ଭାରତୀୟ ବଂଶୋଦ୍ଭବ ସୁବ୍ରମଣ୍ୟମ୍‌ ବେଦମ୍‌ଙ୍କୁ ଆଶ୍ୱସ୍ତି,ଆମେରିକା ଜେଲରେ ୪୩ ବର୍ଷ ବନ୍ଦୀ ପରେ ଦୋଷମୁକ୍ତ

ଆମେରିକାରେ ମିଥ୍ୟା ମାମଲାରେ ୪୩ ବର୍ଷ ଜେଲଦଣ୍ଡ ଭୋଗିସାରିଥିବା ଭାରତୀୟ ବଂଶୋଦ୍ଭବ ସୁବ୍ରମଣ୍ୟମ୍‌ ବେଦମ୍‌ଙ୍କୁ ଆଶ୍ୱସ୍ତି ମିଳିଛି । ସେଠାକାର ଦୁଇଟି କୋର୍ଟ ତାଙ୍କର ଭାରତ ପ୍ରତ୍ୟର୍ପଣ ଉପରେ ରହିତାଦେଶ ଲାଗୁ କରିଛନ୍ତି । ସର୍ବପ୍ରଥମେ ଜଣେ ଅପ୍ରବାସନ ବିଚାରପତି ସୋମବାର ବେଦମ୍‌ଙ୍କ ପ୍ରତ୍ୟର୍ପଣ ଉପରେ ରୋକ୍‌ ଲଗାଇଥିଲେ । ମାମଲାର ପୁନର୍ବିଚାର ପାଇଁ ଯେ ପର୍ଯ୍ୟନ୍ତ ବୋର୍ଡ ଅଫ ଇମିଗ୍ରେସନ ଅପିଲ୍‌ (ବିଆଇଏ) ସ୍ଥିର ନ କରିଛି, ସେ ପର୍ଯ୍ୟନ୍ତ ପ୍ରତ୍ୟର୍ପଣ ହେବନାହିଁ ବୋଲି ଅଦାଲତ କହିଛନ୍ତି । ଅନ୍ୟପକ୍ଷରେ ପେନସିଲଭାନିଆ ଜିଲ୍ଲା କୋର୍ଟ ମଧ୍ୟ ସୋମବାର ପ୍ରତ୍ୟର୍ପଣ ପ୍ରକ୍ରିୟାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲା ଏବେ ଇମିଗ୍ରେସନ ବୋର୍ଡ ନିକଟକୁ ଯିବ । ଏହାର ନିଷ୍ପତ୍ତି ଆସିବାକୁ କିଛି ମାସ ଲାଗିଯିବ । ୬୪ ବର୍ଷୀୟ ବେଦମ୍‌ ଅକ୍ଟୋବର ୩ରେ ଦୋଷମୁକ୍ତ ହୋଇଥିଲେ । ସେ ପେନସିଲଭାନିଆର ସ୍ଥାୟୀ ନିବାସୀ । ୧୯୮୦ରେ ନିଜ ସହପାଠୀଙ୍କୁ ହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ସେ ନିର୍ଦ୍ଦୋଷ ବୋଲି ଦାବି କରିଥିଲେ । ଏହା ସତ୍ତେ୍ୱ ୧୯୮୩ ଓ ୧୯୮୮ରେ ଦୁଇଥର ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ବିନା ପାରୋଲ୍‌ରେ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିଲା । ତେବେ ଦୋଷମୁକ୍ତ ହୋଇ ଜେଲରୁ ବାହାରିବା ବେଳକୁ ଅପ୍ରବାସନ ବିଭାଗ ତାଙ୍କୁ ନିଜ ହେପାଜତକୁ ନେଇଯାଇଛି । ବେଦମ୍‌ ଏବେ ଲୁଇସିଆନାସ୍ଥିତ ଏକ ପ୍ରତ୍ୟର୍ପଣ କେନ୍ଦ୍ରରେ ଅଟକ ଅଛନ୍ତି । ଉଲ୍ଲେଖଯୋଗ୍ୟ, ବେଦମ୍‌ ଓ ଥମାସ୍‌ କିନ୍‌ସର ୧୯୮୦ରେ ପେନସିଲଭାନିଆ ଷ୍ଟେଟ ୟୁନିଭର୍ସିଟିରେ ପଢ଼ୁଥିଲେ । ଉଭୟଙ୍କ ବୟସ ସେତେବେଳେ ୧୯ ବର୍ଷ ଥିଲା ଏବଂ ସେମାନେ ପରସ୍ପରକୁ ଜାଣିଥିଲେ । ଦିନେ ବେଦମ୍‌ କିନ୍‌ସରଙ୍କୁ ଲିଫ୍ଟ ମାଗିଥିଲେ ।

ଉଭୟଙ୍କୁ ଶେଷଥର ପାଇଁ ସେହିଦିନ ଏକାଠି ଦେଖିବାକୁ ମିଳିଥିଲା । ପରେ କିନ୍‌ସରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଶେଷଥର ତାଙ୍କ ସହ ବେଦମ୍‌ଙ୍କୁ ଦେଖିବାକୁ ମିଳିବାରୁ ତାଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ତାଙ୍କ ବିରୋଧରେ ଅନ୍ୟ କୌଣସି ପ୍ରମାଣ ମିଳି ନ ଥିଲା । ଏହାସତ୍ତେ୍ୱ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ପ୍ରତ୍ୟର୍ପଣ ଉପରେ ରହିତାଦେଶ ଲାଗୁ ହେବା ପରେ ବେଦମ୍‌ଙ୍କ ଭଉଣୀ ସରସ୍ୱତୀ ବେଦମ୍‌ କହିଛନ୍ତି, ଆମେ ଖୁସି ଯେ ଅଦାଲତ ପ୍ରକୃତ ଘଟଣାକୁ ବୁଝିଛନ୍ତି । ମୋ ଭାଇଙ୍କୁ ପ୍ରତ୍ୟର୍ପଣ କରାଯିବା ଅନୁଚିତ । ତାଙ୍କୁ ଭାରତ ପଠାଇବା ଉଚିତ ନୁହେଁ । ବେଦମ୍‌ଙ୍କୁ ଯେତେବେଳେ ୯ ମାସ ହୋଇଥିଲା ସେ ପିତାମାତାଙ୍କ ସହ ଆମେରିକା ଯାଇଥିଲେ । ତାଙ୍କ ପିତା ପେନ୍‌ ଷ୍ଟେଟ୍‌ ୟୁନିଭର୍ସିଟିରେ ପ୍ରଫେସର ଥିଲେ । ପୂରା ପରିବାର ଷ୍ଟେଟ୍‌ କଲେଜରେ ରହୁଥିଲେ । ବେଦମ୍‌ ଆମେରିକାର ସ୍ଥାୟୀ ନିବାସୀ ।

Leave a Reply

Your email address will not be published. Required fields are marked *