ଅସ୍ତ୍ରବିରତି ପରେ ବି ଗାଜାରେ ଥମୁନି ନରସଂହାର; ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ରେ ମୃତ୍ୟୁ ସଂଖ୍ୟା ୯୭କୁ ବୃଦ୍ଧି

ଆମେରିକା  ମଧ୍ୟସ୍ଥତାରେ ଇସ୍ରାଏଲ ଓ ହମାସ ଭିତରେ ହୋଇଥିବା ଯୁଦ୍ଧବିରତି ଉପରେ କଳା ବାଦଲ ଘନେଇଛି । ଉଭୟେ ପରସ୍ପର ଅସ୍ତ୍ରବିତରି ଉଲ୍ଲଂଘନ ଅଭିଯୋଗ ଆଣି ଆକ୍ରମଣ କରିଛନ୍ତି । ହମାସ୍‌  ରାଫାରେ ଇସ୍ରାଏଲ ସୈନ୍ୟଙ୍କ ଉପରେ  ଆକ୍ରମଣ କରିଥିଲା ବେଳେ ଇସ୍ରାଏଲ ସେନା ଏହାର ପ୍ରତି ଜବାବରେ ଗାଜାର ୨୦ଟି ସ୍ଥାନରେ ଏୟାର ଷ୍ଟ୍ରାଇକ୍‌ କରିଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୯୭ଜଣ  ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି । ସେହିପରି ୨୩୦ ଅଧିକ ଲୋକ ଆହତ ହୋଇଛନ୍ତି ।

ଇସ୍ରାଏଲ ଅଭିଯୋଗ କରିଛି କି ହମାସ ଆତଙ୍କୀମାନେ ପ୍ରଥମେ ଯୁଦ୍ଧବିରତି ଉଲ୍ଲଂଘନ କରିଥିଲେ । ସେମାନେ ରାଫାରେ ଡେରା ପକାଇଥିବା ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ କରିଛନ୍ତି ।  ଯୁଦ୍ଧବିରତି ସର୍ତ୍ତ ଅନୁସାରେ ଇସ୍ରାଏଲ ସେନା  ଯେଉଁ ସ୍ଥାନରୁ ପଛକୁ ହଟିଥିଲେ ସେହି ଅଞ୍ଚଳରେ ହମାସ ରବିବାର ପ୍ରବଳ ଗୁଳିଗୋଳା ମାଡ଼ କରିଛି ।  ଏଥିରେ ୨ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା  ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତ  ସୈନିକ ଦ୍ୱୟ ହେଲେ ମେଜର ୟାନିଭ କୁଲା  (୨୬) ଓ ସର୍ଜେଣ୍ଟ ଇଟେ ଆଭେଜ (୨୧) । ଏହାର ଜବାବରେ ରାଫା ସମେତ ଗାଜାର ୨୦ଟି  ସ୍ଥାନରେ ଏୟାରଷ୍ଟ୍ରାଇକ୍‌ କରାଯାଇଥିବା ଇସ୍ରାଏଲ କହିଛି । ଏହି ପରେ ନରସଂହାର କରିଥିଲା ଇସ୍ରାଏଲ ସେନା । ଏୟାର ଷ୍ଟ୍ରାଇକରେ ବର୍ତ୍ତମାନ ସୁଦ୍ଧା ୯୭ ଜଣଙ୍କ ମୃତ୍ୟୁ  ଘଟିଛି । ଆହୁରି ୨୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।  ଇତିମଧ୍ୟରେ ଇସ୍ରାଏଲ ସେନା ରାଫା  ସୀମାକୁ ବନ୍ଦ କରିଦେଇଛି । ହମାସ୍‌  ସବୁ ଇସ୍ରାଏଲ ପଣବନ୍ଦୀଙ୍କ ମୃତଦେହ ହସ୍ତାନ୍ତର  ନ କରିବା ପର୍ଯ୍ୟନ୍ତ ଏହା ବନ୍ଦ ରହିବ । ଫଳରେ  ରାଫା ଦେଇ ରିଲିଫ ଓ ଅନ୍ୟାନ୍ୟ ସହାୟତା ଧରି ଆସୁଥିବା ଯାନବାହନ ଅଟକି ରହିଛି । ପରବର୍ତ୍ତୀ  ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ସୀମା ବନ୍ଦ ରହିବ ବୋଲି  ଇସ୍ରାଏଲ କହିଛି । ଏହା ପୁଣିଥରେ ଗାଜାରେ ମାନବୀୟ ସଙ୍କଟ ସୃଷ୍ଟି କରିବାର ସମ୍ଭବନା ରହିଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇଜ୍‌ରାଇଲ କାଜ୍‌ ହମାସକୁ ଚେତାବନୀ ଦେଇଛନ୍ତି । ସେ  କହିଛନ୍ତି ଯୁଦ୍ଧବିରତି ଉଲ୍ଲଂଘନ କରିଥିବା  ହମାସକୁ ବହୁମୂଲ୍ୟ ଦେବାକୁ ପଡିବ । ଯଦି  ହମାସ୍‌ ନିଜକୁ ନ ସୁଧାରିବ ତେବେ ଆଗକୁ  ପରିଣତି ଭୟାବହ ହେବ ।

ଅନ୍ୟପକ୍ଷରେ ଇସ୍ରାଏଲ କରିଥିବା  ଯୁଦ୍ଧବିରତି ଉଲ୍ଲଂଘନ ଓ ଆକ୍ରମଣ ଅଭିଯୋଗକୁ  ହମାସ ଖଣ୍ଡନ କରିଛି । ହମାସର ସଶସ୍ତ୍ର ଶାଖା  ଅଲ୍‌-କସାମ ବ୍ରିଗେଡ କହିଛି କି ସେମାନେ  ଯୁଦ୍ଧବିରତିକୁ ସମ୍ମାନ ଦେଉଛନ୍ତି । ଏହାର  ଉଲ୍ଲଂଘନ କରିନାହାନ୍ତି । ରାଫାରେ ଇସ୍ରାଏଲ  ସେନା ଉପରେ ଆକ୍ରମଣ ସମ୍ପର୍କରେ ସେମାନେ  ଜାଣିନାହାନ୍ତି । ଇସ୍ରାଏଲ ସେନା ଯୁଦ୍ଧବିରତି ପରେ ଘରକୁ ଫେରୁଥିବା ପାଲେଷ୍ଟିନୀୟଙ୍କୁ ଭୟଭୀତ  କରାଉଛନ୍ତି । ଅଲ୍‌-କସାମ ବ୍ରିଗେଡ କହିଛି କି  ଗତ ୧୦ ତାରିଖରୁ ଯୁଦ୍ଧବିରତି ଲାଗୁ ହେବା  ପରଠାରୁ ଇସ୍ରାଏଲ ସେନା ୪୭ଥର ଉଲ୍ଲଂଘନ  କରିସାରିଲାଣି । ଇସ୍ରାଏଲର ଆକ୍ରମଣରେ ଗତ ୧୦ ଦିନରେ ୫୧ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ  ମଧ୍ୟସ୍ଥତାରେ ହମାସ ଓ ଇସ୍ରାଲ ମଧ୍ୟରେ ୨୦  ସୂତ୍ରୀ ଯୁଦ୍ଧବିରତି ବୁଝାମଣା ହୋଇଥିଲା ।  ବୁଝାମଣା ଅନୁସାରେ ଯୁଦ୍ଧବିରତି କାର୍ଯ୍ୟକାରୀ  ହେବାର ୭୨ ଘଣ୍ଟା ଭିତରେ ହମାସ ସମସ୍ତ  ଜୀବିତ ଓ ମୃତ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ  କରିବ । ହମାସ୍‌ ପ୍ରଥମ ଦଫାରେ ଗତ ସୋମବାର ସମସ୍ତ ୨୦ ଜୀବିତ ଇସ୍ରାଏଲ  ପଣବନ୍ଦୀଙ୍କୁ ମୁକ୍ତ କରିଥିଲା । ପ୍ରତିବଦଳରେ  ଇସ୍ରାଏଲ ବିଭିନ୍ନ ଜେଲ୍‌ରେ ଥିବା ୨ ହଜାରରୁ  ଅଧିକ ପାଲେଷ୍ଟିନୀୟ କଏଦୀଙ୍କୁ ଛାଡିଥିଲା ।  ସେହିଭଳି ଗତ ବୁଧବାର ହମାସ ୪ଜଣ ପଣବନ୍ଦୀଙ୍କ ମୃତଦେହ ହସ୍ତାନ୍ତର କରିଥିଲା ।  ସେଥିରୁ ୩ ଜଣଙ୍କ ପରିଚୟ ଜଣାପଡିଥିଲା  ଏବଂ ଅନ୍ୟ ଜଣେ ଇସ୍ରାଏଲ ପଣବନ୍ଦୀ ନଥିବା  ସ୍ପଷ୍ଟ ହୋଇଥିଲା । ହମାସ ସମସ୍ତ ୨୮ଜଣ  ମୃତ ପଣବନ୍ଦୀଙ୍କ ଶବ ହସ୍ତାନ୍ତର କରିବାକୁ କଥା ଦେଇଥିଲା । ହେଲେ ଏପର୍ଯ୍ୟନ୍ତ ୧୨ ଜଣଙ୍କର  ମୃତଦେହ ହସ୍ତାନ୍ତର କରିଛି । ହମାସ କହିଛି କି ଅବଶିଷ୍ଟ ମୃତଦେହ  ଇସ୍ରାଏଲ ଆକ୍ରମଣରେ ଧ୍ୱଂସ ପାଇଯାଇଥିବା କୋଠା ତଳେ ଦବି ରହିଛି । ସେହି ଭଗ୍ନାବଶେଷକୁ  ଖୋଳି ତା ଭିତରୁ ମୃତଦେହ ବାହାର କରିବା  ଲାଗି ଭାରୀ ମେସିନ ଓ ସମୟ ଦରକାର । ୭୨  ଘଣ୍ଟାରେ ଫେରାଇବା ଆଦୌ ସମ୍ଭବ ନୁହେଁ ।  ସେହିଭଳି ହମାସ୍‌ କହିଛି କି ଇସ୍ରାଏଲ  ଫେରାଇଥିବା ୧୫୦ ପାଲେଷ୍ଟାଇନ ବନ୍ଦୀଙ୍କ  ମୃତଦେହ ପରୀକ୍ଷା କରିବା ଲାଗି ଡିଏନ୍‌ଏ କିଟ୍‌  ଆବଶ୍ୟକ । ଜେଲ୍‌ରେ କଏଦୀଙ୍କୁ ଅକଥନୀୟ  ନିର୍ଯାତନା ଦିଆଯିବା ସହ ମାଡ଼ ମରାଯାଇଛି ।  ସେମାନଙ୍କ ଶରୀର ସାରା କ୍ଷତଚିହ୍ନ ଅଛି । ଏହା  ମାନବତା ବିରୋଧରେ ଯୁଦ୍ଧ ଅପରାଧ । ଇତିମଧ୍ୟରେ ଆମେରିକାର ଅଭିଯୋଗକୁ  ହମାସ୍‌ ଖଣ୍ଡନ କରିଛି । ଆମେରିକା ପରରାଷ୍ଟ୍ର  ବିଭାଗ ପକ୍ଷରୁ କୁହାଯାଇଥିଲା କି ହମାସ  ଗାଜାରେ ସାଧାରଣ ଜନତାଙ୍କ ଉପରେ  ଆକ୍ରମଣ ଲାଗି ଯୋଜନା କରୁଛି । ହମାସର  ଏଭଳି ଯୋଜନାକୁ ସଫଳ ହେବାକୁ ଦିଆଯିବ  ନାହିଁ । ଗାଜା ଲୋକଙ୍କୁ ସୁରକ୍ଷା ଦିଆଯିବ ।  ହମାସ୍‌ ପ୍ରଥମେ ଯୁଦ୍ଧବିରତିର ଉଲ୍ଲଂଘନ କରି  ଇସ୍ରାଏଲ ସେନା ଉପରେ ଆକ୍ରମଣ କରିଛି ।  ଆମେରିକାର ଏହି ଅଭିଯୋଗକୁ ଖଣ୍ଡନ କରି  ହମାସ୍‌ କହିଛି କି ଆମେରିକାର ଅଭିଯୋଗ  ସମ୍ପୂର୍ଣ୍ଣ ମିଥ୍ୟା ଓ ବିଭ୍ରାନ୍ତିକର । ଇସ୍ରାଏଲର  ଅପପ୍ରଚାରକୁ ଏହା ସମର୍ଥନ କରୁଛି । ଗାଜାରେ  ପାଲେଷ୍ଟିନୀୟଙ୍କ ଉପରେ ସଙ୍ଗଠିତ ଅପରାଧ ଲାଗି ଇସ୍ରାଏଲ ଯେଉଁ ଯୋଜନା ପ୍ରସ୍ତୁତ କରୁଛି  ଆମେରିକା ତାକୁ ସମର୍ଥନ କରୁଛି ।  ଗତ ୨୦୨୩ ଅକ୍ଟୋବରରୁ ଆରମ୍ଭ  ହୋଇଥିବା ଗାଜା ଯୁଦ୍ଧରେ ଏପର୍ଯ୍ୟନ୍ତ ୬୮  ହଜାରରୁ ଅଧିକ ଲୋକ ମୃତ୍ୟୁ ଘଟିଥିଲା  ବେଳେ ୧ ଲକ୍ଷ ୭୦ ହଜାରରୁ ଅଧିକ ଆହତ  ହୋଇଛନ୍ତି । ସେପଟେ ହମାସ୍‌ ଆକ୍ରମଣରେ  ଇସ୍ରାଏଲର ୧,୧୯୫ ଜଣଙ୍କ ମୃତ୍ୟୁ ଘଟିଛି ।  ୨୦୨୩ ଅକ୍ଟୋବର ୭ ତାରିଖରେ ହମାସ୍‌ ଓ  ଅନ୍ୟ ପାଲେଷ୍ଟିନୀୟ ଆତଙ୍କୀ ସଙ୍ଗଠନ ଇସ୍ରାଏଲ  ଉପରେ ଅତର୍କିତ ଆକ୍ରମଣ କରିଥିଲେ ।  ସେମାନେ ୧,୧୯୫ ଜଣ ଇସ୍ରାଏଲୀ ଓ ବିଦେଶୀ  ନାଗରିକଙ୍କୁ ହତ୍ୟା କରିବା ସହ ୨୫୧ ଜଣଙ୍କୁ  ପଣବନ୍ଦୀ କରିନେଇଯାଇଥିଲେ । ପଣବନ୍ଦୀଙ୍କୁ  ମୁକ୍ତ କରିବା ଓ ହମାସକୁ ସମ୍ପୂର୍ଣ୍ଣ ନିପାତ କରିବା  ଲାଗି ଇସ୍ରାଏଲ ଗାଜା ଉପରେ ଆକ୍ରମଣ ଆରମ୍ଭ  କରିଥିଲା । ଗତ ୨ ବର୍ଷ ଧରି ଏହି ଯୁଦ୍ଧ ଚାଲିବା ପରେ ଶେଷରେ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଗାଜା ଶାନ୍ତି  ରାଜିନାମା ହୋଇଥିଲା । ଏହାକୁ ଉଭୟ ହମାସ ଓ  ଇସ୍ରାଏଲ ଗ୍ରହଣ କରିବା ପରେ ଗତ ଅକ୍ଟୋବର ୯ରେ ସ୍ୱାକ୍ଷର ହୋଇଥିଲା ଏବଂ ଅକ୍ଟୋବର୧୦ ତାରିଖରୁ ତାହା ଲାଗୁ ହୋଇଛି ।

Leave a Reply

Your email address will not be published. Required fields are marked *