ପାର୍ବଣ କାରବାର ୭ ଲକ୍ଷ କୋଟି ଟପିବ,ଉତ୍ସାହ ଆଣିଲା ପ୍ରଧାନମନ୍ତ୍ରୀଙ୍କ ନୀତିଗତ ସଂସ୍କାର

ଚଳିତ ପାର୍ବଣ ଋତୁରେ, ଭାରତକୁ ପ୍ରାରମ୍ଭିକ ଦୀପାବଳି ଉପହାର ମିଳିଛି  । ଏହା ରଙ୍ଗୀନ କାଗଜରେ ଗୁଡ଼ା ହୋଇଥିବା ଉପହାର ନୁହେଁ, ବରଂ ଏକ ନୀତିଗତ ଉପହାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସାମ୍ପ୍ରତିକ ଜିଏସ୍‌ଟି ହାର ହ୍ରାସ ଦେଶବ୍ୟାପୀ କିଣାବିକା ଓ ବାଣିଜ୍ୟ କାରବାରରେ ବୃଦ୍ଧି କରିଛି । ପର୍ବପର୍ବାଣୀ ଏବଂ ବିବାହ ଋତୁରେ କାରବାର ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି, ଯାହା ଗତ କିଛି ବର୍ଷ ମଧ୍ୟରେ ଭାରତର ସର୍ବବୃହତ୍‌ କ୍ରୟ ପ୍ରବାହକୁ ଦର୍ଶାଉଛି । ଏ ବର୍ଷର ନବରାତ୍ରିକୁ ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ବଡ଼ କ୍ରୟ ଉତ୍ସବରେ ପରିଣତ କରିଛି । ଅତ୍ୟାବଶ୍ୟକ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ କମ୍‌ ଟିକସ ସାଧାରଣ ପରିବାରଗୁଡ଼ିକୁ ଆଶ୍ୱସ୍ତି ଦେଇଛି, ବଜାରକୁ ଶକ୍ତି ଦେଇଛି ଏବଂ ଭାରତ ସବୁଠାରୁ ସମୃଦ୍ଧ ଦୀପାବଳି ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ।

ସୂଚନାଯୋଗ୍ୟ, ମୁଦ୍ରାସ୍ପୀତି ଗତ ଆଠ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି, ସିପିଆଇ ମୁଦ୍ରାସ୍ପୀତି ମାତ୍ର ୧.୫୪%ରେ ଥିବାବେଳେ ଖାଦ୍ୟ ମୁଦ୍ରାସ୍ପୀତି ନକାରାତ୍ମକ (-୨.୩%) ହୋଇଛି । ପାର୍ବଣ ଏବଂ ବିବାହ ଋତୁ ପୂର୍ବରୁ ଜିଏସ୍‌ଟି ହ୍ରାସ ଯୋଗୁ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି ଏବଂ ଫଳାଫଳ ପ୍ରତ୍ୟେକ କ୍ଷେତ୍ରରେ ଦୃଶ୍ୟମାନ ହେଉଛି । ଜିଏସ୍‌ଟି ସଞ୍ଚୟ ଲାଭ ଉଠାଇବା ପାଇଁ ଗ୍ରାହକମାନଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ଯୋଗୁ ଡିଜିଟାଲ୍‌ ପେମେଣ୍ଟ ଆକସ୍ମାତ ଦଶ ଗୁଣ ବୃଦ୍ଧି ପାଇ ୨୧ ସେପ୍ଟେମ୍ବରରେ ୧.୧୮ ଲକ୍ଷ କୋଟି ଟଙ୍କାରୁ ୨୨ ସେପ୍ଟେମ୍ବରରେ ୧୧.୩୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଦିଲ୍ଲୀ ଭଳି ସହରରେ, ଉତ୍ସବ ବିକ୍ରୟ ୭୫,୦୦୦ କୋଟି ଟଙ୍କା ଥିବା ଆକଳନ କରାଯାଇଛି । ଅନ୍ୟପକ୍ଷରେ, ୨,୫୦୦ ଟଙ୍କାରୁ କମ୍‌ ପୋଷାକ ଉପରେ ଜିଏସ୍‌ଟି ହ୍ରାସ ପରେ ଅହମ୍ମଦାବାଦର ସୂତା କପଡ଼ା ଚାହିଦା ପ୍ରାୟ ୧୦% ବୃଦ୍ଧି ପାଇଛି । ସରକାରଙ୍କ ଆର୍ଥିକ ନିଷ୍ପତ୍ତିଗୁଡ଼ିକ କେବଳ ଖର୍ଚ୍ଚ ହ୍ରାସ କରିନାହିଁ ବରଂ ଉତ୍ସବ ଅର୍ଥବ୍ୟବସ୍ଥାକୁ ମଧ୍ୟ ପୁନଃର୍ଜୀବିତ କରିଛି ।

ଦେଶର ଅଟୋମୋବାଇଲ ଶିଳ୍ପର ନବରାତ୍ରିରେ ସର୍ବୋତ୍ତମ ପ୍ରଦର୍ଶନ କରିଛି । ମାରୁତି ସୁଜୁକି ୩୫ ବର୍ଷର ରେକର୍ଡ ଭାଙ୍ଗି ଅଷ୍ଟମୀ ଦିନ ୩୦ ହଜାର ଗାଡି ବିକିଥିଲା । ଟାଟା ମୋଟର୍ସ ୫୦ ହଜାର ଗାଡ଼ି ବିକିଥିବା ବେଳେ ହ୍ୟୁଣ୍ଡାଇ କ୍ରେଟା ଏବଂ ଭେନ୍ୟୁ ଭଳି ମଡେଲ ବିକ୍ରି ୭୨% ବଢ଼ିଛି । ହିରୋ ଏବଂ ବଜାଜ ଭଳି କମ୍ପାନି ଗୁଡ଼ିକର ବିକ୍ରି ୨ ଗୁଣ ରହିଛି । ଫାଡା ତଥ୍ୟ ମୁତାବକ, ଅଟୋମୋବାଇଲ ଶିଳ୍ପ ୩୪% ବାର୍ଷିକ ଅଭିବୃଦ୍ଧି ହାସଲ କରିଛି । ଇଲେକଟ୍ରୋନିକ୍ସ ସାମଗ୍ରୀ ବିକ୍ରି ୪୦-୪୫% ବଢ଼ିଛି । ଓନମ୍‌ରୁ ନବରାତ୍ରୀ ଯାଏ ଦେଶର ପାର୍ବଣ ବିକ୍ରି ୪୦-୪୫% ବଢ଼ିଛି । ଆମାଜନ ଏବଂ ମିସୋ ଭଳି କମ୍ପାନି ଗୁଡ଼ିକ ଉଲ୍ଲେଖନୀୟ କାରବାର ଏବଂ ଗ୍ରାହକ ଯୋଡ଼ିଛନ୍ତି । ନିଫ୍ଟି ୫୦ ସୂଚକାଙ୍କ ୫୨ ସପ୍ତାହର ସର୍ବୋଚ୍ଚ ସ୍ତର ୨୫,୭୦୯ରେ ପହଞ୍ଚିଛି । ଶକ୍ତିଶାଳୀ ବିଦେଶୀ ନିବେଶ, ଦୃଢ଼ ଭାରତୀୟ ମୁଦ୍ରା ମୂଲ୍ୟ ଏବଂ ଉତ୍ସବ ଚାହିଦା ଏହାକୁ ସମର୍ଥନ କରିଛି । ତେଜରାତି ଦୋକାନଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ କାର ଶୋରୁମ ପର୍ଯ୍ୟନ୍ତ ଦେଶର ଅର୍ଥବ୍ୟବସ୍ଥାରେ ନୂଆ ଆତ୍ମବିଶ୍ୱାସ ଭରିଛି ।

Leave a Reply

Your email address will not be published. Required fields are marked *