ସେମିକଣ୍ଡକ୍ଟର ଚିପ୍ ପ୍ରସ୍ତୁତକାରୀ ଆମେରିକୀୟ କମ୍ପାନି ଏନ୍ଭିଡିଆର ମାର୍କେଟ କ୍ୟାପ୍ ପ୍ରଥମ ଥର ପାଇଁ ୫ ଟ୍ରିଲିୟନ ଡଲାର ବା ୪୫୩ ଲକ୍ଷ କୋଟି ଟଙ୍କା ପାର୍ କରିଯାଇଛି । ଏହି ଉପଲବ୍ଧି ହାସଲ କରିବାରେ ଏନ୍ଭିଡିଆ ହେଉଛି ବିଶ୍ୱର ପ୍ରଥମ କମ୍ପାନି ।
ତେବେ ଏହି ଅଙ୍କ ଭାରତର ଜିଡିପିଠାରୁ ୯୦ ଲକ୍ଷ କୋଟି ଟଙ୍କା ଅଧିକ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍) ମୁତାବକ, ଭାରତର ଜିଡିପି ଏବେ ରହିଛି ୪.୧୩ ଟ୍ରିଲିୟନ ଡଲାର ଅର୍ଥାତ୍ ୩୬୪ ଲକ୍ଷ କୋଟି ଟଙ୍କା । ଏନ୍ଭିଡିଆ ପରେ ମାଇକ୍ରୋସଫ୍ଟ ଏବଂ ଆପଲ ହେଉଛନ୍ତି ବିଶ୍ୱର ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ବହୁ ମୂଲ୍ୟବାନ କମ୍ପାନି ।
ମାଇକ୍ରୋସଫ୍ଟର ମାର୍କେଟ୍ କ୍ୟାପ୍ ୪.୦୩ ଟ୍ରିଲିୟନ ଡଲାର ବା ୩୫୬ ଲକ୍ଷ କୋଟି ଟଙ୍କା ରହିଛି । ସେହିଭଳି ଆପଲ୍ର ଏମ୍କ୍ୟାପ୍ ୪.୦୨ ଟ୍ରିଲିୟନ ଡଲାର ବା ୩୫୫ ଲକ୍ଷ କୋଟି ଟଙ୍କା । ଦିନକ ତଳେ ଆପଲ୍ ୪ ଟ୍ରିଲିୟନ ଡଲାରର ମାର୍କେଟ୍ କ୍ୟାପ୍ ପାର୍ କରିଥିଲା । ଚତୁର୍ଥ ବହୁମୂଲ୍ୟ କମ୍ପାନି ଆଲ୍ଫାବେଟ୍ର ଏମ୍କ୍ୟାପ୍ ୩.୨୫ ଟ୍ରିଲିୟନ ଏବଂ ପଞ୍ଚମ ବହୁମୂଲ୍ୟ କମ୍ପାନି ଆମାଜନ୍ର ବଜାର ମୂଲ୍ୟ ୨.୪୫ ଟ୍ରିଲିୟନ ଡଲାର ରହିଛି ।
ବୁଧବାର କାରବାର ମଝିରେ ଏନ୍ଭିଡିଆର ସେୟାର ମୂଲ୍ୟରେ ୪.୫% ବୃଦ୍ଧି ଦେଖିବାକୁ ମିଳିଥିଲା । ଫଳରେ ଏହା ୨୧୦ ଡଲାର ବା ୧୮,୫୩୪ ଟଙ୍କାରେ କାରବାର କରୁଥିଲା । ଏଥିସହିତ କମ୍ପାନିର ଏମ୍କ୍ୟାପ୍ ବଢ଼ି ପ୍ରଥମ ଥର ୫.୧୩ ଟ୍ରିଲିୟନ ଡଲାର ପାର୍ କରିଯାଇଛି । ୩ ମାସ ତଳେ କମ୍ପାନିର ବଜାର ମୂଲ୍ୟ ୪ ଟ୍ରିଲିୟନ ଡଲାର ପାର୍ କରିଥିଲା ।
