ଶୁକ୍ରବାର (୨୪ ଅକ୍ଟୋବର) ସନ୍ଧ୍ୟାରେ ଅମୃତସରରୁ ସହରସା ଅଭିମୁଖେ ଯାଉଥିବା ଜନସେବା ଏକ୍ସପ୍ରେସ (୧୪୬୧୮)ର ଏକ ବଗିରେ ଅଗ୍ନିକାଣ୍ଡ । ଏହି ଘଟଣା ସନ୍ଧ୍ୟା ୭ଟାରେ ଘଟିଥିଲା । ଜେନେରାଲ ବଗିରେ ନିଆଁ ଲାଗିଥିଲା। ଅଗ୍ନି ନିର୍ବାପକ ସାହାଯ୍ୟରେ ଏହାକୁ ନିୟନ୍ତ୍ରଣ କରାଯାଇଥିଲା। ସୌଭାଗ୍ୟବଶତଃ, କେହି ମୃତାହତ ହୋଇ ନାହାନ୍ତି। ଅଗ୍ନିକାଣ୍ଡ ପରେ କୋଚରେ ଥିବା ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ କୋଚକୁ ସ୍ଥାନାନ୍ତରିତ କରାଯାଇଥିଲା।
ରେଳବାଇ ଅନୁଯାୟୀ, ମୃତାହତ ନେଇ ରିପୋର୍ଟ ହୋଇନାହିଁ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଅଗ୍ନିକାଣ୍ଡର କାରଣ ବିଡ଼ି, ସିଗାରେଟ୍ କିମ୍ବା ମୋବାଇଲ୍ ଫୋନ୍ ବିସ୍ଫୋରଣ ହୋଇଥାଇପାରେ । ଏକ ଫୋରେନସିକ୍ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ । ପରେ ଟ୍ରେନ୍କୁ ପୂର୍ଣ୍ଣିଆ ପଠାଯାଇଥିଲା । ସେଠାରୁ ଟ୍ରେନ୍ଟି ସହରସାରେ ପହଞ୍ଚିଥିଲା ।
ମିଳିଥିବା ସୂଚନା ଅନୁସାରେ, ଟ୍ରେନ୍ଟି ଦ୍ରୁତ ବେଗରେ ଗତି କରୁଥିବା ବେଳେ, ଯାତ୍ରୀମାନେ ଗୋଟିଏ ବଗିରୁ ଧୂଆଁ ଏବଂ ନିଆଁ ବାହାରୁଥିବାର ଦେଖିଥିଲେ। ଅଗ୍ନିକାଣ୍ଡର ଖବର ବ୍ୟାପିବା ମାତ୍ରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଟ୍ରେନ୍କୁ ତୁରନ୍ତ ଅଟକାଇ ଦିଆଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ରେଳ କର୍ମଚାରୀ ତୁରନ୍ତ ନିଆଁ ଲିଭାଇବାରେ ଲାଗିଥିଲେ। ସେମାନଙ୍କର ଉପସ୍ଥିତ ବୁଦ୍ଧି ଏବଂ ତୁରନ୍ତ ପଦକ୍ଷେପ ଯୋଗୁଁ ନିଆଁ ବ୍ୟାପିବାରୁ ରୋକାଯାଇ ଏକ ବଡ଼ ବିପର୍ଯ୍ୟୟକୁ ଏଡାଇ ଦିଆଯାଇଥିଲା।
କୌଣସି ବିପଦ ନାହିଁ ବୋଲି ନିଶ୍ଚିତ କରିବା ପରେ, ଜନସେବା ଏକ୍ସପ୍ରେସ୍ ସହରସା ଷ୍ଟେସନ ଅଭିମୁଖେ ଯାତ୍ରା କରିଥିଲା । ସେଠାରେ ଏହା ସୁରକ୍ଷିତ ଭାବରେ ପହଞ୍ଚିଥିଲା। ରେଳ ପ୍ରଶାସନ କହିଛି ଯେ, ସମସ୍ତ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ଏବଂ କୌଣସି ମୃତାହତ ନେଇ ରିପୋର୍ଟ ନାହିଁ ।
