୧୪ ଦିନିଆ ରିମାଣ୍ଡରେ ପୂର୍ବତନ ବିଧାୟକ ଅନନ୍ତ ସିଂହ; ଦୁଲାରଚାନ୍ଦ କେସ୍‌ରେ ପଚରାଉଚରା କରିବ ପୁଲିସ

୧୪ ଦିନିଆ ରିମାଣ୍ଡରେ ବାହୁବଳୀ ବିଧାୟକ । ବିହାର ଦୁଲାରଚାନ୍ଦ ଯାଦବ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଅନନ୍ତ ସିଂହଙ୍କୁ ରିମାଣ୍ଡରେ ନେଲା ପୁଲିସ । ହତ୍ୟା ଘଟଣାରେ ଅଧିକ ପଚରାଉଚରା ପାଇଁ ରିମାଣ୍ଡ ପ୍ରଦାନ କରିଛନ୍ତି କୋର୍ଟ । ଏହା ପୂର୍ବରୁ ଅନନ୍ତ ସିଂହ ଏବଂ ଅନ୍ୟ ଅଭିଯୁକ୍ତଙ୍କର ମେଡିକାଲ ଯାଞ୍ଚ ହୋଇଥିଲା । ଗତ ୩୦ ତାରିଖରେ ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟିର ସମର୍ଥକ ଦୁଲାରଚାନ୍ଦଙ୍କ ହତ୍ୟା ହୋଇଥିଲା । ଏଥିରେ ବାହୁବଳୀ ବିଧାୟକ ଅନନ୍ତ ସିଂହଙ୍କ ଏବଂ ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତି ରହିଛି ।   ​​​​​​​

ଶନିବାର ଦୁଲାରଚାନ୍ଦ ଯାଦବ ହତ୍ୟାକାଣ୍ଡରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ପୁଲିସ୍ । ବାଢ ସ୍ଥିତ କାରର୍ଗିଲ ମାର୍କେଟରୁ ଜେଡିୟୁ ପ୍ରାର୍ଥୀ ତଥା ବାହୁବଳୀ ନେତା ଅନନ୍ତ ସିଂହଙ୍କୁ ଗିରଫ କରିଥିଲା । ଦୁଲାରଚାନ୍ଦ ହତ୍ୟାକାଣ୍ଡରେ ଅନନ୍ତ ସାମିଲ ଥିବା ଅଭିଯୋଗ ହୋଇଥିଲା । ସୁତ୍ର ଅନୁସାରେ ପାଟନା ଏସ୍‌ଏସ୍‌ପି କାର୍ତ୍ତିକେୟ କେ. ଶର୍ମାଙ୍କ ସ୍ପେସାଲ ଟିମ୍‌ ଏହି ଆକ୍ସନ ନେଇଛି । ଶନିବାର ରାତି ପ୍ରାୟ ୧୧ଟା ୧୦ରେ ପୁଲିସ୍‌ ବାଢରେ ପହଞ୍ଚିଥିଲା । ୧୧ଟା ୪୫ରେ ଅନନ୍ତଙ୍କୁ ହେପାଜତକୁ ନେଇଥିଲା । ରାତାରାତି ପାଟନା ଅଭିମୁଖେ ବାହାରିଥିଲା ପୁଲିସ୍ । ରବିବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ପାଟଣାର ସ୍ବତନ୍ତ୍ର ଅଦାଲତର ବିଚାରପତି ଅନନ୍ତ ସିଂହ ଏବଂ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ୧୪ ଦିନିଆ ରିମାଣ୍ଡରେ ପଠାଇଛନ୍ତି ।

ଅକ୍ଟୋବର ୩୦ ତାରିଖରେ ମୋକାମାରେ ଜେଡିୟୁ ଓ ଜନ ସୁରଜ ପାର୍ଟି ପ୍ରାର୍ଥୀଙ୍କ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଦୁଇ ଦଳର ସମର୍ଥକ ପଥର ଫିଙ୍ଗା ଫିଙ୍ଗି ହୋଇଥିଲେ । ଅନେକ ଆହତ ହୋଇଥିଲେ। ଘଟଣା ପରେ ଏକ ମୃତଦେହ ଉଦ୍ଧାର ହୋଇଥିଲା । ମୃତକ ଥିଲେ ଜନ ସୁରଜ ସମର୍ଥକ ୭୫ ବର୍ଷୀୟ ଦୁଲାରଚାନ୍ଦ ଯାଦବ । ଯେଉଁଠାରେ ସଂଘର୍ଷ ହୋଇଥିଲା ଉକ୍ତ ଗ୍ରାମର ବାସିନ୍ଦା ଥିଲେ ଦୁଲାରଚାନ୍ଦ । ଉଭୟ ପକ୍ଷ ଏକ ଅଭିଯୋଗ ଦାଖଲ କରିଥିଲେ ଏବଂ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପ୍ରମାଣ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଏବଂ ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ, ଜଣାପଡିଥିଲା ଯେ, ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ କରାଯାଇଥିଲା ଯାହା ଏକ ଗମ୍ଭୀର ବିଷୟ । ଘଟଣା ଜେଡିୟୁ ପ୍ରାର୍ଥୀ ଅନନ୍ତ ସିଂହଙ୍କ ଉପସ୍ଥିତିରେ ଘଟିଥିବା ଜଣାପଡିଥିଲା ଯିଏକି ଏହି ମାମଲାର ମୁଖ୍ୟ ଅଭିଯୁକ୍ତ । ଅନନ୍ତ ସିଂହଙ୍କୁ ଏବେ ଗିରଫ କରାଯାଇଛି । ତାଙ୍କ ସହଯୋଗୀ ମଣିକାନ୍ତ ଠାକୁର ଏବଂ ରଞ୍ଜିତ ରାମଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

Leave a Reply

Your email address will not be published. Required fields are marked *