ଛତିଶଗଡ଼ର ବିଳାସପୁରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି । ସେ ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି କି, ବିଳାସପୁର ନିକଟରେ ଘଟିଥିବା ଏହି ଦୁଃଖଦ ଟ୍ରେନ ଦୁର୍ଘଟଣାରେ ମୁଁ ଗଭୀର ମର୍ମାହତ । ମୂଲ୍ୟବାନ ଜୀବନ ଚାଲିଯାଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଏହି ଦୁଃଖର ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା। ଆହତମାନଙ୍କ ଶୀଘ୍ର ଆଶୁ ଆରୋଗ୍ୟ ଏବଂ ଏହି ଦୁର୍ଭାଗ୍ୟଜନକ ଘଟଣା ଦ୍ୱାରା ପ୍ରଭାବିତ ପରିବାରବର୍ଗଙ୍କୁ ଶକ୍ତି ପ୍ରଦାନ ପାଇଁ ପ୍ରାର୍ଥନା କରୁଛି ।
ପ୍ରକାଶ ଯେ, ଛତିଶଗଡ଼ର ବିଳାସପୁରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଲାଲଖାଦନ ନିକଟସ୍ଥ ଜୟରାମନଗର ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ହାଓଡ଼ା ରୁଟ୍ ରେ ଯାତ୍ରା କରୁଥିବା ଏକ ଯାତ୍ରୀବାହୀ ଟ୍ରେନ୍ ମାଲବାହୀ ଟ୍ରେନ୍ ସହିତ ଧକ୍କା ହୋଇଛି। ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।ଦୁର୍ଘଟଣାରେ ମାଲବାହୀ ଟ୍ରେନ୍ର ଅନେକ ବଗି ଲାଇନଚ୍ୟୁତ ହୋଇଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପାସେଞ୍ଜର ଟ୍ରେନ୍ର ଏକ କୋଚ୍ ମାଲଗାଡି ଉପରେ ଚଢିଯାଇଥିଲା। ଦୁର୍ଘଟଣା ପରେ ରେଲଓ୍ବେ ପ୍ରଶାସନ ତୁରନ୍ତ ଉଦ୍ଧାରକାରୀ ଦଳ ଏବଂ ଡାକ୍ତରୀ ୟୁନିଟ୍ ଘଟଣାସ୍ଥଳକୁ ପଠାଇଥିଲା। ସ୍ଥାନୀୟ ପ୍ରଶାସନ ମଧ୍ୟ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନେଇଥିଲେ। ଏହି ଦୁର୍ଘଟଣା ଯୋଗୁଁ ସମଗ୍ର ରୁଟରେ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଅନେକ ଟ୍ରେନକୁ ରଦ୍ଦ ଏବଂ ଡାଇଭର୍ଟ କରି ଦିଆଯାଇଛି।
