ନୂଆପଡ଼ା ଉପ ନିର୍ବାଚନ: ଜାତିସମାଜ ଭୋଟ୍‌ ହାତେଇବାକୁ କସରତ,ପ୍ରତିଶ୍ରୁତି ଦେଇ ଭୋଟରଙ୍କ ନିକଟତର

ସବୁ ପ୍ରତିଶ୍ରୁତି  ପୂରଣ କରିବୁ । ଦୁଃଖସୁଖ ବୁଝିବୁ । ଅଭାବ  ଅସୁବିଧା ଦୂର କରିବୁ । ଖାଲି ଆମକୁ ସମର୍ଥନ  କର । ଭୋଟ ଦେଇ ଜିତାଅ । ନୂଆପଡ଼ା  ଉପ ନିର୍ବାଚନରେ ଏଭଳି ପ୍ରତିଶ୍ରୁତି ଦେଇ  ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରୁଛନ୍ତି  ପ୍ରମୁଖ ଦଳ । ନିର୍ବାଚନ ବୈତରଣୀ ପାର୍‌  ହେବାରେ ଜାତି ସମାଜର ଭୋଟ ନିର୍ଣ୍ଣାୟକ  ହେବ । ଏହି ଭୋଟ୍‌ ହାତେଇବାକୁ କସରତ  ଚଳାଇଛନ୍ତି ସବୁ ଦଳର ନେତା । ଏଥିପାଇଁ  ଗାଁ ଗାଁରେ ବଡ଼ ବଡ଼ ବୈଠକର ଆୟୋଜନ  କରାଯାଉଛି । ଭୋଜିଭାତ କରି ଜାତିସମାଜର  ନେତୃବୃନ୍ଦଙ୍କ ନିକଟତର ହେବାକୁ ଦିନରାତି  ଏକ କରିଦେଇଛନ୍ତି ନେତୃବୃନ୍ଦ । 

ନୂଆପଡ଼ା ଜିଲ୍ଲାରେ ସବୁ ସମ୍ପ୍ରଦାୟର  ଲୋକେ ବସବାସ କରୁଛନ୍ତି । ଅନୁସୂଚିତ  ଜନଜାତି (ଏସ୍‌ଟି) ବର୍ଗର ଗୋଣ୍ଡ, ଶବର,  ବଞ୍ଜାରା, ଚକୋଟିଆ ଭୁଞ୍ଜିଆ, ଚିନ୍ଦା ଭୁଞ୍ଜିଆ,  ବରିହା, ମିର୍ଦ୍ଧା, ଖାଡ଼ିଆ ଲୋକ ରହୁଛନ୍ତି । ପଛୁଆ  ବର୍ଗ (ଓବିସି)ରେ ଯାଦବ, କୁଲତା, ତେଲି,  ଭୁଲିଆ, କଲାର, ପାଇକ, କୁମ୍ଭକାର, ଅହୀର,  ବୈରାଗୀ, ଶୁଣ୍ଢି, ମାଲି, ସୁନାରୀ, ଭଣ୍ଡାରୀ,  ପହରିଆ ସମ୍ପ୍ରଦାୟର ଲୋକେ ଅଛନ୍ତି । ସାଧାରଣ  ବର୍ଗରେ ହଜାର ହଜାର ବ୍ରାହ୍ମଣ, କରଣ  ପରିବାର ରହୁଛନ୍ତି । ଅନୁସୂଚିତ ଜାତି (ଏସ୍‌ସି)  ବର୍ଗରେ ଡମ୍ବ, କେଉଟ, ଧୋବା, ମେହନ୍ତର,  ପନିକା, ସତନାମୀ ସମ୍ପ୍ରଦାୟର ଭୋଟର ଅଛନ୍ତି ।  ସଂଖ୍ୟା କମ୍‌ ହେଲେ ବି ମୁସଲିମ, ଖ୍ରୀଷ୍ଟିଆନ,  ଶିଖ ସମ୍ପ୍ରଦାୟର ଭୋଟର ଗୁରୁତ୍ୱପୂର୍ଣ୍ଣ ଭୂମିକା  ନିର୍ବାହ କରିବେ । 

ନୂଆପଡ଼ାରେ ଯେବେ ଯେବେ ଭୋଟ୍‌  ହୋଇଛି³ ସବୁ ଥର ଗୋଣ୍ଡ, ଯାଦବ, ଶବର,  ଡମ୍ବ, ତେଲି ସମ୍ପ୍ରଦାୟ ଲୋକେ ନିର୍ଣ୍ଣାୟକ ଭୂମିକା  ଗ୍ରହଣ କରିଛନ୍ତି । ଆସନ୍ତା ନଭେମ୍ବର ୧୧ରେ  ମତଦାନ ଥିବାରୁ ନିର୍ବାଚନ ଜିତିବା ପାଇଁ ଜାତି  ଭୋଟ୍‌ ହାତେଇବାକୁ ବିଜେପି, ବିଜେଡି ଓ  କଂଗ୍ରେସ ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି ।  ସବୁଜାତିର ନେତାମାନେ ବିଭିନ୍ନ ଦଳରେ ସାମିଲ  ହୋଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ନିର୍ବାଚନ  ରଣାଙ୍ଗନକୁ ଓହ୍ଲାଇଥିବା ପ୍ରାର୍ଥୀ ଏବଂ ଦଳୀୟ  ନେତୃବୃନ୍ଦ ସାମାଜିକ ସମର୍ଥନ ଯୋଗାଡ଼ରେ  ଲାଗିପଡ଼ିଛନ୍ତି । ଜାତି ଭୋଟକୁ ନିଜ ସପକ୍ଷରେ  ନେବା ପାଇଁ ଲୋଭନୀୟ ପ୍ରତିଶ୍ରୁତି ଦେଉଛନ୍ତି । 

ଗତ ଅକ୍ଟୋବର ୨୭ରେ ନୂଆପଡ଼ାରେ  ଆୟୋଜିତ ଛଟ୍‌ପୂଜାରେ ବିଜେପିର ମନ୍ତ୍ରୀ ଓ  ସାଂସଦ ସାମିଲ ହୋଇ ସମର୍ଥନ ମାଗିଥିଲେ ।  ସେହିପରି ୨୮ ତାରିଖରେ ଭଇଁଷମୁଣ୍ଡିରେ  ଆଦିବାସୀ ଓ ନୂଆପଡ଼ାରେ ବୁଦ୍ଧିଜୀବୀ ସମାବେଶ,  ୨୯ ତାରିଖରେ ରେଙ୍ଗରେ କୁମ୍ଭକାର ସମାଜ  ସମ୍ମିଳନୀ କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ  ସମର୍ଥନ ମାଗିଛନ୍ତି । ଖରିଆର ରୋଡ୍‌ ସହରରେ  ଜୈନ ଓ ଶିଖ ସମାଜ ସମ୍ମିଳନୀ କରି ବିଜେପି  ପ୍ରାର୍ଥୀ ଜୟ ଢୋଲକିଆ ଜିତାଇବାକୁ ନିବେଦନ  କରି ସାରିଛନ୍ତି । ରବିବାର ତରବୋଡ଼ରେ ଅହୀର  ସମାଜ ସମ୍ମିଳନୀ ଆୟୋଜନ କରି ଅନୁରୂପ  ସମର୍ଥନ ଲୋଡ଼ିଛି ଦଳ ।

କଂଗ୍ରେସ ମଧ୍ୟ ଜାତିଭୋଟ ହାତେଇବାକୁ  ଆଗକୁ ଆସିଛି । ଅକ୍ଟୋବର ୧୦ରେ ଘାଟିପଡ଼ାରେ  ଜିଲ୍ଲାସ୍ତରୀୟ ଗୋଣ୍ଡ ସମାଜ ବୈଠକରେ କଂଗ୍ରେସ  ପ୍ରାର୍ଥୀ ଘାସିରାମ ମାଝିଙ୍କୁ ସମର୍ଥନ କରିଥିଲେ ।  ୨୬ରେ ସ୍ଥାନୀୟ ଦେବାଙ୍ଗନ ସମାଜ ଭବନରେ  ସତନାମୀ ସମାଜର ଲୋକେ କଂଗ୍ରେସ ପ୍ରାର୍ଥୀଙ୍କୁ  ସମର୍ଥନ ଦେଇଥିଲେ । ୩୧ରେ ସ୍ଥାନୀୟ ଖୁଣ୍ଟିଆ  ଭବନରେ କଂଗ୍ରେସ ଓବିସି ବର୍ଗଙ୍କ ସମର୍ଥନ  ମାଗିଥିଲେ । ଗତ ଶନିବାର ଝିଲମିଲାରେ  ଶବର ସମାଜ ଓ ଦର୍ଲିନୂଆପଡ଼ାରେ ଡମ୍ବ ସମାଜ  ସମ୍ମିଳନୀ କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ  ସମର୍ଥନ ଲୋଡ଼ିଛନ୍ତି । 

ବିଜେଡି ମଧ୍ୟ ନିଜ ତରିକାରେ ଜାତିଭୋଟ  ସମର୍ଥନ ପାଇଁ ଜୋରଦାର ଉଦ୍ୟମ କରୁଛି ।  ଗତ ଶନିବାର କୋମନା ବ୍ଲକ ବହଳମୁଣ୍ଡାରେ  ଯାଦବ ସମାଜ ସମ୍ମିଳନୀ କରି ଦଳୀୟ ପ୍ରାର୍ଥିନୀ  ସ୍ନେହାଙ୍ଗିନୀ ଛୁରିଆଙ୍କୁ ଜିତାଇବାକୁ ଦଳୀୟ  ନେତୃବୃନ୍ଦ ନିବେଦନ କରିଥିଲେ । ୨୯ରେ  ନିଜେ ସ୍ନେହାଙ୍ଗିନୀ ସୁନାବେଡ଼ାରେ ସମାବେଶ  କରି ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆଙ୍କ  ଭୋଟଭିକ୍ଷା କରିଛନ୍ତି । 

ବୈଠକ ଏବଂ ସମାବେଶରେ ଖଚାଖଚ୍‌  ଭିଡ଼ ହେଉଛି । ପ୍ରାର୍ଥୀଙ୍କୁ ଜିତାଇବାକୁ ପ୍ରତିଶ୍ରୁତି  ମଧ୍ୟ ମିଳୁଛି । ହେଲେ କେଉଁ ଦଳ ଜାତିସମାଜ  ଭୋଟ୍‌ ହାତେଇବ ତାହା ଗଣତିରୁ ସ୍ପଷ୍ଟ ହେବ  ବୋଲି ରାଜନୀତି ସମୀକ୍ଷକମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *