ରେପୋ ହାରରେ ୦.୨୫% ହ୍ରାସ: କମିଲା ସୁଧ, କମିବ ଇଏମ୍‌ଆଇ

ଦରଦାମ୍‌ ସ୍ଥିତି ନିୟନ୍ତ୍ରଣରେ ଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ଗୁରୁତ୍ବପୂର୍ଣ୍ଣ ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ କରିଛି। ଫଳରେ ଆଗାମୀ ଦିନରେ ଋଣ ନେଇଥିବା ଗ୍ରାହକମାନଙ୍କ ମାସିକ କିସ୍ତି ବା ଇଏମ୍‌ଆଇରେ ହ୍ରାସ ହେବ। ଏଥିସହିତ ବ୍ୟାଙ୍କ ଓ ଆର୍ଥିକ ଅନୁ‌ଷ୍ଠାନଗୁଡ଼ିକ ଋଣ ସୁଧ କମ୍ କରିବା ଆଶା ଦେଖାଦେଇଛି। ରେପୋ ହାର ୫.୫ ପ୍ରତିଶତରୁ ହ୍ରାସ ପାଇ ୫.୨୫ ପ୍ରତିଶତ ହୋଇଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଘୋଷଣା କରିଛନ୍ତି। ଏହା ପୂର୍ବରୁ ଗତ ଜୁନ୍‌ରେ ରେପୋ ହାର ୬ ପ୍ରତିଶତରୁ ହ୍ରାସ ପାଇ ୫.୫ ପ୍ରତିଶତ ହୋଇଥିଲା। ରେପୋ ହାରରେ ହ୍ରାସ ଦ୍ବାରା ଘର ଓ ଗାଡ଼ି କିଣିବାକୁ ଋଣ ନେଇଥିବା ଗ୍ରାହକମାନଙ୍କ ଇଏମ୍‌ଆଇ ବୋଝ କମ୍ ହୋଇଥାଏ।

ମୁଦ୍ରାସ୍ଫୀତି ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଆକଳନ କରିଛି ଯେ ୨୦୨୫-୨୬ ବର୍ଷ ସାରାରେ ତାହା ୨ ପ୍ରତିଶତ ମଧ୍ୟରେ ରହିବ। ୨୦୨୬-୨୭ର ପ୍ରଥମ ତ୍ରୈମାସିକରେ ତାହା ୩.୯ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବ। ରିଜର୍ଭ ବ୍ୟାଙ୍କ ମୋଟ ଘରୋଇ ଉତ୍ପାଦ (ଜିଡିପି) ଆକଳନକୁ ମଧ୍ୟ ବଦଳାଇଛି। ପୂର୍ବରୁ ଏହା କହିଥିଲା ଯେ ୨୦୨୫-୨୬ରେ ଅଭିବୃଦ୍ଧି ହାର ୬.୮ ପ୍ରତିଶତ ରହିବ। ଏବେ କିନ୍ତୁ କହିଛି ଯେ ତାହା ୭.୩ ପ୍ରତିଶତକୁ ବୃଦ୍ଧି ପାଇବ। ଗତ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୮.୨ ପ୍ରତିଶତ ଭଳି ଉଚ୍ଚସ୍ତରରେ ଥିଲା। ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି ମଧ୍ୟରେ ସନ୍ତୁଳନ ଥିବାରୁ ମୁଦ୍ରାନୀତି କୋହଳ କରିବାର ସୁଯୋଗ ଥିବା ଶ୍ରୀ ମାଲହୋତ୍ରା କହିଛନ୍ତି।

ବଜାରରେ ଥିବା ନଗଦ ଅଭାବ ଦୂର କରିବା ଲାଗି ରିଜର୍ଭ ବ୍ୟାଙ୍କ ୧ ଲକ୍ଷ କୋଟି ଟଙ୍କାର ସରକାରୀ ପ୍ରତିଭୂତି କିଣିବ। ଏଥି ସହିତ ୫ ବିଲିୟନ ଡଲାରର ଡଲାର/ଟଙ୍କା ବିନିମୟ କରିବ। ଏହି ଅବସରରେ ଗଭର୍ଣ୍ଣର ମାଲହୋତ୍ରା ରିଜର୍ଭ ବ୍ୟାଙ୍କ ଲୋକପାଳ ଯୋଜନାରେ ପଡ଼ିରହିଥିବା ଅଭିଯୋଗଗୁଡ଼ିକର ତ୍ବରିତ ଫଇସଲା କରିବାକୁ ପଦକ୍ଷେପ ଘୋଷଣା କରିଛନ୍ତି। ଏକ ମାସରୁ ଅଧିକ ସମୟ ପଡ଼ିରହିଥିବା ମାମଲାଗୁଡ଼ିକର ଫଇସଲା କରିବା ଲାଗି ଆସନ୍ତା ଜାନୁଆରି ୧ରୁ ଏକ ଦୁଇମାସିଆ ଅଭିଯାନ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ରିଜର୍ଭ ବ୍ୟାଙ୍କ ଲୋକପାଳଙ୍କ ପାଖରେ ଅଭିଯୋଗ ସଂଖ୍ୟାରେ ହେଉଥିବା ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ସେବା ଯୋଗାଇବା ବେ‌ଳେ ଗ୍ରାହକଙ୍କ ପ୍ରତି ଧ୍ୟା‌ନ ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି।

Leave a Reply

Your email address will not be published. Required fields are marked *