ଅଶାନ୍ତ ରାଜ୍ୟ ରାଜଧାନୀ, ଖୁଲମଖୋଲା ବଢ଼ୁଛି ଆତଙ୍କରାଜ। କିଏ ଦେବ ଲୋକଙ୍କୁ ସୁରକ୍ଷା ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି। ଗୋଟିଏ ଦିନରେ ଭୁବନେଶ୍ବରରେ ଏମ୍ସ କର୍ମଚାରୀଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା, ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଚନ୍ଦ୍ରଶେଖରପୁରରେ ବିଭତ୍ସ ହତ୍ୟାକାଣ୍ଡ ସହ ରେଳ ଷ୍ଟେସନରେ ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ କରିବା ସମସ୍ତଙ୍କ ଭିତରେ ଆତଙ୍କ ଖେଳାଇ ଦେଇଛି ବୋଲି ସେ ଉଲ୍ଲେଖ କରିଛନ୍ତି।
କେବଳ ଘଟଣା ଘଟିବା ପରେ ପୋଲିସ ପ୍ରଶାସନ କ୍ରିୟାଶୀଳ ହେବା ଅପରାଧୀଙ୍କୁ ଭୟଶୂନ୍ୟ କରିଦେଉଛି। କଥା କଥାକେ ଦିବାଲୋକରେ ଗୁଳି ଫୁଟୁଛି, ଅପରାଧୀ ଅବାଧ ଭାବେ ବୁଲୁଛନ୍ତି। ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ୁ ଥିବାବେଳେ ବିଜେପି ସରକାର ସଜାଗ ନ ହେବା ସବୁଠୁ ଆଶ୍ଚର୍ଯ୍ୟର ବିଷୟ। ଲୋକଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଇ ଏକ ଭୟମୁକ୍ତ ପରିବେଶ ସୁନିଶ୍ଚିତ କରିବା ପାଇଁ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଏକ୍ସରେ ଲେଖିଛନ୍ତି।
