ନୂଆପଡ଼ା ଉପନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ସେତେ ଜୋର ଧରୁଛି । ଏଥର ଆଉ କେବଳ ତାରକା ପ୍ରଚାରକରେ କାମ ଚଳିବନି, ମୈଦାନକୁ ଆସିବେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ମାଳମାଳ ମନ୍ତ୍ରୀ । ସେହିପରି ବହୁ ହେଭିୱେଟ୍ ସାଂସଦ, ବିଧାୟକ ଓ ବିଭିନ୍ନ ଦଳର ମୁଖପାତ୍ର ବି ସାମିଲ ହେବେ । ସେମାନଙ୍କ ଦଳ ଶାସନରେ ଥିବା ବେଳେ କି କି ଭଲ କାମ କରିଛି ତାହା ବଖାଣିବା ସହ ଅନ୍ୟ ଦଳକୁ ଅଙ୍ଗୁଳି ନିର୍ଦ୍ଦେଶ କରିବେ ।
ସୋମବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ନୂଆପଡ଼ାରେ ପ୍ରଚାର ଆରମ୍ଭ କରିବେ । କୋମନା ସଭାରେ ବିଜେଡି ଶାସନ ସମୟରେ ନୂଆପଡ଼ାର ବିକାଶ ପାଇଁ ହୋଇଥିବା ବହୁ ଲୋକାଭିମୁଖୀ ଯୋଜନା ବିଷୟରେ କହିବେ । ନବୀନ ପୁଣି ୭ ତାରିଖରେ ଖରିଆର ରୋଡ୍ରେ ଓ ନୂଆପଡ଼ାରେ ଦୁଇଟି ରୋଡ୍ ସୋ କରିବେ । ଅପରାହ୍ନରେ ପୁଣି ପଞ୍ଚାୟତର ନେତାମାନଙ୍କୁ ନେଇ ବୈଠକ କରିବେ । ସେଠାରେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ଗୌତମବୁଦ୍ଧ ଦାସ, ଚିନ୍ମୟ ସାହୁ, ଇପ୍ସିତା ସାହୁ ପ୍ରମୁଖ ବହୁ ନେତା ପ୍ରଚାରର ମଙ୍ଗ ଧରିଛନ୍ତି ।
ସେହିପରି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ପ୍ରଚାର କରିବାକୁ ଆସନ୍ତା ୭ ତାରିଖରେ ନୂଆପଡ଼ା ଗସ୍ତରେ ଆସୁଛନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଓ ଉପମୁଖ୍ୟମନ୍ତ୍ରୀ ମାଲ୍ଲୁଭଟ୍ଟି ବିକ୍ରମାକ । ଉଭୟ ନେତା ନୂଆପଡ଼ାର ସାଲେଭଟାରେ ଏକ ବିଶାଳ ସମାବେଶରେ ପ୍ରଚାର କରିବେ । ଏହି ଦିନ ରାଜ୍ୟ କଂଗ୍ରେସର ସମସ୍ତ ବରିଷ୍ଠ ନେତାଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏହି ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରେବନ୍ତଙ୍କ ଗସ୍ତ ପରେ ନୂଆପଡ଼ା ଆସିବେ କଂଗ୍ରେସର ଯୁବ ସେନ୍ସେସନ୍ କହ୍ନେୟା କୁମାର । ପରେ ଅନ୍ୟ ବହୁ ବରିଷ୍ଠ ନେତା ଆସି ପ୍ରଚାର କରିବେ । ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଏଆଇସିସିରେ ଦବ୍ଦବା ଥିବାରୁ, ସେ ଜଣଙ୍କ ପରେ ଜଣେ ବଡ଼ ନେତାଙ୍କୁ ଓଡ଼ିଶା ଆଣି ପ୍ରଚାର କରାଇବେ ବୋଲି କହିଛନ୍ତି ।
ଅପରପକ୍ଷେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ପର୍ଯ୍ୟାୟ ପ୍ରଚାର ସାରିଥିବା ବେଳେ ଶୀଘ୍ର ପୁଣି ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାରକୁ ଓହ୍ଲାଇବେ । ୬ରୁ ୮ ତାରିଖ ମଧ୍ୟରେ ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ସେ ନୂଆପଡ଼ାରେ ଦୁଇ ଦିନ ପ୍ରଚାର କରିବେ । ଖୁବଶୀଘ୍ର ତାରିଖ ସ୍ପଷ୍ଟ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ବିଜେପି ପ୍ରଚାର ବାବଦରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜେ ଟିକିନିଖି କଥା ବୁଝୁଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଥମ ପର୍ଯ୍ୟାୟ ପ୍ରଚାର କରି ଫେରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ୍ ମଧ୍ୟ ଜୋରଦାର ପ୍ରଚାର କରୁଛନ୍ତି । ବାତ୍ୟା ଭୟ ଛାଡ଼ିବା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବେ ନୂଆପଡ଼ାରେ ପହଞ୍ଚିଛନ୍ତି । ଜୋରଦାର ପ୍ରଚାର କରୁଛନ୍ତି । ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ ବହୁ ମନ୍ତ୍ରୀ ଓ ବିଜେପିର ବହୁ ବିଧାୟକ ଜୋରଦାର ପ୍ରଚାରରେ ମାତିଛନ୍ତି । ଦୁଇ ଦିନ ହେବ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ପ୍ରଚାର କରୁଥିବା ବେଳେ ଆଗକୁ ଅନ୍ୟ ଜାତୀୟସ୍ତରୀୟ ନେତା ପ୍ରଚାରରେ ଆସିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନୂଆପଡ଼ା ବିଜେପି ପ୍ରଚାରର ରଣନୀତି ପ୍ରସ୍ତୁତ କରୁଛନ୍ତି । ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ ଏହା ପ୍ରଥମ ଉପନିର୍ବାଚନ ହୋଇଥିବାରୁ ଦଳ ତା’ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଲାଗିପଡ଼ିଛି । ରାଜ୍ୟ ବିଜେପିର ବହୁ ବରିଷ୍ଠ ପଦାଧିକାରୀ, ନେତା, ଏହା ସହିତ ସଂଘ ପରିବାରର ବହୁ ସଦସ୍ୟ, ସଦସ୍ୟା ମଧ୍ୟ ପ୍ରଚାର କରୁଛନ୍ତି ।
ଉଲ୍ଲେଖଯୋଗ୍ୟ ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୧୧ ତାରିଖରେ ମତଦାନ ଓ ୧୪ ତାରିଖରେ ଭୋଟ ଗଣତି ହେବ ।
