ଭଦୋଦରା ପୋଲ ଭୁଶୁଡିବା ଘଟଣା : ମୃତକଙ୍କ ସଂଖ୍ୟା ୧୮କୁ ବୃଦ୍ଧି

ଗୁଜରାଟର ଭଦୋଦରା ଜିଲ୍ଲାରେ ମହିସାଗର ନଦୀ ଉପରେ ଥିବା ଗମ୍ଭୀରା ପୋଲ ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ବୁଧବାର ରାତିରେ ଆଉ ଦୁଇଟି ମୃତଦେହ ଉଦ୍ଧାର ହୋଇଛି । ଏହି ଦୁର୍ଘଟଣାରେ ଦୁଇଟି ଟ୍ରକ, ଦୁଇଟି ପିକଅପ ଭ୍ୟାନ ଓ ଏକ ଅଟୋରିକ୍ସା ନଦୀକୁ ଖସି ପଡ଼ିଥିଲା । ଏନଡିଆରଏଫ୍ ଓ ଏସଡିଆରଏଫ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଭଦୋଦରା ଓ ଆନନ୍ଦକୁ ଯୋଡୁଥିବା ମହିସାଗର ନଦୀରେ ତିଆରି ହୋଇଥିବା ପୋଲ ହଠାତ୍ ଦୁଇଖଣ୍ଡ ହୋଇଯାଇଥିଲା । ପୋଲ ଦୁଇ ଫାଳ ହେବା ସମୟରେ ଅନେକ ଗାଡି ସେହି ସମୟରେ ଯାତାୟତ କରୁଥିଲା । ପୋଲ ଦୁଇଫାଳ ହେବା ପରେ ୫ରୁ ଅଧିକ ଗାଡ଼ି ନଦୀକୁ ଖସି ପଡିଥିଲା । ସେ ସବୁକୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୨ଟି ଟ୍ରକ୍ ଏବଂ ପିକ୍ ଅପ୍ ଭ୍ଯାନ୍ ନଦୀରେ ପଡିଛି । ପାଞ୍ଚ ଜଣ ଆହତଙ୍କୁ ଭଦୋଦରାର ଏସଏସଜି ହସ୍ପିଟାଲରେ ଚିକିତ୍ସା କରାଯାଉଛି, ତେବେ କେହି ଗୁରୁତର ନାହାନ୍ତି । ଭଦୋଦରା ଜିଲ୍ଲା ମାଜିଷ୍ଟ୍ରେଟ ଅନିଲ ଧାମେଲିୟା କହିଛନ୍ତି ,ଉଦ୍ଧାର କାର୍ଯ୍ୟ ନଦୀରେ ୪ କିଲୋମିଟର ପର୍ଯ୍ୟନ୍ତ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ପୋଲ ଭୁଶୁଡ଼ିବାର କାରଣ ଅନୁସନ୍ଧାନ ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *