ପ୍ରେମିକ ସହ ପତ୍ନୀ ଫେରାର, ଅନଶନରେ ସ୍ବାମୀ..

ଘରେ ସ୍ବାମୀ, ଛୁଆ ଥିବା ବେଳେ ବାହାରେ ଚଳାଇଥିଲେ ଇଲୁ ଇଲୁ। ଘର ସମ୍ଭାଳିବା ଛାଡ଼ି ବାହାରେ ପ୍ରେମିକ ସହ ଘୁରି ବୁଲୁଥିଲେ। ଏହାକୁ ନେଇ ଘରେ ସବୁବେଳେ ଲାଗି ରହୁଥିଲା ଅଶାନ୍ତି। ଶେଷରେ ନିଜ ଘରେ କଳାକନା ବୁଲାଇ ପ୍ରେମିକ ସହ ମହିଳା ଫେରାର। ନ୍ୟାୟ ଆଶାରେ ସ୍ବାମୀଜଣକ ଏବେ ଅନଶନରେ ବସିଛନ୍ତି। ଏପରି ଏକ ରୋଚକ ଘଟଣା ଉତ୍ତରପ୍ରଦେଶର ସହାରନପୁରରେ ଘଟିଛି।

ରବି କୁମାର କହିଛନ୍ତି ଯେ ସେ ୨ ଜୁଲାଇ ୨୦୧୮ରେ ବିବାହ କରିଥିଲେ। ବିବାହ ପରେ ତାଙ୍କ ପତ୍ନୀଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଏହାକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ପରବର୍ତ୍ତୀ ସମୟରେ ରବି କୁମାରଙ୍କ ନାଁରେ ତାଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ ଯୌତୁକ ନିର୍ଯାତନା ଏବଂ ଘରୋଇ ହିଂସା ମାମଲା ରୁଜୁ କରିଥିଲେ, ଯାହା ମଧ୍ୟରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।

ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ନ ଥିବା ବେଳେ ଛୁଆ ଓ ସ୍ବାମୀଙ୍କୁ ଛାଡ଼ି ଫେରାର ହୋଇଛନ୍ତି ପତ୍ନୀ। ଯିବା ବେଳେ ସେ ନିଜ ଘରେ କଳାକନା ବୁଲାଇବାକୁ ପଛାଇ ନାହାନ୍ତି। ଘରେ ଥିବା ସୁନା, ରୂପା ଅଳଙ୍କାର, ମୂଲ୍ୟବାନ ଜିନିଷପତ୍ର ଏବଂ ନଗଦ ନେଇ ମହିଳାଜଣକ ଫେରାର ହୋଇଯାଇଛନ୍ତି।

ରବି ଅଭିଯୋଗ କରିଛନ୍ତି ଯେ ପୋଲିସ ଏହି ସମ୍ପୂର୍ଣ୍ଣ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଚୋରି ହୋଇଥିବା ଜିନିଷପତ୍ର ଉଦ୍ଧାର କରାଯାଇନାହିଁ। ତଦନ୍ତକାରୀ ଅଧିକାରୀମାନେ ମିଥ୍ୟା ବୟାନ ମଧ୍ୟ ରେକର୍ଡ କରିଛନ୍ତି। ଏଥିସହ ରବି କହିଛନ୍ତି, ସେ ପୋଲିସ ଷ୍ଟେସନ, ଏସଏସପି, ଡିଆଇଜି, ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ମୁଖ୍ୟମନ୍ତ୍ରୀଙ୍କ ପୋର୍ଟାଲରେ ଅଭିଯୋଗ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କର କୌଣସି ଶୁଣାଣି ହୋଇନାହିଁ। ନ୍ୟାୟ ଦାବିରେ ଅନଶନରେ ବସିଥିବା ରବି କହିଛନ୍ତି, ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଅନଶନରୁ ଉଠିବି ନାହିଁ।

Leave a Reply

Your email address will not be published. Required fields are marked *