ପୁଣି ଭୟଙ୍କର ପ୍ଲେନ୍ କ୍ରାସ୍ । ଜଳିଗଲା ପୁରା ପ୍ଲେନ୍ । ଜଳିଗଲେ ଯାତ୍ରୀ । ବିମାନର ଲୁହା ଖଣ୍ଡ ବିସ୍ଫୋରଣରେ ତରଳି ଗଲା । ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା କଥା ଆମ ମନରୁ ପାସୋରି ନଥିବା ବେଳେ ପୁଣି ଆଉ ଗୋଟିଏ ବିମାନ କ୍ରାସ୍ ହୋଇଛି । ଭାରତରେ ନୁହେଁ ବଂଲାଦେଶରେ ଘଟିଛି ଏହି ଘଟଣା । ଆଜି ଦିନ ପ୍ରାୟ ୧.୦୦ ରୁ ୧.୩୦ ସମୟରେ ବଂଲାଦେଶର ରାଜଧାନୀ ଢାକାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଢ଼ାକାର ଉତ୍ତରାରେ ଥିବା ଦିଆବାରି ଅଞ୍ଚଳରେ ବାଂଲାଦେଶ ବାୟୁସେନାର ଏକ ଏଫ୍-୭ ତାଲିମ ପ୍ରଦାନକାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଦିନ ପ୍ରାୟ ୧:୦୬ରେ ଉଡ଼ାଣ ଭରିଥିଲା ଉଡ଼ାଣ ଭରିବାର କିଛି କ୍ଷଣ ଭିତରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ମାଇଲଷ୍ଟୋନ ସ୍କୁଲ ଆଣ୍ଡ କଲେଜର କ୍ୟାମ୍ପସରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଥିଲା । ଟେଲିଭିଜନ ଫୁଟେଜରେ ଦୁର୍ଘଟଣା ସ୍ଥଳରୁ ନିଆଁ ଓ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ପରେ ନିଆଁ ଲିଭାଇବା ପାଇଁ ଆଠଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ ।
ତେବେ ବିମାନଟି ଉଡ଼ାଣ ଭରିଥିବା ବେଳେ ବହୁତ ତଳେ ଉଡ଼ୁଥିଲା ଏବଂ ହଠାତ୍ ଭାରସାମ୍ୟ ହରାଇ ତଳକୁ ଖସିବାକୁ ଲାଗିଲା । ପ୍ରଥମେ ଏହା ନଡ଼ିଆ ଗଛରେ ପିଟି ହେଲା, ତା’ପରେ ଏକ ଶିକ୍ଷାନୁଷ୍ଠାନ ବିଲ୍ଡିଂ ସହିତ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହେଲା । ଧକ୍କା ହେବା ମାତ୍ରେ ହିଁ ବିସ୍ଫୋରଣ ହେଲା ଆଉ ସଙ୍ଗେ ସଙ୍ଗେ ବିମାନଟି ହୁ ହୁ ହୋଇ ଜଳିବାକୁ ଲାଗିଲା । ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଗଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ଆଖପାଖର ଲୋକମାନେ ଭୟଭୀତ ହୋଇ ବାହାରକୁ ଦୌଡ଼ିବାକୁ ଲାଗିଲେ ।
ସବୁଠୁ ବଡ଼ କଥା ହେଉଛି ଦୁର୍ଘଟଣା ବେଳେ ପିଲାମାନେ କ୍ୟାମ୍ପସରେ ଉପସ୍ଥିତ ଥିଲେ । ନିଆଁର ପ୍ରକୋପ ହେତୁ ଉଦ୍ଧାରକାରୀ ଟିମ୍ ଭିତରକୁ ଯିବାକୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।ଯୁଦ୍ଧକାଳୀନ ଭିତ୍ତିରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଥିବା ବେଳେ ଏବେ ବଢିଚାଲିଛି ମୃତକଙ୍କ ସଂଖ୍ୟା । ଏହି ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ପିଲା ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ୬ଟି ହସପିଟାଲରେ ଭର୍ତ୍ତି କରାଯାଇଛି ।