ଏପଟେ ବିରୋଧୀ ଦଳ ନେତାଙ୍କ ଚିନ୍ତା, ସେପଟେ ବିଜେପି କହୁଛି ନବୀନ ପଟ୍ଟନାୟକ ବିଚଳିତ ଯେ ତାଙ୍କ ଦଳର ଭବିଷ୍ୟତ ଅନ୍ଧାରରେ

ରାଜ୍ୟରେ ବାରମ୍ବାର ନିଯୁକ୍ତି ପରୀକ୍ଷା ବାତିଲ ହେବାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି। ଏଣେ ଏହାର ଜବାବ ରଖିଛନ୍ତି ବିଜେପି ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ କହିଛନ୍ତି, ବିଜେଡି ସମୟରେ ପରୀକ୍ଷା ଅନିୟମିତତା ହେଉଥିଲା। ନବୀନ ପଟ୍ଟନାୟକ ବୋଧେ ଚାହୁଁଛନ୍ତି ଏବେ ସେମିତି ହେଉ। ଓଡ଼ିଶାରେ ବିଜେପି ସରକାର ସ୍ୱଚ୍ଛ ପରୀକ୍ଷା କରିବାକୁ ଚାହୁଁଛନ୍ତି। ନବୀନ ପଟ୍ଟନାୟକ ବିଚଳିତ ଯେ ତାଙ୍କ ଦଳର ଭବିଷ୍ୟତ ଅନ୍ଧାରରେ ଅଛି।

ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ଲେଖିଛନ୍ତି, ପରୀକ୍ଷା ବାତିଲ ପରେ ବାତିଲ ହେବା ଲକ୍ଷ ଲକ୍ଷ ପିଲାଙ୍କ ସ୍ୱପ୍ନକୁ ଧୂଳିସାତ କରୁଛି। ଏଏନଏମ ପରୀକ୍ଷା ବାତିଲ କରି ରାଜ୍ୟ ବିଜେପି ସରକାର ପୁଣି ହଜାର ହଜାର ଆଶାୟୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଇଛନ୍ତି। ପିଲାଙ୍କ ସ୍ୱପ୍ନ କେତେ ଆଉ ଭାଙ୍ଗିବ, କେତେ ଆଉ ପିଲାଙ୍କ ଭବିଷ୍ୟତ ସହ ଖେଳାଯିବ? ପରୀକ୍ଷା ପରେ ପରୀକ୍ଷା ବାତିଲ ହେବା, ସ୍ଥଗିତ ହେବା ବିଜେପି ସରକାରର ଅପାରଗତାକୁ ଦର୍ଶାଉଛି। ୧୮ ମାସର ସରକାରରେ ପାଖାପାଖି ୧୮ଟି ନିଯୁକ୍ତି ପରୀକ୍ଷା ବାତିଲ ହେଲାଣି। ସରକାର କ’ଣ ଦର୍ଶାଇବାକୁ ଚାହୁଁଛନ୍ତି? ରାଜ୍ୟର ପିଲାମାନଙ୍କ ଆଶା, ସ୍ୱପ୍ନ ଏପରି ଧୂଳିସାତ ହେଉଥିବ? ସରକାର ସଜାଗ ହୁଅନ୍ତୁ, ସମସ୍ତ ପରୀକ୍ଷା ଯେପରି ନିୟମିତ ଏବଂ ସ୍ୱଚ୍ଛତାର ସହ ହେବ ତାହା ସୁନିଶ୍ଚିତ କରନ୍ତୁ।

ବିଜେଡି ସରକାର ସମୟରେ ପରୀକ୍ଷାରେ ଅନିୟମିତତା ହେଉଥିଲା

ବିରୋଧୀଙ୍କ ପ୍ରଶ୍ନରେ ଜବାବ ରଖିଛନ୍ତି ବିଜେପି ବିଧାୟକ। ସେ କହିଛନ୍ତି, ବିଜେଡି ସମୟରେ ପରୀକ୍ଷା ଅନିୟମିତତା ହେଉଥିଲା। ନବୀନ ପଟ୍ଟନାୟକ ବୋଧେ ଚାହୁଁଛନ୍ତି ଏବେ ବି ସେମିତି ହେଉ। ସ୍ୱଚ୍ଛ ପରୀକ୍ଷା ସରକାର କରିବାକୁ ଚାହୁଁଛନ୍ତି। ନବୀନ ପଟ୍ଟନାୟକ ବିଚଳିତ ଯେ ତାଙ୍କ ଦଳର ଭବିଷ୍ୟତ ଅନ୍ଧାରରେ ଅଛି।

ସୂଚନା ଅନୁଯାୟୀ ବାରମ୍ବାର ରାଜ୍ୟରେ ବାତିଲ ହେଉଛି ନିଯୁକ୍ତି ପରୀକ୍ଷା । ଗତ ଦେଢ଼ ବର୍ଷରେ ୧୯ଟି ଏଭଳି ପରୀକ୍ଷା ବାତିଲ ହୋଇଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କାହିଁକି ନିଯୁକ୍ତିରେ ହେଉଛି ଏଭଳି ବିଭ୍ରାଟ । ଗତକାଲି ଏଏନ୍‌ଏମ୍ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହେବା ଫଳରେ ପରୀକ୍ଷା ବାତିଲ ହୋଇଛି । ଗତ କିଛି ଦିନରେ ଏଭଳି ଅନେକ ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ସବୁ ଦେଖିବାକୁ ମିଳିଛି । ଏସ୍‌ଆଇ ପରୀକ୍ଷା ଠାରୁ ଆରମ୍ଭ କରି ଓଡ଼ିଶା ହାଇକୋର୍ଟ ନିଯୁକ୍ତି ପରୀକ୍ଷା।

ଓଟିଇଟି ପରୀକ୍ଷା ଠାରୁ ନେଇ ଓଏସ୍‌ଏସ୍‌ଏସ୍‌ସି ପରୀକ୍ଷାରେ ଦେଖିବାକୁ ମିଳିଛି ବ୍ୟାପକ ଅନିୟମିତତା। ଯାହା ଫଳରେ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ । ସେପଟେ ପରୀକ୍ଷା ପାଇଁ ପାଠ ପଢା ସରିଥିଲା। ବାସ୍ ବହି ଉପରେ ଶେଷଥର ପାଇଁ ନଜର ବୁଲାଉଥିଲେ ଛାତ୍ରଛାତ୍ରୀ। ହେଲେ ଖବର ଆସିଲା, ପ୍ରଶ୍ନପତ୍ର ଭାଇରାଲ ହୋଇଛି । ପରୀକ୍ଷା ବାତିଲ । ଏକଥା ଶୁଣିବା ପରେ ଛାତ୍ରଛାତ୍ରୀଙ୍କ ଆଖିରୁ ଲୁହ ଶୁଖୁନି। ଅନ୍ୟପଟେ ପ୍ରଶ୍ନପତ୍ର ଲିକକୁ ନେଇ ଗୃହରେ ହୋ ହଲ୍ଲା କରିଛନ୍ତି ବିରୋଧୀ। ବାଚସ୍ପତିଙ୍କ ରୁଲିଂ ଦାବି କରି ଶାସକ ଦଳକୁ ମାରିଛନ୍ତି ତେରଛା ବାଣ । ଦିନ ୨ଟାରେ ହୋଇଥାନ୍ତା ଏଏନଏମ୍ ପରୀକ୍ଷା, ହେଲେ ୧୧ଟାରୁ ମାର୍କେଟରେ ବୁଲିଲା ପ୍ରଶ୍ନପତ୍ର। ଆଉ ଅଭିଯୋଗ ପରେ ବାତିଲ ହେଲା ଦ୍ବିତୀୟ ବର୍ଷର ପ୍ରଥମ ପରୀକ୍ଷା ।

ହେଲେ ମାଲକାନଗିରରେ ପରୀକ୍ଷା ଆରମ୍ଭ ହୋଇଯାଇଥିଲା। ହଲରେ ବସି ପରୀକ୍ଷା ଦେଉଥିଲେ ଛାତ୍ରଛାତ୍ରୀ। କିନ୍ତୁ ୧୫ ମିନିଟ୍‌ ପରେ ହଠାତ୍ ଉତ୍ତର ଖାତା ଛଡ଼ାଇନେଲେ ପରୀକ୍ଷକ । ପରୀକ୍ଷା ନଦେଇପାରିବାରୁ କାନ୍ଦି କାନ୍ଦି ନୟାନ୍ତ ହୋଇଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସରକାରୀ ଏଏନଏମ୍ କଲେଜ ଅଧ୍ୟକ୍ଷା ।

Leave a Reply

Your email address will not be published. Required fields are marked *