ବିହାର ବିଧାନସଭା ନିର୍ବାଚନ ଲାଗି ଏନ୍ଡିଏ ଏବଂ ମହାମେଣ୍ଟ ପ୍ରଚାରରେ ଲାଗିଛନ୍ତି । ଛଟ୍ ପୂଜା ଶେଷ ହେବା ପରେ ପ୍ରଚାର ଆହୁରି ଜୋରଦାର ହେବ । ମଙ୍ଗଳବାର ପ୍ରିୟଙ୍କା ଗାନ୍ଧୀ ନିଜ ପ୍ରଚାର ଅଭିଯାନ ଆରମ୍ଭ କରିବେ । ପ୍ରିୟଙ୍କା ବେଗୁସରାୟ ଆସି ଜିଲ୍ଲାର ବଛୱାଡାରେ ସଭା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତା ୨୯ ତାରିଖରେ ମହାମେଣ୍ଟ ତରଫରୁ ରାହୁଲ ଗାନ୍ଧୀ ଏବଂ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ମୁଜଫରପୁର ଏବଂ ଦରଭଙ୍ଗାରେ ମିଳିତ ରାଲି କରିବେ । ବିହାର ନିର୍ବାଚନକୁ ନେଇ ମହାମେଣ୍ଟ ଏହାର ନିର୍ବାଚନୀ ଇସ୍ତାହାର ମଧ୍ୟ ପ୍ରସ୍ତୁତ କରିସାରିଛି । ଅପରାହ୍ନରେ ପାଟନାରେ ଇସ୍ତାହାରକୁ ଜାରି କରାଯିବ ।
ସେପଟେ ବିଜେପି ଏବଂ ମହାମେଣ୍ଟର ନେତାମାନେ ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ବିଜେପି ସାଂସଦ ମନୋଜ ତିୱାରୀ କହିଛନ୍ତି, ୨୦୨୫ ବିଧାନସଭା ନିର୍ବାଚନରେ ବି ନୀତୀଶ କୁମାର ହେଉଛନ୍ତି ମୁଖ୍ୟମନ୍ତ୍ରୀ ଚେହେରା । ତେଜସ୍ୱୀ ଲଢ଼େଇ ଝଗଡ଼ା କରି ନିଜ ନାଁକୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସାମ୍ନାକୁ ଆଣିଛନ୍ତି । କିନ୍ତୁ ଏନ୍ଡିଏରେ ବହୁପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା ସ୍ଥିର ହୋଇଛି । ତେଜସ୍ୱୀ ମଧ୍ୟ ଏନ୍ଡିଏକୁ ଜୋରଦାର ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ପରିବର୍ତ୍ତନ ପାଇଁ ବିହାର ଦୀର୍ଘ ଦିନ ହେଲା ଅପେକ୍ଷା କରିଛି । ଏହି ନିର୍ବାଚନ ନୂଆ ବିହାର ବନାଇବାର ନିର୍ବାଚନ । ମୋ ବୟସ କମ୍ ହୋଇପାରେ, କିନ୍ତୁ ମୋ କଥା ପକ୍କା । ଯାହା କହିଛି କରିଛି, ଯାହା କହୁଛି ତାହା କରିବି । ବିହାର ଜନତା ସ୍ଥିର କରନ୍ତୁ ପରିବାରକୁ ସରକାରୀ ଚାକିରି ଦରକାର ନା କେବଳ ୧୦ ହଜାର ଟଙ୍କା ।
କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ କହିଛନ୍ତି, ବିହାର ଜନତା ୧୫ ବର୍ଷ ଆର୍ଜେଡି ସରକାରକୁ ଦେଖିଛି । ସେମାନେ ବିହାରକୁ ବରବାଦ କରିବା ଲାଗି କାମ କରିଥିଲେ । ବିହାର ଜନତା ଏଥର ସେମାନଙ୍କୁ କେବେ ବି ସୁଯୋଗ ଦେବେନାହିଁ । ପ୍ରକାଶଥାଉ କି, ବିହାରରେ ଦୁଇଟି ପର୍ଯ୍ୟାୟରେ ନଭେମ୍ବର ୬ ଏବଂ ୧୧ ତାରିଖରେ ଭୋଟିଂ ହେବ । ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାର ୧୨୧ ସିଟ୍ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଜିଲ୍ଲାର ୧୨୨ ଆସନରେ ମତଦାନ ହେବ । ଏଥର ମୋଟ ୨,୬୧୬ ପ୍ରାର୍ଥୀ ମଇଦାନରେ ଅଛନ୍ତି।
