ଆମେରିକାର ଲୁଇସଭେଲି ବିମାନବନ୍ଦରରେ ଅଘଟଣ। ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହେଲା ଆମେରିକାର କାର୍ଗୋ ବିମାନ। ଫଳରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ତେବେ ଘଟଣା ପରେ ତୁରନ୍ତ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଲୁଇସଭେଲି ସ୍ଥିତ ମହମ୍ମଦ ଅଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉଡାଣ ଭରିବା ପରେ ଏକ କାର୍ଗୋ ବିମାନ କ୍ରାସ୍ ହୋଇଯାଇଥିଲା । ଫଳରେ ହଠାତ ନିଆଁ ଲାଗିଯାଇଥିଲା । ଏନେଇ ତୁରନ୍ତ ବିମାନବନ୍ଦରକୁ ବନ୍ଦ କରାଯାଇ ମୃତାହତଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଏହାରି ମଧ୍ୟରେ ଜଣ ପ୍ରାଣ ହରାଇ ସାରିଥିଲେ । ଏପରିକି ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି । ଫେଡେରାଲ ଆଭିଏସନର ସୂଚନା ଅନୁଯାୟୀ, କାର୍ଗୋ ଫ୍ଲାଇଟ୍ ୨୯୭୬ ହୋନୋଲୁଲୁ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ସ୍ଥାନୀୟ ସମୟ ଅନୁସାରେ ୫ ଟା ୧୫ରେ ହଠାତ ଏଥିରେ ନିଆଁ ଲାଗିଯାଇଥିଲା । ଏହାପରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା । ବିମାନରେ ଅଧିକ ମାତ୍ରାରେ ଇନ୍ଧନ ଥିବା କୁହାଯାଉଛି। ତେଣୁ ଏଥିରେ ନିଆଁ ଲାଗିଯାଇଥିଲା ।
