ଓଟିଇଟି ପାଇଁ ଆବେଦନର ସମୟ ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ସ୍ଵତନ୍ତ୍ର ଓଟିଇଟି ଆବେଦନ ପାଇଁ ଆଜି ଶେଷ ଦିନ ଥିବା ବେଳେ ଏଥିପାଇଁ ଆସନ୍ତା ମେ’ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ସ୍ଵତନ୍ତ୍ର ଓଟିଇଟି ଆୟୋଜନ ହୋଇଛି ।
ତେବେ ରାଜ୍ୟରେ ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଓଟିଇଟି ବାଧ୍ୟତାମୂଳକ କରାଯାଇଛି । ସ୍ଵତନ୍ତ୍ର ଓଟିଇଟି ଆବେଦନ ପାଇଁ ବ୍ଲକ ଏଜୁକେସନ ଅଫିସରଙ୍କ ଠାରୁ ଇନ୍ ସର୍ଭିସ୍ ସାର୍ଟିଫିକେଟ ଆଣିବା ବାଧ୍ୟତାମୂଳକ ଥିବା ବେଳେ ଏସସି, ଏସଟି, ଏସଇବିସିଙ୍କ ପାଇଁ ଜାତିଗତ ପ୍ରମାଣ ପତ୍ର ଅପଲୋଡ କରିବାକୁ ପଡୁଛି ।
ଏହି ସାର୍ଟିଫିକେଟ ପାଇବାରେ ସମସ୍ୟା ହେଉ ଥିବାରୁ ଆବେଦନ ତାରିଖ ବୃଦ୍ଧି ପାଇଁ ବୋର୍ଡକୁ ଶିକ୍ଷକ ସଙ୍ଗଠନ ନିବେଦନ କରିଥିଲେ। କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ହିତକୁ ଆଖି ଆଗରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ ଏହି ଆବେଦନ ତାରିଖ ବୃଦ୍ଧି କରିଛନ୍ତି ।