ ରହିବା ଆବଶ୍ୟକ। RJDର ପ୍ରାର୍ଥୀ ବୋଲି ଚିନ୍ତା କରି, ଶଶି ଭୂଷଣ ସିଂହ ଜଣେ ପ୍ରସ୍ତାବକଙ୍କ ସହିତ ଯାଇ ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ଯାଞ୍ଚ କରାଯିବା ସମୟରେ, ଆବଶ୍ୟକ ସଂଖ୍ୟକ ପ୍ରସ୍ତାବକ ନଥିବାରୁ ତାଙ୍କର ନାମାଙ୍କନକୁ ଖାରଜ କରିଦିଆଯାଇଛି ।
ସେପଟେ ଏହି ସୁଗୌଲି ଆସନରୁ ଆରଜେଡିରୁ ବିଦ୍ରୋହ କରି ସ୍ବାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ କରିଥିଲେ ଓମ ପ୍ରକାଶ ସାହାଣୀ। ତାଙ୍କର ମଧ୍ୟ ପ୍ରାର୍ଥିପତ୍ର ଖାରଜ ହୋଇଥିବା ଜଣାପଡ଼ିଛି । ନାମାଙ୍କନ ଫର୍ମରେ ସେ ଅନେକ ପୃଷ୍ଠା ଖାଲି ଛାଡି ଦେଇଥିବା ଅଭିଯୋଗ ହୋଇଛି। ଇଣ୍ଡି ମେଣ୍ଡର ପ୍ରାର୍ଥୀ ଶଶି ଭୂଷଣ ସିଂହ ଏବଂ ସ୍ବାଧୀନ ପ୍ରର୍ଥୀ ଓମ ପ୍ରକାଶଙ୍କ ନାମାଙ୍କନ ଖାରଜ ହୋଇଥିବାରୁ ଏବେ ଏହି ଆସନରେ ଜନ ସୁରାଜ ଏବଂ ଏନଡିଏ ମଧ୍ୟରେ ଲଢ଼େଇ ହେବ । ଏହି ସିଟ୍ରେ ଜନ ସୁରାଜ ପାର୍ଟିର ଅଜୟ ଝା ଏବଂ ଏନଡିଏ ସମର୍ଥିତ ଏଲଜେପି ରାମବିଳାସ ପାର୍ଟିର ପ୍ରାର୍ଥୀ ରାଜେଶ କୁମାର ଓରଫ ବବଲୁ ଗୁପ୍ତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ପୂର୍ବ ନିର୍ବାଚନରେ, ଆରଜେଡି ପ୍ରାର୍ଥୀ ଶଶି ଭୂଷଣ ସିଂହ ୬୫,୨୬୭ ଭୋଟ ପାଇଥିଲେ । ସେ ଭିଆଇପି ପାର୍ଟିର ରାମଚନ୍ଦ୍ର ସାହାଣୀଙ୍କୁ ୩,୪୪୭ ଭୋଟରେ ପରାସ୍ତ କରିଥିଲେ। ସାହାଣୀ ୬୧,୮୨୦ ଭୋଟ ପାଇଥିଲେ।
