ରାମପୁରରେ ଲୁଚିଥିଲେ ପାକିସ୍ଥାନୀ ମହିଳା। ଭାରତର ସରକାରୀ ସ୍କୁଲରେ ପାଇଥିଲେ ଚାକିରୀ। ଜାଲି ପ୍ରମାଣପତ୍ରରେ ୩୪ ବର୍ଷ ଧରି ରହୁଥିଲେ। ଉତ୍ତର ପ୍ରଦେଶର ରାମପୁରରୁ ଏପରି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ମିଥ୍ୟା ପ୍ରମାଣପତ୍ର ଦେଇ ୩୪ ବର୍ଷ ହେଲା ଭାରତରେ ରହୁଥିଲେ ଜଣେ ପାକିସ୍ତାନୀ ମହିଳା। ଏପରି କି ସରକାରୀ ସ୍କୁଲରେ ଶିକ୍ଷକତା ମଧ୍ୟ କରୁଥିଲେ। ତେବେ ତାଙ୍କ ଭାଣ୍ଡା ଫୋଡ଼ ହେବା ପରେ ବିଭାଗ ପକ୍ଷରୁ ତାଙ୍କୁ ବହିଷ୍କାର କରାଯାଇଛି ।
ସୂଚନା ମୁତାବକ, ମହିଳା ଜଣକ ମାହିରା ଅଖତର ଓରଫ ଫରଜାନା ଭାବରେ ଚିହ୍ନଟ ହୋଇଛନ୍ତି। ମୂଳତଃ ସେ ଜଣେ ଭାରତୀୟ ଥିଲେ। ତେବେ ଅଗଷ୍ଟ ୧୯୭୯ରେ ଜଣେ ପାକିସ୍ତାନୀ ପୁରୁଷଙ୍କୁ ବିବାହ କରି ସେ ପାକିସ୍ତାନ ଚାଲିଯାଇଥିଲେ ଏବଂ ସେଠାରେ ନାଗରିକତା ହାସଲ କରିଥିଲେ। ତେବେ ଛାଡପତ୍ର ପରେ ସେ ନା’ ପରିବର୍ତ୍ତନ କରି ତାଙ୍କର ଦୁଇ ଛୋଟ ଝିଅଙ୍କ ସହିତ ରାମପୁର ଫେରି ଆସିଲେ।
୧୯୮୫ ମସିହାରେ, ସେ ରାମପୁରର ବାସିନ୍ଦା ସିଦ୍ଦିକ ହାସନ ଖାନଙ୍କୁ ବିବାହ କଲେ। ଏହା ପରେ ଭାରତର ଦୀର୍ଘକାଳୀନ ଭିସା ବା LTV ହାସଲ କରିଥିଲେ। ତେବେ LTV ନାଗରିକମାନେ ସରକାରୀ ଚାକିରି ପାଇଁ ଯୋଗ୍ୟ ନୁହଁନ୍ତି, କିନ୍ତୁ ମହିଳା ଜଣକ ତାଙ୍କର ବିଦେଶୀ ନାଗରିକତା ଲୁଚାଇ ସରକାରୀ ଅଧିକାରୀମାନଙ୍କୁ ଭ୍ରମିତ କରିଥିଲେଯ। ଆଉ ଜାଲ ପ୍ରମାଣପତ୍ର ଆଧାରରେ, ସେ ସୈଦନଗର କୁମ୍ଭାରିଆ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବରେ ନିଯୁକ୍ତି ପାଇଲେ।
ତେବେ ଏକ ବିଭାଗୀୟ ତଦନ୍ତରୁ ଜଣାପଡିଲା ଯେ ସେ ଜଣେ ପାକିସ୍ତାନୀ ନାଗରିକ। ଆଉ ସାମ୍ନାକୁ ଆସିଲା ପୁରା ଘଟଣା। ଏହାପରେ ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ତୁରନ୍ତ ଚାକିରୀରୁ ବହିଷ୍କାର କରିଥିଲା। ଆଉ ବିଭାଗର ରିପୋର୍ଟ ଆଧାରରେ, ପୋଲିସ ଏକ ମାମଲା ରୁଜୁ କରିଛି। ତେବେ ନିଯୁକ୍ତି ସମୟରେ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା କେଉଁଠି ଭୁଲ ହୋଇଥିଲା ତାହା ମଧ୍ୟ ତଦନ୍ତ ଚାଲିଛି। ପ୍ରମାଣ ଆଧାରରେ ଅଧିକ ଗିରଫଦାରୀ ହୋଇପାରେ ବୋଲି ପୋଲିସ କହିଛି ।
