ଗୁରୁବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମହିଳା ବିଶ୍ୱକପ୍ ମ୍ୟାଚ୍ ପୂର୍ବରୁ ବର୍ଷା ଯୋଗୁଁ ଭାରତୀୟ ମହିଳା କ୍ରିକେଟ୍ ଦଳର ଅଭ୍ୟାସ ବାତିଲ ହୋଇଛି। ମଙ୍ଗଳବାର ନଭି ମୁମ୍ବାଇରେ ପ୍ରବଳ ବର୍ଷା ଓ ପବନ ହେବା କାରଣରୁ ଭାରତୀୟ ଖେଳାଳିମାନେ ଓ୍ୱାର୍ମଅପ୍ ପରେ ଇନଡୋରକୁ ଫେରିବାକୁ ବାଧ୍ୟ ହୋଇଥିଲେ।
ଏହି ମ୍ୟାଚ୍ ଡି.ୱାଇ. ପାଟିଲ ଷ୍ଟାଡିୟମରେ ଖେଳାଯିବ, ଯାହା ସେମିଫାଇନାଲ୍ ପାଇଁ ଏକ ପ୍ରକାର ‘ଭର୍ଚୁଆଲ କ୍ୱାର୍ଟରଫାଇନାଲ୍’ ସାବ୍ୟସ୍ତ ହୋଇପାରେ। ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ପୂର୍ବରୁ ହିଁ ସେମିଫାଇନାଲ୍ରେ ସ୍ଥାନ ପକ୍କା କରିସାରିଛନ୍ତି। ଚତୁର୍ଥ ସେମିଫାଇନାଲ୍ ସ୍ଥାନ ପାଇଁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ କଡ଼ା ଟକ୍କର ଚାଲିଛି।
ପାଞ୍ଚଟି ମ୍ୟାଚ୍ରୁ ତିନୋଟିରେ ହାରିଥିବା ଭାରତୀୟ ଦଳ ପଏଣ୍ଟ ଟେବୁଲରେ ୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ୪ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ଅଛି। ସେମିଫାଇନାଲ୍ ଯିବା ପାଇଁ ଭାରତକୁ ନ୍ୟୁଜିଲ୍ୟାଣ୍ଡ ଏବଂ ପରେ ବାଂଲାଦେଶକୁ ହରାଇବାକୁ ପଡ଼ିବ। ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ଭାରତ ବୁଧବାର ଦିନ ଶେଷ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।
